ତେଜିଲା ସିବିଆଇ ତଦନ୍ତ ଦାବି: ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଂଜ ଓ ଏଏସଆଇ ଆଲିସ ଲୁଗୁନଙ୍କୁ ନ୍ୟାୟ ଦେବା ପାଇଁ ଏକାଠି ହେଲେ ହଜାର ହଜାର ଆଦିବାସୀ

113

କନକ ବ୍ୟୁରୋ: ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ଓ ଏଏସଆଇ ଲୁଗୁନଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ତାତିଛନ୍ତି ଆଦିବାସୀ । ଆଜି ସୁନ୍ଦରଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ହଜାର ହଜାର ଆଦିବାସୀ ଘେରାଉ କରି ହଲ୍ଲାବୋଲ କରିଛନ୍ତି । ସିବିଆଇ ତଦନ୍ତ ଦାବି କରିବା ସହ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ବିକ୍ଷୋଭକାରୀ । ସେପଟେ ଆଦିବାସୀଙ୍କ ଆନ୍ଦୋଳନରେ ସାମିଲ ହୋଇଛନ୍ତି ବିଜେପି ଓ କଂଗ୍ରେସ ।

ଆଦିବାସୀଙ୍କ ଭିତରେ କେତେ ଅସନ୍ତୋଷ ରହିଛି, ମହିଳାଙ୍କ ଭିତରେ କେତେ କ୍ଷୋଭ ରହିଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧଶେଇ ପଶିବାକୁ ହେଉଥିବା ଏହି ଉଦ୍ୟମ ପଛରେ କେବଳ ଗୋଟିଏ ଉଦ୍ଦେଶ୍ୟ- ଆଦିବାସୀ ଯୁବତୀଙ୍କୁ ନ୍ୟାୟ ମିଳୁ । ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ଏବଂ ଏଏସଆଇ ଆଲିଶ୍ ଲୁଗୁନ୍ଙ୍କ ମୃତ୍ୟୁ ମାମଲାରେ ସୁନ୍ଦରଗଡ଼ରେ ଜଳୁଛି ଅସନ୍ତୋଷର ନିଆଁ । ମୃତ୍ୟୁ ଘଟଣାର ପର୍ଦ୍ଦାଫାସ ଓ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଜିଲ୍ଲାର ହଜାର ହଜାର ଆଦିବାସୀ । ଘଟଣାର ସିବିଆଇ ତଦନ୍ତ ଏବଂ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯାନୁଷ୍ଠାନ ଦାବି କରି ବିଶାଳ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ।

ହଜାର ହଜାର ଆଦିବାସୀଙ୍କୁ ନେଇ ହୋଇଥିବା ପ୍ରତିବାଦ ସଭାରେ ଆଦିବାସୀମାନେ ଉଭୟ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଉପରେ ପ୍ରବଳ ବର୍ଷିଛନ୍ତି । ମାମଲାରେ ଜିଲ୍ଲାପାଳ ଓ ଅଧିକାରୀଙ୍କୁ ପକ୍ଷଭୁକ୍ତ କରିବା ସହ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ଘଟଣାର ପର୍ଦ୍ଦାଫାସ କରି ଦୁଇ ଆଦିବାସୀ ମହିଳା ଅଧିକାରୀଙ୍କୁ ନ୍ୟାୟ ନହେଲେ ଆଗାମୀ ଦିନରେ ନିଆଁ ଜଳିବ ବୋଲି ଚେତାବନୀ ଦେଇଛନ୍ତି ।

ଏପଟେ ରାଜନୈତିକ ମତଭେଦ ଭୁଲି ଆଦିବାସୀ ସଂଗଠନର ପ୍ରତିବାଦରେ ସାମିଲ ହୋଇଛନ୍ତି ଉଭୟ ବିଜେପି ଓ କଂଗ୍ରେସ ନେତା । ବିଜେପି ବିଧାୟିକା କୁସୁମ ଟେଟେ, କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ, ପୂର୍ବତନ ବିଧାୟକ ଜର୍ଜ ତିର୍କୀ, କଂଗ୍ରେସ ନେତ୍ରୀ ଅମିତା ବିଶ୍ୱାଳ ପ୍ରମୁଖ, ଗୋଟିଏ ସ୍ୱରରେ ଆଦିବାସୀ ମହିଳାଙ୍କ ସୁରକ୍ଷା ଓ ଦୁଇ ମହିଳା ଅଧିକାରୀଙ୍କୁ ନ୍ୟାୟ ପାଇଁ ଦାବି କରିଛନ୍ତି ।

ରାଉରକେଲାର ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ଘଟଣାରେ ଭିନ୍ନ ଭିନ୍ନ କଥା କୁହାଯାଉଥିବା ବେଳେ ଉଦିତନଗର ଥାନା ଅଧିକାରୀ ଆଲିଶ୍ ଲୁଗୁନ୍ଙ୍କ ମୃତ୍ୟୁ ପଛରେ ଷଡ଼ଯନ୍ତ୍ର ଥିବା ଅଭିଯୋଗ କରାଯାଉଛି । ଏଭଳି ସ୍ଥିତିରେ ଏହି ଦୁଇ ଘଟଣାକୁ ନେଇ ଜିଲ୍ଲାର ଆଦିବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।