କନକ ବ୍ୟୁରୋ: ରାଜ୍ୟରେ ବେକାରୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆଉ ବେକାର ଯୁବକ ଯୁବତୀଙ୍କୁ ଟାର୍ଗେଟ କରି ଠକାମି କରୁଛନ୍ତି ଠକ । ବହୁ ସମୟରେ ଚାକିରି ଆଶାୟୀଙ୍କ ଚାକିରି ପ୍ରତିଶ୍ରୁତି ଦେଇ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଆସୁଛି । ବାଲେଶ୍ୱରରେ ଜଣେ ରେଳ କର୍ମଚାରୀ ଓ ତାଙ୍କ ଭାଇ କିପରି ଶତାଧିକ ଚାକିରୀ ଆଶାୟୀଙ୍କୁ ଠକିଛନ୍ତି ତାହା ସାମ୍ନାକୁ ଆସିଛି । ସେପେଟ ଭାରତୀୟ ପୋଲିସ ପ୍ରୋଟେକ୍ସନ ଫୋର୍ସ ନାଁରେ ବଡ଼ ଠକେଇ ହୋଇଥିବା ଅଭିଯୋଗ ହୋଇଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ଦିନକୁ ଦିନ ରାଜ୍ୟରେ ବେକାରୀ ସମସ୍ୟା ଉକ୍ରଟ ହେବାରେ ଲାଗିଛି । ବିଧାନସଭାରେ ରାଜ୍ୟ ସରକାର ରଖିଥିବା ତଥ୍ୟ ହିଁ ଏହାକୁ ଦର୍ଶାଉଛି । ଏମ୍ପ୍ଲୟମେଂଟ ଏକ୍ସଚେଞ୍ଜରେ କେତେ ପଞ୍ଜିକରଣ ହେଉଛି, କେତେ ଜଣ ଚାକିରି ପାଉଛନ୍ତି, ଏହି ତଥ୍ୟ ଉପରେ ନଜର ପକାନ୍ତୁ । ୨୦୧୯ରୁ ୨୦୨୩ ମଧ୍ୟରେ ଲକ୍ଷ ଲକ୍ଷ ଯୁବକ-ଯୁବତୀ ଏମ୍ପ୍ଲୟମେଂଟ ଏକ୍ସଚେଞ୍ଜରେ ପଂଜିକରଣ କରୁଛନ୍ତି । ହେଲେ ହାତଗଣତିଙ୍କୁ ମିଳୁଛି ଚାକିରି । ୨୦୧୯ରେ ୧ ହଜାର ୫୩ ଜଣଙ୍କୁ ଚାକିରି ମିଳିଥିଲା । ୨୦୨୩ରେ ୪୯୯ ଜଣଙ୍କୁ ଚାକରି ମିଳିଛି । ୨୦୨୦, ୨୦୨୧, ୨୦୨୨ରେ ଅଳ୍ପ ସଂଖ୍ୟକ ପିଲା ଚାକରି ପାଇଛନ୍ତି ।
ଏମ୍ପ୍ଲୟମେଂଟ ଏକ୍ସଚେଞ୍ଜ
ବର୍ଷ ପଞ୍ଜିକରଣ ନିଯୁକ୍ତି
୨୦୧୯ ୧,୭୫,୩୫୯ ୧୦୫୩
୨୦୨୦ ୬୦,୯୭୬ ୮୩
୨୦୨୧ ୧,୫୯,୬୫୦ ୧୭୨
୨୦୨୨ ୧,୬୮,୬୨୯ ୫୯
୨୦୨୩ ୩,୫୫,୨୬୮ ୪୯୯
ବାଲେଶ୍ୱରରୁ ଜଣେ ରେଳ କର୍ମଚାରୀ ଓ ତାଙ୍କ ଭାଇ ଠକାମିର ଜାଲ ବସାଇ ଚାକିରି ଆଶାୟୀଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଜଳେଶ୍ୱର ଥାନା ଲାଙ୍ଗୁଡସାହି ଗାଁର ଧ୍ରୁବ ଚରଣ ଜେନା ଦକ୍ଷିଣ ପୂର୍ବ ରେଳ ବିଭାଗରେ ଚାକିରି କରନ୍ତି । ସାନଭାଇ ପ୍ରଶାନ୍ତ ଜେନାଙ୍କ ସହଯୋଗରେ ଶିକ୍ଷିତ ଯୁବକ ଯୁବତୀଙ୍କୁ ଚାକିରି କରାଇ ଦେବା ଲୋଭ ଦେଖାଇ ଲକ୍ଷାଧିକ ଟଙ୍କା ଠକେଇ କରିଛନ୍ତି । ପ୍ରଥମେ ଭାରତୀୟ ରେଳ ମାଲ ଗୋଦାମ ସଂଘର ସଦସ୍ୟ ହେବା ପରେ ହିଁ ନିଯୁକ୍ତି ମିଳିବ ବୋଲି କହି ଶତାଧିକ ଆଶାୟୀଙ୍କୁ ଠକିଛନ୍ତି । ଏପରିକି ଜଣକ ପିଛା ଅଗ୍ରୀମ ୧ରୁ ୨ଲକ୍ଷ ଟଙ୍କା ହାତେଇବା ପରେ ଧରାଛୁଆଁ ଦେଉନାହାନ୍ତି ଧ୍ରୁବଚରଣ ଜେନା ଓ ତାଙ୍କ ଭାଇ ପ୍ରଶାନ୍ତ ଜେନା । ବାଳିଆପାଳ, ଜଳେଶ୍ୱର, ବସ୍ତା ଓ ମୟୁରଭଂଜ ଅଂଚଳର ବହୁ ଛାତ୍ର ଠକାମିର ଶିକାର ହୋଇଛନ୍ତି । ଜଳେଶ୍ୱର ଥାନାରେ ଏନେଇ ଲିଖିତ ଅଭିଯୋଗ କରିଛନ୍ତି ଛାତ୍ର ଓ ଅଭିଭାବକ ।
ଏପରି ଭାରତୀୟ ପୋଲିସ ପ୍ରୋଟେକ୍ସନ ଫୋର୍ସ ନାଁରେ ବଡ଼ ଠକେଇ ହୋଇଥିବା ଅଭିଯୋଗ ହୋଇଛି । ଚାକିରି ଦେବାକୁ ଅନେକ ଯୁବକ ଯୁବତୀଙ୍କୁ ଚୁନା ଲଗାଇଛନ୍ତି ଠକ । ଆଶାୟୀଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ନେବା ପରେ ସେମାନଙ୍କୁ ୟୁନିଫର୍ମ ଦିଆଯାଇଛି, ଏପରିକି ଉତରପ୍ରଦେଶରେ ମିଛ ଟ୍ରେନିଂ ମଧ୍ୟ ଦେଇଥିଲେ ଏହି ଠକ ଗ୍ୟାଙ୍ଗ । କିନ୍ତୁ ଚାକିରି ଦେବା ବେଳକୁ ଛୁ ମାରିଛନ୍ତି ଅଭିଯୁକ୍ତ ।
ଗୋଟିଏ ପଟେ ରାଜ୍ୟରେ ବେକାରୀ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଅନ୍ୟପଟେ ଏହାର ସୁଯୋଗ ନେଇ ଚାକିରି ଆଶାୟୀଙ୍କୁ ଟାର୍ଗେଟ କରୁଛନ୍ତି ଠକ । ସାରା ରାଜ୍ୟରୁ ଏପରି ମାଳ ମାଳ ଖବର ଆସିବାରେ ଲାଗିଛି ।