ସୁନା ଠାରୁ ମହଙ୍ଗା ଏହି ପ୍ରଜାତିର ଆଳୁ, ଜାଣନ୍ତୁ ଏହି ଆଳୁରେ କଣ ରହିଛି ବିଶେଷତ୍ୱ

677

କନକ ବ୍ୟୁରୋ : ଆଳୁକୁ ଆମେ ପରିବା ମଧ୍ୟରେ ରାଜା ବୋଲି କହିଥାଉ । କାରଣ ଅଧିକାଂଶ ତରକାରୀରେ ଆଳୁକୁ ହିଁ ବ୍ୟବହାର କରାଯାଇଥାଏ । ହେଲେ କେବେ ବି ଏହାକୁ ରାଜାଭଳି ସମ୍ମାନ ମିଳିନଥାଏ । ଏହାସହ ଆଳୁର ଦାମ କେବେ ବି ଏତେ ବୃଦ୍ଧି ହୋଇ ନଥାଏ ଯେ କେହି ଏହାକୁ ପରିବା ମଧ୍ୟରେ ରାଜା ବୋଲି ଭାବିବ । ହେଲେ ଆଜି ଆମେ ଯେଉଁ ଆଳୁ ବାବଦରେ କହିବାକୁ ଯାଉଛୁ ତାହାକୁ ଖାଇବା ତ ଦୂରର କଥା କିଣିବାକୁ ବି ଆପଣଙ୍କୁ ହଜାରେ ଥର ଭାବିବାକୁ ପଡିବ । ଏହି ଆଳୁର ଦାମ ଏତେ ଯେ ଲୋକ ଆଳୁ କିଣିବା ବେଳେ ସୁନା କିଣିବା ଭଳି ଅନୁଭବ କରିଥାନ୍ତି  ।

ଆଜି ଯେଉଁ ଆଳୁ ବାବଦରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ତାହାକୁ ‘ଲେ ବୋନଟ’ ଆଳୁ ବୋଲି କୁହାଯାଇଥାଏ  । ଏହି ଆଳୁରୁ ଆପଣ ଯଦି ଗୋଟିଏ କିଲୋ କିଣିବାକୁ ଯିବେ ତେବେ ଆପଣଙ୍କୁ ୫୦ ହଜାର ଟଙ୍କା ଦେବାକୁ ପଡିବ । ଅର୍ଥାତ ଆପଣ ଗୋଟିଏ କିଲୋ ଆଳୁ ବଦଳରେ ୧୦ ଗ୍ରାମ ସୁନା କିଣିପାରିବେ ମଧ୍ୟ । ହେଲେ ଏତେ ମହଙ୍ଗା ହୋଇଥିଲେ ବି ଏହି ଆଳୁର ଡିମାଣ୍ଡ ସବୁବେଳେ ରହିଛି । ଧନୀଶ୍ରେଣୀର ଲୋକ ଏହି ଆଳୁ କିଣିବାକୁ ନିଜର ଆଭିଜାତ୍ୟ ବୋଲି ଭାବିଥାନ୍ତି ।

‘ଲେ ବୋନେଟ’ ଆଳୁ ମହଙ୍ଗା ହେବା ପଛରେ ଅନେକ କାରଣ ରହିଛି । ପ୍ରଥମ କାରଣ ଭାବେ ଏହି ଆଳୁ ଗୋଟିଏ ବର୍ଷରେ ମାତ୍ର ୧୦ଦିନ ପାଇଁ ବଜାରକୁ ଆସିଥାଏ । ଏହା ବିଶେଷ ଭାବେ ଫ୍ରାନ୍ସର ‘ଇଲେ ଷହ ନୋର୍ମୋଟାୟାର’ ଦୀପରେ ଚାଷ କରାଯାଇଥାଏ । ଏହା ବ୍ୟତୀତ ଅନ୍ୟ କୌଣସି ଜଳବାୟୁରେ ଏହି ଆଳୁ ଚାଷ କରାଯାଇ ନଥାଏ । ଏହି କାରଣରୁ ଏହି ପ୍ରଜାତିର ଆଳୁର ଦାମ ଏତେ ମହଙ୍ଗା ହୋଇଥାଏ ।

କୁହାଯାଉଛି କି, ଏହି ଆଳୁରେ ଏକ ସ୍ୱତନ୍ତ୍ର ପ୍ରକାରର ପୋଷକ ତତ୍ୱ ରହିଛି । ଆଳୁ ବ୍ୟତୀତ ତାର ଚୋପା ବି ବେଶ୍ ଉପକାରୀ । ଖାଇଥିବା ଲୋକ କହନ୍ତି କି ଏହି ଆଳୁରେ ଲେମ୍ବୁ, ଲୁଣ ଓ ଅନ୍ୟକିଛି ପରିବାର ସ୍ୱାଦ ରହିଛି । ଏହି ଆଳୁରୁ ସାଲାଡ, ପୁରୀ ,ସୁପ କ୍ରିମ୍ ପ୍ରସ୍ତୁତ କରାଯାଇଥାଏ ।