ବହିଷ୍କାର ପରେ ରାହୁଲଙ୍କୁ ଟାର୍ଗେଟ କଲେ ଶ୍ରୀକାନ୍ତ ଜେନା । ସାମ୍ବାଦିକ ସମ୍ମିଳନୀରେ କହିଲେ, ମେଂଟ ପାଇଁ ନବୀନଙ୍କ ଆଗରେ ମୁଣ୍ଡ ନୁଆଁଇଛନ୍ତି କଂଗ୍ରେସ ଅଧ୍ୟକ୍ଷ

ପିସିସି ସଭାପତିଙ୍କୁ କଲେ କଡା ସମାଲୋଚନା

255

କନକ ବ୍ୟୁରୋ: ଦଳ ବିରୋଧୀ ଆଚରଣ ପାଇଁ କଂଗ୍ରେସରୁ ବିଦା ହେବା ପରେ କଂଗ୍ରେସ ଉପରେ ବର୍ଷିଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା । ଆଜି ସାମ୍ବାଦିକ ସମ୍ମିଳନୀ କରି ସେ ରାହୁଲ ଗାନ୍ଧିଙ୍କ ଉପରେ ବର୍ଷିଛନ୍ତି । କହିଛନ୍ତି ମେଂଟ ପାଇଁ ନବୀନ ପଟ୍ଟନାୟକଙ୍କ ଆଗରେ ମୁଣ୍ଡ ନୁଁଆଇଛନ୍ତି ରାହୁଲ ଗାନ୍ଧି । କଂଗ୍ରେସର ଆଉ ଆଗ ଭଳି ଆଦର୍ଶ ନାହିଁ । ହେଲେ ଆଗକୁ କୌଣସି ପାର୍ଟିରେ ଯୋଗ ଦେବାର ଯୋଜନା ନାହିଁ ।

ଗତ ୪୦ ବର୍ଷର ରାଜନୈତିକ କ୍ୟାରିଅର ତାଙ୍କ ନାମରେ କୌଣସି ଦୁର୍ନୀତି ଅଭିଯୋଗ ନାହିଁ ବୋଲି ଦାବି କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ । ଏହାଛଡା ଆସନ୍ତା ୨୫ରେ ରାହୁଲଙ୍କ ଓଡିଶା ଗସ୍ତ ସମୟରେ ବଡ ଖୁଲାସା କରିବେ ବୋଲି କହିଛନ୍ତି କଂଗ୍ରେସରୁ ବିତାଡିତ ଶ୍ରୀକାନ୍ତ ଜେନା । ସେହିପରି ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ମଧ୍ୟ ସେ ଟାର୍ଗେଟ କରିଛନ୍ତି । ଗତକାଲି ବିଶୃଙ୍ଖଳିତ ଆଚରଣ ପାଇଁ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା ଓ ପୂର୍ବତନ ବିଧାୟକ କୃଷ୍ଣ ସଗରିଆଙ୍କୁ ଦଳରୁ ବହିଷ୍କାର କରାଯାଇଛି ।

ସେପଟେ, କଂଗ୍ରେସରୁ ବହିଷ୍କାର ପରେ ପୂର୍ବଚନ ବିଧାୟକ କୃଷ୍ଣ ଶଗରିଆ ବି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, କଂଗ୍ରେସ ମୋ ପ୍ରତି ଅନ୍ୟାୟ କରିଛି । ମୁଁ କେବେ ଦଳ ବିରୋଧୀ କାମ କରିନି । ନରସିଂହଙ୍କ ଉପରେ ବି ବର୍ଷିଛନ୍ତି ଶଗରିଆ । ସେ ଅଭିଯୋଗ କରିଛନ୍ତି, ନରସିଂହଙ୍କ ସରକାରଙ୍କ ସହ ସୁସମ୍ପର୍କ ରହିଛି । କଂଗ୍ରେସ ନବୀନଙ୍କ ପାଖରେ ଆତ୍ମସମର୍ପଣ କରିଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି । କାରଣ ଦର୍ଶାଅ ନୋଟିସ ଦିଆଯାଇନି । ବିଜେଡି ଓ ବିଜେପିକୁ ଯିବା ପ୍ରଶ୍ନ ଉଠୁନାହିଁ । କେଉଁ ଦଳକୁ ଯିବି ନିଷ୍ପତି ନଇନାହିଁ ବୋଲି କହିଛନ୍ତି କୃଷ୍ଣ ଶଗରିଆ ।