ଗୋଟିଏ ସ୍ଥାନରେ ହୋଇଛି ୧୨୪ ପ୍ରକାର ମାଣ୍ଡିଆ ଚାଷ, ମିଲେଟ ମିସନ ଓ ସ୍ୱାମିନାଥନ ଫାଉଣ୍ଡେସନ ଯୋଗାଉଛି ସହାୟତା

102

କନକ ବ୍ୟୁରୋ : ଗୋଟିଏ କି ଦୁଇଟି ନୁହେଁ, ଗୋଟିଏ ସ୍ଥାନରେ ହୋଇଛି ୧୨୪ ପ୍ରକାରର ଦେଶୀ ମାଣ୍ଡିଆ ଚାଷ । ଧାଡ଼ି ଧାଡ଼ି ହୋଇ ଲାଗିଥିବା ଏହି ମାଣ୍ଡିଆ ଫାର୍ମରେ ଲାଗିଛି ନମ୍ବର ପ୍ଲେଟ୍ । କେଉଁ ଗଛ କେଉଁ କିସମର ଜାଣିବା ପାଇଁ ଏହି ନମ୍ବର ପ୍ଲେଟ୍ ଲଗାଯାଇଛି । ଓଡ଼ିଶା ମିଲେଟ ମିସନ ଓ ସ୍ୱାମିନାଥନ ଫାଉଣ୍ଡେସନ ତରଫରୁ ଚାଷୀଙ୍କ ସହଯୋଗରେ ଏହାକୁ ସଂଗ୍ରହ କରି ଗୋଟିଏ ସ୍ଥାନରେ ରୋପଣ କରାଯାଇଛି । ସବୁଠାରୁ ବଡ଼ କଥା ହେଉଛି ଏହା କେଉଁ ଅନୁଷ୍ଠାନରୁ ଆସିନାହିଁ ଏହା କୋରାପୁଟ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରେ ଚାଷ ହେଉଥିବା ମାଣ୍ଡିଆ । ଗୋଟିଏ ସ୍ଥାନରେ ଏତେ କିସମର ବିହନ ମିଳିବା ଭାରତରେ ପ୍ରଥମ ବୋଲି କୁହାଯାଉଛି ।

ଓଡ଼ିଶାର ଅନେକ ସ୍ଥାନରେ ମାଣ୍ଡିଆ ଚାଷ ହୋଇଥାଏ ହେଲେ କୋରାପୁଟ ମାଣ୍ଡିଆର ରହିଛି ବିଶେଷ ସ୍ୱତନ୍ତ୍ରତା । କୋରାପୁଟ ଜିଲ୍ଲାରେ ଅମଳ ହେଉଥିବା ମାଣ୍ଡିଆରେ ଅଧିକା ପୋଷକତତ୍ୱ ରହୁଥିବା କୁହନ୍ତି ବିଶେଷଜ୍ଞ । ଯାହା ଅନ୍ୟ କେଉଁଠି ମିଳେନାହିଁ । ଏଥିରେ ଭରପୁର ରୋଗପ୍ରତିରୋଧକ ଶକ୍ତି ମଧ୍ୟ ରହିଛି । ତେଣୁ ଏହାର ଉତ୍ପାଦନ ବଢ଼ାଇ କୋରାପୁଟକୁ ମାଣ୍ଡିଆର ହବ୍ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । କେଉଁ କିସମରେ ଅଧିକ ଅମଳ ହେବ ଏବଂ ଚାଷୀକୁ ଭଲ ରୋଜଗାର ମିଳିପାରିବ ସେନେଇ ବିଭିନ୍ନ ପ୍ରକାରର ବିହନ ସଂଗ୍ରହ କରି ଗୋଟିଏ ସ୍ଥାନରେ ପରୀକ୍ଷା କରାଯାଉଛି । ଯେଉଁ ବିହନ ଚାଷୀକୁ ସୁହାଇବ ତାକୁ ବିହନ ରୁପେ ବ୍ୟବହାର କରାଯିବ ।

ଆଦବାସୀ ବହୁଳ ଅଂଚଳ ଲୋକଙ୍କର ମାଣ୍ଡିଆ ଏକ ପ୍ରଧାନ ଖାଦ୍ୟ । ଭରପୁର ପୋଷକ ତତ୍ୱ ରହୁଥିବାରୁ ଏହାକୁ ପ୍ରାୟ ସମସ୍ତେ ଖାଦ୍ୟ ଭାବେ ଗ୍ରହଣ କରନ୍ତି । ମାଣ୍ଡିଆ ଲଡ଼ୁ, ମାଣ୍ଡିଆ ଚା’, ମାଣ୍ଡିଆରେ ପ୍ରସ୍ତୁତ ପିଠା ଏବଂ ସୁପ୍ କରି ଲୋକେ ଏହାକୁ ଖାଇଥାଆନ୍ତି । ପୂର୍ବରୁ କୋରାପୁଟରେ ଲୋକେ ସେମାନଙ୍କ ଆବଶ୍ୟକତା ଅନୁସାରେ ଚାଷ କରୁଥିଲେ । ପରିବାର ପାଇଁ ଯେତିକି ଦରାକାର ସେତିକି ଚାଷ କରୁଥିଲେ ଚାଷୀ । ଏହାର ଗୁଣ ଓ ପୋଷକ ତତ୍ୱ ଜାଣିବା ପରେ ଏବେ ଏହି ମାଣ୍ଡିଆର ଚାହିଦା ବଢିବା ସହିତ ବ୍ୟବସାୟର ବାଟ ଖୋଲିଛି ।

ଓଡ଼ିଶା ମିଲେଟ ମିଶନ ଓ ସ୍ୱାମିନାଥନ ଫାଉଣ୍ଡେସନ୍ ତରଫରୁ ଚାଲିଛି ଏଭଳି ପ୍ରୟାସ । ଏହାକୁ ଦେଖିବା ଓ ଜାଣିବା ପାଇଁ ଜିଲ୍ଳା ତଥା ଜିଲ୍ଳା ବାହାରୁ ବିଭିନ୍ନ ପ୍ରଶାସନିକ ଅଧିକାରୀ ଓ ସଚିବଙ୍କ ସୁଅ ଛୁଟୁଛି ।