କେନ୍ଦ୍ରାପଡ଼ାରେ ଏସଏଚଜି ମହିଳାଙ୍କ ନିଆରା ଉଦ୍ୟମ । ସ୍କୁଲ ପୋଷାକ, ଚାନ୍ଦୁଆ ଓ ମାସ୍କ ତିଆରି ସ୍ୱାବଲମ୍ବୀ ହେଉଛନ୍ତି ମହିଳା

71

କନକ ବ୍ୟୁରୋ : କେନ୍ଦ୍ରାପଡ଼ାରେ ଏସଏଚଜି ମହିଳାଙ୍କ ନିଆରା ଉଦ୍ୟମ । ସ୍କୁଲ ପୋଷାକ, ଚାନ୍ଦୁଆ ଓ ମାସ୍କ ତିଆରି ସ୍ୱାବଲମ୍ବୀ ହେଉଛନ୍ତି ମହିଳା । ବାର୍ଷିକ ରୋଜଗାର ହେଉଛି ପାଖାପାଖି ୧୫ରୁ ୧୮ ଲକ୍ଷ ଟଙ୍କା । ୩୦ ଜଣ ମହିଳା ୩୦ଟି ଟେଲରିଂ ମେସିନ୍ ପକାଇ ଏହି ବ୍ୟବସାୟ କରୁଛନ୍ତି । ପ୍ରଶାସନ ପକ୍ଷରୁ ଯୋଗାଇଦିଆଯାଇଥିବା ମାର୍କେଟ୍ କମ୍ପେ୍ଲକ୍ସ ଘରେ ମହିଳା ମାନେ ଅଙ୍ଗନୱାଡ଼ି ଓ ସ୍କୁଲ ୟୁନିର୍ଫମ ପ୍ରସ୍ତୁତ କରୁଛନ୍ତି । ଏଥିସହ ସାୟା, ବ୍ଲାଉଜ, ଚାନ୍ଦୁଆ, ପାପୋଛ, କପଡ଼ା ଭ୍ୟାନିଟ୍ ବ୍ୟାଗ, ଏମ୍ବ୍ରୋଡୋରୀ କାମ ହୋଇଥିବା ବେଡସିଟ୍, ତକିଆ ଖୋଳ, ମାସ୍କ ତିଆରି କରୁଛନ୍ତି ମହିଳା ।

କେନ୍ଦ୍ରାପଡ଼ା ରାଜନଗର ବ୍ଲକ କଣ୍ଡିରା ଗାଁ ପୁଷ୍ପଲତା ମହାନ୍ତି ଗାଁର କିଛି ମହିଳାଙ୍କୁ ଏକାଠି କରି ଆରମ୍ଭ କରିଛନ୍ତି ରାଧାମୋହନ ପ୍ରଡ୍ୟୁସର ଗ୍ରୁପ୍ । ଏହି ମହିଳା ମାନେ ଓଡ଼ିଶା ଜୀବିକା ମିଶନରୁ ତାଲିମ ନେଇ କପଡ଼ା ସିଲେଇ କରୁଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠୀ ମହାସଂଘରୁ ୫୦ ହଜାର ଟଙ୍କା ଆଣି କପଡ଼ା ଓ ବିଭିନ୍ନ ସାମଗ୍ରୀ ତିଆରି ବ୍ୟବସାୟ କରୁଛନ୍ତି । ଏଥିପାଇଁ ୮ଟି ବିଦ୍ୟୁତ୍ ଚାଳିତ ମେସିନ୍ ମଧ୍ୟ ପକାଇଛନ୍ତି । କରୋନା ସମୟରେ ହଜାର ହଜାର ମାସ୍କ ପ୍ରସ୍ତୁତ କରି ପ୍ରଶାସନକୁ ଯୋଗାଇଥିଲା ରାଧାମୋହନ ପ୍ରଡ୍ୟୁସର ଗ୍ରୁପ । ଅନ୍ୟପଟେ କପଡ଼ା ଓ ଅନ୍ୟାନ ସାମଗ୍ରୀ ପାଇପାରୁନଥିବାରୁ ତିଆରି ଖର୍ଚ୍ଚ ଅଧିକ ହେଉଥିବା କହିଛନ୍ତି ଏସଏଚଜି ମହିଳା ।

ଘର କାମ ପରେ ପ୍ରତିଦିନ ୨ରୁ ୩ ଘଂଟା ସମୟ ଦେଇ ଏହି କାମ କରୁଛନ୍ତି ମହିଳା । କଂଚାମାଲ ଓ ବ୍ୟବସାୟ ପାଇଁ ବଜାର ସୃଷ୍ଟି ହେଲେ ଭଲ ରୋଜଗାର ହୋଇପାରନ୍ତା ବୋଲି ସେମାନେ ଆଶା ବ୍ୟକ୍ତ କରିଛନ୍ତି ।