ଭାରତ ରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କୁ ମନେ ପକାଉଛି ସାରା ଦେଶ । ‘ସଦୈବ ଅଟଳ’ ସ୍ଥଳରେ ଶ୍ରଦ୍ଧାଞ୍ଜଳି ସମାରୋହ ।

95

କନକ ବ୍ୟୁରୋ: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଜୟନ୍ତୀ । ତାଙ୍କ ଅଭୁଲା ସ୍ମୃତିକୁ ଆଜି ମନେ ପକାଉଛି ସାରା ଦେଶ । ‘ସଦୈବ ଅଟଳ’ ସ୍ଥଳରେ ଅଟଳଜୀଙ୍କ ସମାଧୀରେ ପୁଷ୍ପମାଲ୍ୟ ଅପଣ କରିଛନ୍ତି ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ମାଗ୍ୟଗଣ୍ୟ ବ୍ୟକ୍ତି ।

ଜଣେ ଜନନେତା, ଦୃଢ଼ ରାଜନୈତିକ ଇଚ୍ଛାଶକ୍ତିର ଅଧିକାରୀ ଭାବେ ଅଟଳ ବିହାରୀ ବାଜପେୟୀ ସୁପରିଚିତ । ବାଜପେୟୀ ୧୯୨୪ ମସିହା ଡିସେମ୍ବର ୨୫ ତାରିଖ ଗ୍ଵାଲିୟରର ଏକ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପା କୃଷ୍ଣବିହାରୀ ବାଜପେୟୀ ଓ ମା’ କୃଷ୍ଣା ଦେବୀ । ମହାତ୍ମା ରାମଚନ୍ଦ୍ର ବୀରଙ୍କଦ୍ୱାରା ରଚିତ ଅମର କୃତି ‘ବିଜୟ ପତାକା’ ପଢ଼ି ବାଜପେୟୀଙ୍କ ଜୀବନର ଗତି ବଦଳି ଯାଇଥିଲା । ସେ ସ୍ନାତକ ଡିଗ୍ରୀ ଗ୍ୱାଲିୟରର ଭିକ୍ଟୋରିଆ କଲେଜ ରୁ ପ୍ରାପ୍ତ କରିଥିଲେ । ଛାତ୍ର ଜୀବନରେ ସେ ଆରଏସ୍ଏସର ସ୍ୱୟଂସେବକ ହୋଇଥିଲେ ଏବଂ ସେବେଠାରୁ ରାଷ୍ଟ୍ରୀୟସ୍ତରୀୟ ତର୍କ ପ୍ରତିଯୋଗିତାରେ ଭାଗ ନେଉଥିଲେ । ସେ କାନପୁରର ଡିଏଭି କଲେଜରୁ ରାଜନୀତି ବିଜ୍ଞାନରେ ଏମ୍ଏ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ । ଏମ୍ଏ ପରେ ପରେ ସେ କାନପୁରରେ ଏଲଏଲବି ପଢ଼ା ଆରମ୍ଭ କରିଥିଲେ ।

ସମୟରୁ ହିଁ ବାଜପେୟୀଙ୍କ ଦେଶ ପ୍ରତି ଉତ୍ସଗୀକୃତ ଭାବନା ସୃଷ୍ଟି ହୋଇଥିଲା। ୧୯୩୯ରେ ସେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ(ଆରଏସଏସ)ରେ ଯୋଗ ଦେଇଥିଲେ। ବାବା ସାହେବ ଆପତେଙ୍କ ଦ୍ୱାରା ପ୍ରଭାବିତ ହୋଇ,୧୯୪୭ରେ ଆରଏସଏସର ପ୍ରଚାରକ ଭାବେ ବାଜପେୟୀ ଦାୟିତ୍ୱ ନେଇଥିଲେ। ଆରଏସଏସର ମୁଖପତ୍ର ପଞ୍ଚଜନ୍ୟ ପତ୍ରିକାରେ ସାମ୍ବାଦିକ ଭାବେ କ୍ୟାରିଅର ଆରମ୍ଭ କରିଥିଲେ ବାଜପେୟୀ। ପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଜନସଂଘ ନେତା ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ସଚିବ ଭାବେ ରାଜନୈତିକ ଜୀବନ ଆରମ୍ଭ କରିଥିଲେ ବାଜପେୟୀ।

୧୯୯୯ମସିହା ଅକ୍ଟୋବର ୧୩ ତାରିଖ ଦିନ ଜାତୀୟ ଗଣତାନ୍ତ୍ରିକ ସାମ୍ମୁଖ୍ୟ ନାମକ ଏକ ନୂତନ ମିଳିତ ସରକାରର ମୁଖ୍ୟ ଭାବେ ସେ କ୍ରମାଗତ ଭାବେ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ । ଏହା ପୂର୍ବରୁ ୧୯୯୬ ମସିହାରେ ସେ ଅଳ୍ପଦିନ ପାଇଁ ପ୍ରଧାନମନ୍ତ୍ରୀ ପଦ ମଣ୍ଡନ କରିଥିଲେ । ପଣ୍ଡିତ ଜବାହାରଲାଲ ନେହରୁଙ୍କ ପରେ ଶ୍ରୀ ବାଜପେୟୀ କ୍ରମାଗତ ଭାବେ ଦୁଇ ଥର ଜନସମର୍ଥନ ପାଇ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବାରେ ସେ ହେଉଛନ୍ତି ପ୍ରଥମ ପ୍ରଧାନମନ୍ତ୍ରୀ।

ଜଣେ ଧୂରୀଣ ସାଂସଦ ଭାବେ ଶ୍ରୀ ବାଜପେୟୀଙ୍କ ରାଜନୈତିକ ଜୀବନ ଚାରି ଦଶନ୍ଧିରୁ ଅଧିକ କାଳ ବ୍ୟାପ୍ତ । ସେ ଲୋକସଭାକୁ ୯ ଥର ନିର୍ବାଚିତ ହୋଇଥିବାବେଳେ, ରାଜ୍ୟସଭାକୁ ଦୁଇ ଥର ନିର୍ବାଚିତ ହୋଇଥିଲେ, ଯାହାକି ଏକ ରେକର୍ଡ।

୨୦୧୮ ମସିହା ଅଗଷ୍ଟ ୧୬ ତାରିଖରେ ନିରବି ଯାଇଥିଲେ ବାଜପେୟୀ। ୯୩ବର୍ଷ ବୟସରେ ସେହି ମହାନ ପୁରୁଷଙ୍କର ଦେହାନ୍ତ ହେଲା।ମାତ୍ର ଜଣେ ମହାନ ବକ୍ତା, ଜଣେ ଅଜାତଶତ୍ରୁ , ଲୋକତନ୍ତ୍ରିକ ମୂଲ୍ୟର ବାହକ, ରାଷ୍ଟ୍ରବାଦୀ କବି, କୁଶଳ ପ୍ରଶାସକ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଏ ଦେଶ ଚୀର ଦିନ ପାଇଁ ମନେ ରଖିବ।