ପୌର ଭୋଟ୍ ପଡିବା ପୂର୍ବରୁ ବିଜେଡି ବିରୋଧରେ ସାଂଘାତିକ ଅଭିଯୋଗ । ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଟଙ୍କା ବାଣ୍ଟୁଥିବା ଭିଡିଓ ଭାଇରାଲ୍ ।

ବିଜେପି ସାଂସଦ ଓ ବିଜେଡି ନେତ୍ରୀଙ୍କ ଭିତରେ ଟ୍ୱିଟର ଯୁଦ୍ଧ

176

କନକ ବ୍ୟୁରୋ: ପୌର ନିର୍ବାଚନ ପାଇଁ ପ୍ରଚାର ସରିବା ପରେ ଆରମ୍ଭ ହୋଇଛି ଅନ୍ଧାରୀବିଜେ । ଭୋଟ ହାତେଇବାକୁ ଭୋଟରଙ୍କୁ ଟଙ୍କା ବାଣ୍ଟିଲେ ରାଜନୈତିକ ଦଳ । ଟଙ୍କାବଣ୍ଟାକୁ ନେଇ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ଓ ବିଜେଡି ମୁଖପାତ୍ର ସୁଲତା ଦେଓଙ୍କ ମଧ୍ୟରେ ହୋଇଛି ଟ୍ୱିଟର ୱାର । ବିଜେଡି ନେତା ଟଙ୍କା ବାଣ୍ଟୁଥିବା ନେଇ ଅପରାଜିତା ସିଧାସଳଖ ଅଭିଯୋଗ କରିଥିଲେ । ଯାହାର ଜବାବ ରଖି ସୁଲତା ଦେଓ କହିଥିଲେ, ସାଢ଼େ ଚାରିକୋଟି ଓଡିଆଙ୍କୁ ଅପମାନିତ କରନ୍ତୁ ନାହିଁ ।

  • ପ୍ରଚାର ଶେଷ ହେବା ପରେ ଚାଲିଛି ଅସଲ ଖେଳ!
  • ଭୋଟରଙ୍କୁ ପ୍ରଭାବିତ କରିବାକୁ ବଣ୍ଟା ଯାଉଛି ଟଙ୍କା

କେନ୍ଦୁଝରରେ ଟଙ୍କା ବଣ୍ଟା ଯାଉଥିବା ନେଇ ଏକ ଟ୍ୱିଟକୁ ରିଟ୍ୱିଟ୍ କରିଥିଲେ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ । ବିଜେଡି ନେତା ଟଙ୍କା ବାଣ୍ଟୁଥିବା ନେଇ ସେ ସିଧାସଳଖ ଅଭିଯୋଗ କରିଥିଲେ । ଟଙ୍କା ନଦେଲେ ଦଳ ଜିତି ପାରିବନାହିଁ କି ବୋଲି ଟ୍ୱିଟ୍ କରି ପ୍ରଶ୍ନ କରିଥିଲେ ସାଂସଦ । ଆଉ ଏହାପରେ ଅପରାଜିତାଙ୍କୁ ଟ୍ୱିଟ୍ କରି ଟାର୍ଗେଟ୍ କରିଛନ୍ତି ବିଜେଡି ମୁଖପାତ୍ର ସୁଲତା ଦେଓ । କହିଛନ୍ତି, ସାଢ଼େ ଚାରିକୋଟି ଓଡିଆଙ୍କୁ କରନ୍ତୁ ନାହିଁ ଅପମାନିତ । ଓଡିଆମାନଙ୍କ ଆତ୍ମସମ୍ମାନ ଓ ସ୍ୱାଭିମାନ ରହିଛି ।

କିଏ ବାଣ୍ଟୁଛି ଭୋଟରଙ୍କୁ ଟଙ୍କା?

ଭୋଟ ପାଇଁ ନୋଟ୍ ବଣ୍ଟା ଚାଲିଛି ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ୱାଡରେ । ଅଭିଯୋଗ ଅନୁସାରେ ବିଜେଡିର କିଛି କର୍ମୀ ଟଙ୍କା ବାଣ୍ଟିବା ବେଳେ ସ୍ୱାଧିନ ପ୍ରାର୍ଥୀଙ୍କ ସମର୍ଥକ ତାଙ୍କୁ ଅଟକାଇଥିଲେ । ରାତି ପ୍ରାୟ ୧୨ଟା ସମୟରେ ବାରିପଦାର ୧୭ ନମ୍ବର ୱାର୍ଡରେ ଟଙ୍କା ବାଣ୍ଟୁଥିବା ଅଭିଯୋଗରେ ବିଜେଡି ପୂର୍ବତନ କାଉନସିଲର ବୀଣାପାଣି ସାହୁ ଓ ଅନ୍ୟ ବିଜେଡି କର୍ମୀଙ୍କୁ ଅଟକ ରଖିଥିଲେ ଲୋକେ ।

ସେହିପରି ବାରିପଦା ୨୦ ନମ୍ବର ୱାର୍ଡରେ ବିଜେଡି କର୍ମୀ ଟଙ୍କା ବାଣ୍ଟୁଥିବାବେଳେ ସ୍ଥାନୀୟ ଲୋକେ ତାଙ୍କୁ କାବୁ କରିଥିବା ଅଭିଯୋଗ ହୋଇଛି । ପ୍ରବଳ ବିରୋଧ ହେବାରୁ କର୍ମୀ ନିଜକୁ ଶୁଖୁଆ ବେପାରୀ କହି ଟଙ୍କା ବ୍ୟାଗ ଛାଡି ତରବରିଆ ଭାବେ ଚାଲି ଯାଇଥିଲେ । ଅଭିଯୋଗ ଅନୁସାରେ ବିଜେଡି ପ୍ରାର୍ଥୀ ଅରୁଣ କୁମାର ମହାନ୍ତି ଓ ତାଙ୍କ ସମର୍ଥକ ଶୂନଗାଡିଆ ଅଞ୍ଚଳରେ ଚିରକୁଟ ସହ ଟଙ୍କା ବାଣ୍ଟୁଥିଲେ ।

ଅନ୍ୟପଟେ ରାଜଧାନୀ ଭୁବନେଶ୍ୱର ଓ ବାଲେଶ୍ୱରରୁ ଆସିଛି ଭୋଟ ପାଇଁ ନୋଟ୍ର ଭିଡିଓ । ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ୬୩ ନମ୍ବର ୱାର୍ଡରେ ପ୍ରାର୍ଥୀ ଟଙ୍କା ବାଣ୍ଟୁଥିବା ଭିଡିଓ ଭାଇରାଲ ହେଉଛି । ଏକ ଡାଏରୀରେ ବିଜେଡି କର୍ପୋରେଟର ପ୍ରାର୍ଥୀ ଭୋଟର ତାଲିକା ଲେଖିି, ହିସାବ କରି ଲୋକଙ୍କ ହାତକୁ ଟଙ୍କା ବଢାଇ ଦେଉଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ସେପଟେ ବାଲେଶ୍ୱରରେ ମଧ୍ୟ ବିଜେଡି କର୍ପୋରେଟର ପ୍ରାର୍ଥୀ ଟଙ୍କା ବାଣ୍ଟୁଥିବା ଭିଡିଓ ସାମ୍ନାକୁ ଆସିଛି । ବାଲେଶ୍ୱର ଜିଲ୍ଲା ରେମୁଣା ଅଞ୍ଚଳର ୬ ନମ୍ବର ୱାର୍ଡର ବିଜେଡି କର୍ପୋରେଟର ଲୋକଙ୍କୁ ଗଣି ହାତରେ ଟଙ୍କା ଗୁଞ୍ଜି ଦେଉଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ପଞ୍ଚାୟତ ନିର୍ବାଚନରେ ବିପୁଳ ବିଜୟ ସତ୍ତ୍ୱେ ବିଜେଡି ଦଳ ଟାଙ୍କା ବାଣ୍ଟୁଥିବାର ଅଭିଯୋଗ ବଢିବାରେ ଲାଗିଛି । ତେଣୁ ପ୍ରଶ୍ନ ଉଠୁଛି ଗାଁ ଭୋଟରଙ୍କ ମତଠାରୁ ସହରୀ ଭୋଟରଙ୍କ ମତ ଭିନ୍ନ ହେବା ନେଇ ଶାସକ ଦଳ ଆଶଙ୍କିତ ହୋଇପଡିଛି କି ?