ବରିହା ପରିବାର ଉପରେ ବିଜେଡିର ଭରଷା। ବର୍ଷା ସିଂ ବରିହାଙ୍କୁ ପଦ୍ମପୁର ବିଜେଡି ଟିକେଟ୍।

164

କନକ ବ୍ୟୁରୋ : ବହୁ ଅଙ୍କକଷା ପରେ ଶେଷରେ ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଶାସକ ଦଳ ବିଜେଡି । ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ବଡ ଝିଅ ବର୍ଷା ସିଂ ବରିହାଙ୍କୁ ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜୁ ଜନତା ଦଳ । ଏନେଇ ଦଳ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି । ଟିକେଟ ମିଳିବା ପରେ ବର୍ଷା ପ୍ରତିକ୍ରିୟାରେ କହିଛନ୍ତି, ପରିବାରରୁ ଜଣଙ୍କୁ ଟିକେଟ ମିଳିଥିବାରୁ ସେ ଖୁସି । ବାପାଙ୍କ କାମକୁ ଦେଖି ତାଙ୍କୁ ଟିକେଟ ମିଳିଛି ।

ପଦ୍ମପୁର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ କରିଥିବା ବର୍ଷା ସିଂ, ଦିବଙ୍ଗତ ବିଧାୟକ ବିଜୟରଞ୍ଜନ ସିଂ ବରିହାଙ୍କ ଝିଅ ହୋଇଥିବାବେଳେ, ବିଜେପି ନେତା ରମାରଞ୍ଜନ ବଳିୟାରସିଂହଙ୍କ ବୋହୁ । ଏଥିସହ ବର୍ଷା ଜଣେ ଉଚ୍ଚଶିକ୍ଷିତ ମହିଳା । ବିଜେବି କଲେଜରେ ସ୍ନାତକ ପରେ ଇତିହାସରେ ସ୍ନାତୋକତ୍ତୋର ଓ ବେଙ୍ଗାଲୁରରେ ଏଲଏଲବି କରିଛନ୍ତି । ଆଉ ବର୍ଷାଙ୍କୁ ଟିକେଟ୍ ଦେଇ ବିଜେଡି ଉଭୟ ଅନୁକମ୍ପା ଓ ମହିଳା ଭୋଟକୁ ନିଜ ସପକ୍ଷରେ ନେବାକୁ ଓ ପଦ୍ମପୁର ଉପନିର୍ବାଚନରେ ବାଜିମାତ କରି ବିଜୟଧାରାକୁ ଫେରିବାକୁ ଲକ୍ଷ୍ୟ ରଖିଥିବା ଚର୍ଚ୍ଚା ହେଉଛି ।

ପଦ୍ମପୁର ଉପନିର୍ବାଚନରେ ବର୍ଷା ସିଂଙ୍କୁ ବିଜେଡି ଟିକେଟ ଦେବା ପରେ ସବୁଠୁ ଅଡୁଆରେ ପଡିଛନ୍ତି ବିଜେପି ନେତା ତଥା ପୂର୍ବତନ ବିଧାୟକ ରମାରଞ୍ଜନ ସିଂ ବଳିୟାରସିଂ । ଏହି ବରିଷ୍ଠ ନେତା ଏଥର କାହା ପାଇଁ ପ୍ରଚାର କରିବେ? ବୋହୂ ପାଇଁ ନାଁ ନିଜ ଦଳ ବିଜେପି ପାଇଁ? ତା ଉପରେ ରହିଛି ସମସ୍ତଙ୍କ ନଜର । ତେବେ ରମାରଞ୍ଜନ ବଳିୟାର ସିଂ କହିଛନ୍ତି, ସେ ବିଜେପିର ଜଣେ ଶୃଙ୍ଖଳିତ କର୍ମୀ । ତେବେ ବୋହୂ ପ୍ରତି ସ୍ନେହ, ସଦିଛା, ଆର୍ଶୀବାଦ ରହିବ ।

ଧାମନଗର ଭଳି ପଦ୍ମପୁର ଉପନିର୍ବାଚନ ବେଶ ରୋଚକ ହେବାକୁ ଯାଉଛି । ପୂର୍ବରୁ ଏହି ଆସନଟି ଶାସକ ଦଳ କବଜାରେ ଥିଲେ ବି ବିଜେପି ଓ କଂଗ୍ରେସ ପ୍ରାର୍ଥୀ ବିଭିନ୍ନ ପ୍ରସଙ୍ଗକୁ ନେଇ ପଦ୍ମପୁର ନିର୍ବାଚନ ତାତିକୁ ବଢ଼ାଇ ଦେଇଛନ୍ତି । ଯାହା ଆଗକୁ ଆହୁରି ରୋଚକ ହେବ ।