ନୀରଜଙ୍କ ସଫଳତା ପଛରେ ରହିଛି ସଂଘର୍ଷ । ନିଜ ଓଜନ କମାଇବା ପାଇଁ ଜାଭଲେନ୍ ଥ୍ରୋକୁ ବାଛି ଦେଇଥିଲେ ନିରଜ

195

କନକ ବ୍ୟୁରୋ: ପ୍ରତି ସଫଳତା ପଛରେ ସଂଘର୍ଷ ଥାଏ । ଆଉ ସବୁ ସଂଘର୍ଷ ପଛରେ ଗୋଟିଏ ଗୋଟିଏ କାହାଣୀ । ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ବିଜେତା ନିରଜ ଚୋପ୍ରାଙ୍କ କାହାଣୀରେ ଭରି ରହିଛି ଏମିତି ରୋଚକ ତଥ୍ୟ । ଓଜନ କମାଇବା ପାଇଁ ଜାଭଲିନ୍ ଆଡକୁ ଆକର୍ଷିତ ହୋଇଥିବା ନିରଜ, ସଫଳରେ ଯେଉଁ ଶୀର୍ଷରେ ପହଂଚିଛନ୍ତି, ଆଜି ଯାଏଁ କେହି ପହଂଚିପାରିନଥିଲେ । ଆଉ ଏସବୁ ଭିତରେ କଳିଙ୍ଗ ଷ୍ଟାଡିୟମ୍ ସହ ନିରଜଙ୍କ ସମ୍ପର୍କ ବି ବେଶ ନିବିଡ଼ ।

ସେତେବେଳେ ବିଶ୍ୱାସ ଥିଲା, କିନ୍ତୁ କେହି ନିଶ୍ଚିତ ନଥିଲେ । କଳିଙ୍ଗ ଷ୍ଟାଡିୟମ୍ରେ ଯେତେବେଳେ ନିରଜ ଝାଳ ବୁହାଉଥିଲେ, ସେତେବେଳେ ସ୍ପଷ୍ଟ ବାରି ହେଉଥିଲା, ତାଙ୍କ ଲକ୍ଷ୍ୟ । ମାହାମାରୀର ଭୟ ଭିତରେ ବି କଳିଙ୍ଗ ଷ୍ଟାଡିୟମ୍ରେ ରହି ଅଲିମ୍ପିକ୍ସ ପାଇଁ ଯେଉଁ ସାଧନା କରୁଥିଲେ, ତାହା ଆଜି ସଫଳତା ଆଣିଛି ।

କିନ୍ତୁ ଏହି ସଫଳତା ଏତେ ସହଜ ନଥିଲା । ଗରିବ ଚାଷୀ ପରିବାରରୁ ଆସିଥିବା ନିରଜଙ୍କ ଜୀବନର ମୋଡ଼ା ବଦଳାଇ ଦେଲା, ଭାରତୀୟ ସେନା । ରାଜପୁତାନା ରାଇଫଲ୍ସରେ ନାଏବ୍ ସୁବେଦାର ଭାବେ ଯୋଗ ଦେବା ପରେ ତାଙ୍କ ଲକ୍ଷ୍ୟ, ହାସଲ ଆହୁରୀ ସହଜ ହୋଇଯାଇଥିଲା । କ୍ରୀଡ଼ାରେ ଥିବା ପ୍ରତିଭା ଯୋଗୁଁ ତାଙ୍କୁ ଅରାମରେ ମିଶନ୍ ଅଲିମ୍ପିକ୍ସ ୱିଙ୍ଗ୍ରେ ସ୍ଥାନ ମିଳିଯାଇଥିଲା ।

ନିଜ ଓଜନ କମାଇବା ପାଇଁ ଜାଭଲେନ୍ ଥ୍ରୋକୁ ବାଛି ଦେଇଥିଲେ ନିରଜ । ଯାହା ଇତିହାସ ରଚିବା ପାଇଁ ବାଟ ଖୋଲି ଦେଇଥିଲା । ପୁଅର ରୁଚିକୁ ଦେଖି ବାପା-ମାଙ୍କ ମନା କରିନଥିଲେ । ଆଉ ଆଗକୁ ଆଗକୁ ବଢ଼ି ଚାଲିଥିଲେ ନିରଜ ।

ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ସହ ନିରଜଙ୍କ ସମ୍ପର୍କ ବି ବେଶ ନିବିଡ଼ । ଟୋକିଓ ଅଲିମ୍ପିକ୍ସ ପାଇଁ ଭୁବନେଶ୍ୱର ଅଭ୍ୟାସ୍ କରିବା ପୂର୍ବରୁ ୨୦୧୭ ଏସିଆନ୍ ଚାମ୍ପିୟନ୍ସିପ୍ରେ ମଧ୍ୟ ବିଜୟୀ ହୋଇଥିଲେ । ନିରଜ ଏବେ କେବଳ ଗୋଟିଏ ନାଁ ନୁହେଁ ବରଂ ଏକ ବ୍ରାଣ୍ଡ୍ । ଯେଉଁ ବ୍ରାଣ୍ଡକୁ ନେଇ ପ୍ରତିଟି ଭାରତୀୟ ଗର୍ବ ।