ଟୋକିଓ ଅଲିମ୍ପିକ୍ସ : ୭ ଟି ପଦକ ହାସଲ କରି ୪୮ ନମ୍ବର ସ୍ଥାନରେ ଭାରତ , ସମାପନ ସମାରୋହରେ ବଜରଙ୍ଗ ପୁନିଆ ଧରିଲେ ତ୍ରୀରଙ୍ଗା

314

କନକ ବ୍ୟୁରୋ : ୧୭ ଦିନ ଧରି ଚାଲିଥିବା ଟୋକିଓ ଅଲିମ୍ପିକ୍ସର ‘ଖେଳ ମହାକୁମ୍ଭ’ ଆଜି ସମାପ୍ତ ହୋଇଛି । ଏହି ଖେଳ ମହାକୁମ୍ଭରେ ଭାରତ ଗୋଟିଏ ସ୍ୱର୍ଣ୍ଣ, ଦୁଇଟି ରୋପ୍ୟ ଓ ୪ ଟି ବ୍ରୋଞ୍ଜ ପଦକ ହାସଲ କରିଛି । ଏହି ୭ ଟି ପଦକ ପାଇଁ ପଦକ ତାଲିକାରେ ୪୮ ନମ୍ବର ସ୍ଥାନରେ ରହିଛି ଭାରତ । ଆଜିର ସମାପନ ସମାରୋହରେ ବ୍ରୋଞ୍ଜ ପଦକ ବିଜେତା ବଜରଙ୍ଗ ପୁନିଆ ଭାରତୀୟ ଖେଳାଳୀଙ୍କ ତରଫରୁ ତ୍ରୀରଙ୍ଗା ଧରିଥିଲେ । ଉଦଘାଟନ ଉତ୍ସବରେ ଖେଳାଳୀମାନେ ଯେଭଳି ପାରମ୍ପାରିକ ପୋଷାକ ପରିଧାନ କରିଥିଲେ ସମାପନ ସମାରୋହରେ ସେହିଭଳି ଟ୍ରାକ ସୁଟ ପିନ୍ଧିଥିବା ଦେଖିବାକୁ ମିଳିଥିଲା । କୋଭିଡ କଟକଣାକୁ ନଜରରେ ରଖି ସମାପନ ସମାରୋହରେ ଅଳ୍ପକିଛି ଖେଳାଳୀଙ୍କୁ ସାମିଲ କରାଯାଇଥିଲା । କହିରଖୁ କି ଉଦଘାଟନୀ ସମାରୋହରେ ଭାରତ ତରଫରୁ ପୁରୁଷ ହକି ଟିମର କ୍ୟାପଟେନ ମନପ୍ରୀତ ସିଂ ଓ ମୁଷ୍ଟିଯୋଦ୍ଧା ମ୍ୟାରିକମ୍ ତ୍ରୀରଙ୍ଗା ଧରିଥିଲେ ।

କହିରଖୁ କି ଅଲିମ୍ପିକ୍ସ ଖେଳ ସମାରୋହ ଅନ୍ୟ ସବୁ ଖେଳ ସମାରୋହ ଠାରୁ ସମ୍ପୂର୍ଣ୍ଣ ଭିନ୍ନ, ଅନ୍ୟପଟେ କରୋନା ମହାମାରୀ ଭିତରେ ଯେଭଳି ଭାବେ ଟୋକିଓ ଅଲିମ୍ପିକ୍ସର ଆୟୋଜନ ସୂଚାରୁ ରୂପେ ହୋଇପାରିଲା ତାହା ସାରା ବିଶ୍ୱ ପାଇଁ ଏକ ବିଶେଷ ଅନୁଭବ ଦେଇଛି । ଏହି ଖେଳ ମହାକୁମ୍ଭରେ ୨୦୫ ଟି ଦେଶ, ୩୩ ପ୍ରକାର ପ୍ରତିଯୋଗୀତି, ୩୩୩ ଇଭେଣ୍ଟ ଓ ୧୧ ହଜାରରୁ ଅଧିକ ଖେଳାଳୀ ଭାଗ ନେଇଥିଲେ । ଏହାସହ ଟୋକିଓ ଅଲିମ୍ପିକ୍ସରେ ଏଥର ଭାରତ ସବୁଠାରୁ ବଡ ଟିମ (୧୨୮) ପହଂଚିଥିଲା । ସେମାନେ ମୋଟ ୧୮ ପ୍ରକାର କ୍ରିଡାରେ ଭାଗ ନେଇଥିଲେ । ସମସ୍ତ ଖେଳାଳୀ ସେଠାରେ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଚେଷ୍ଟା କରିଥିଲେ । କିଛି ଖେଳାଳୀ ପଦକ ହାସଲ କରିଥିଲେ ଓ କିଛି ଖେଳାଳୀ ପଦକରୁ ଅଳ୍ପକେ ବଞ୍ଚିତ ହୋଇଥିଲେ ।