୯୨ ଲୋକଙ୍କୁ ନେଇ ଉଡିଥିଲା ସାଣ୍ଟିଆଗୋର ବିମାନ-୫୧୩ । ମଝି ଆକାଶରୁ ହଠାତ ହୋଇଗଲା ଉଭାନ । ୩୫ ବର୍ଷ ପରେ ଅଚାନକ କଲା ଅବତରଣ । ବିମାନ ଭିତରୁ ମିଳିଲା ୯୨ଟି ନର କଙ୍କାଳ

4,746

କନକ ବ୍ୟୁରୋ : ବିଶ୍ୱରେ ସୃଷ୍ଟିକର୍ତ୍ତା ଯେତିକି ଆଶ୍ଚର୍ଯ୍ୟ ଭରି ଦେଇଛନ୍ତି ତା ଠାରୁ ଅଧିକ ଆଶ୍ଚର୍ଯ୍ୟ ବିଜ୍ଞାନ ଦେଉଛି । ହେଲେ ବିଜ୍ଞାନ ତଥ୍ୟ ଓ ସତ୍ୟ ଆଧାରରେ ଆଶ୍ଚର୍ଯ୍ୟ ଭରି ଦେଉଥିବା ବେଳେ ସୃଷ୍ଟିକର୍ତ୍ତାଙ୍କ କିଛି ଆଶ୍ଚର୍ଯ୍ୟ ଉପରୁ ପରଦା ହଟାଇବାରେ ଏବେ ବି ବିଜ୍ଞାନ ବିଫଳ ହୋଇଛି । ଏମିତି ଏକ ଆଶ୍ଚର୍ଯ୍ୟଭରା କାହାଣୀ ରହିଛି ସାଣ୍ଟିଆଗୋରେ । ଏହି ଆଶ୍ଚର୍ଯ୍ୟ ଉପରୁ ଏବେ ବି ପରଦା ହଟିପାରି ନାହିଁ ।

ଜର୍ମାନୀର ସାଣ୍ଟିଆଗୋ ବେଶ୍ ରୋମାଞ୍ଚକର ସହର । ଏଠାରେ ୧୯୮୯ ମସିହାରେ ଏକ ଖବର କାଗଜର ଖବର ସାରା ବିଶ୍ୱକୁ ଚକିତ କରିଦେଇଥିଲା । ଖବର ଏଭଳି ଥିଲା କି ୩୫ ବର୍ଷ ଧରି ମଝିଆକାଶରୁ ଉଭାନ ହୋଇଯାଇଥିବା ବିମାନ ଏବେ ଅବତରଣ କରିଛି । ଆଉ ଏହି ବିମାନ ଭିତରେ ଥିବା ସମସ୍ତ ୯୨ ଜଣ ଯାତ୍ରୀଙ୍କ କଙ୍କାଳ ରହିଛି । ଏହି ଖବର ସେତେବେଳେ ସାରା ବିଶ୍ୱକୁ ଚକିତ କରିଦେଇଥିଲା ।

ଜର୍ମାନର ଖବର କାଗଜ ମୁତାବକ ୧୯୫୪ ମସିହାରେ ଜର୍ମାନୀର ସାଣ୍ଟିଆଗୋରୁ ବିମାନ-୫୧୩ ୯୨ ଜଣ ଯାତ୍ରୀଙ୍କୁ ନେଇ ଉଡାଣ ଭରିଥିଲା । ଉଡାଣ ଭରିବାର କିଛି ସମୟ ପରେ ସେ କଣ୍ଟ୍ରୋଲରୁମର ରାଡାରରୁ ବାହାରି ଯାଇଥିଲା । ଏହାପରେ କୌଣସି ପରିସ୍ଥିତିରେ ବିମାନକୁ ଟ୍ରାକ୍ କରିବା ସମ୍ଭବପର ହୋଇନଥିଲା । କଣ୍ଟ୍ରୋଲ ରୁମ ଠାରୁ ବିମାନରେ ଥିବା ଯାତ୍ରୀଙ୍କ ପରିବାର ବି ସବୁ ଆଶା ଛାଡି ଦେଇଥିଲେ । ହେଲେ ହଠାତ ୧୯୮୯ ରେ ଜର୍ମାନର ଏକ ଖବର କାଗଜରେ ଖବର ଛପାଗଲା ଯେ ବ୍ରାଜିଲର ଏକ ବିମାନ ବନ୍ଦରରେ ଏହି ବିମାନଟି ଅବତରଣ କରିଛି । ଆଉ ଏହି ବିମାନ ଭିତରେ ରହିଛି ୯୨ ଯାତ୍ରୀଙ୍କ କଙ୍କାଳ ।

ଖବର ମୁତାବକ ବିମାନଟି ୩୫ ବର୍ଷ ପୂର୍ବେ ଫ୍ରାନ୍ସରୁ ନିଖୋଜ ହୋଇଯାଇଥିଲା । ହେଲେ ବ୍ରାଜିଲ ବିମାନ ବନ୍ଦରରେ ବିମାନଟି ଅଚାନକ ଅବତରଣ କରିବା ପୂର୍ବରୁ ନା ଏୟାର ଟ୍ରାଫିକ କଣ୍ଟ୍ରୋଲରୁ ଅନୁମତି ନେଇଥିଲା ନା ଏଟିସିକୁ ବିମାନ ଅବତରଣ ବାବଦରେ ସୂଚନା ମିଳିଥିଲା । ଏହାପରେ ବିମାନ ବନ୍ଦର ସୁରକ୍ଷା କର୍ମଚାରୀମାନେ ବିମାନ ନିକଟରେ ପହଂଚି ଦେଖନ୍ତି ତ ବିମାନ ଭିତରେ କେବଳ ୯୨ଟି କଙ୍କାଳ ରହିଛି । ଏହା ସେତେବେଳେ ସୁରକ୍ଷାକର୍ମୀଙ୍କୁ ଚକିତ କରିଦେଇଥିଲା ।

ଏସବୁ ରହସ୍ୟ ଉପରୁ ଏପର୍ଯ୍ୟନ୍ତ ପରଦା ହଟିପାରି ନାହିଁ । ହେଲେ କିଛି ଲୋକ କହନ୍ତି କି ବିମାନଟି ସମୟର ଭଉଁରୀ ଭିତରେ ଫଶି ଯାଇଥିଲା । ସେ ଯାହା ବି ହେଉ ବିମାନକୁ ନେଇ ବିଶ୍ୱର ଅନେକ ଚକିତ କରିଦେବା ଭଳି ଖବର ରହିଛି । ହେଲେ କିଛି ଖବର ଉପରୁ ପରଦା ହଟିଥିଲେ ମଧ୍ୟ ଏହି ବିମାନ-୫୧୩ ସହ ଘଟିଥିବା ଘଟଣା ଆଜିବି ରହସ୍ୟ ହୋଇ ରହିଛି ।