ପିଆଜ କିଣିଲେ ବୋହୁଛି ଲୁହ: ମାସକ ଭିତରେ ଦାମ ହେଲାଣି ଦୁଇ ଗୁଣା

444

କନକ ବ୍ୟୁରୋ: ପିଆଜର ଦର ଆଖିଲେ ଲୁହ ଆଣି ଦେଇଛି । ମାସକ ଭିତରେ ପିଆଜର ଦର ଦୁଇ ଗୁଣା ବୃଦ୍ଧିପାଇଛିି । ଖୁଚୁରା ବଜାରରେ ପିଆଜ କିଲୋ କେଉଁଠି ୫୦ ଟଙ୍କା ତ କେଉଁଠି ୬୦ ଟଙ୍କା ହେଲାଣି । ରୋଷେଇ ଶାଳର ଆବଶ୍ୟକ ସାମଗ୍ରୀ ପିଆଜର ଏଭଳି ଦର ବୃଦ୍ଧି ଖାଉଟିଙ୍କୁ ବାଧୁଛି । ସେପଟେ ଚାହିଦା ମୁତାବକ ଯୋଗାଣ ହେଉନଥିବାରୁ ଦର ବଢୁଥିବା କହିଛନ୍ତି ବ୍ୟବସାୟୀ । ଏଥିପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି ।

ସକାଳ ହେଲେ ଦହିବରା ଦୋକାନରେ ଜମିଯାଏ ଭିଡ଼ । ଆଉ ଗ୍ରାହକଙ୍କୁ ସୁଆଦିଆ ଦହିବରା ପରସି ଦିଅନ୍ତି ଅକ୍ଷୟ । ସବୁଦିନ ଭଳି ଆଜି ବି ଭୁବନେଶ୍ୱରର ଏଜି ଛକ ପାଖରେ ଗ୍ରାହକଙ୍କୁ ଦହିବରା ପରସୁଛନ୍ତି ଅକ୍ଷୟ । ହେଲେ ଦହିବରା ପ୍ଲେଟରୁ କମିଯାଇଛି ପିଆଜ । ବଜାରରେ ପିଆଜ ଦର ବଢୁଥିବାରୁ ଏହାର ସିଧା ପ୍ରଭାବ ପଡିଛି ଦହିବରା ବ୍ୟବସାୟୀଙ୍କ ଉପରେ ।

ମାସକ ଭିତରେ ପିଆଜର ଦର ଦୁଇ ଗୁଣା ବୃଦ୍ଧିପାଇଛିି । ଏବେ ପିଆଜ କାଟିବା ଅପେକ୍ଷା କିଣିଲା ବେଳକୁ ଆଖିରୁ ବୋହୁଛି ଲୁହ । ଏହାର ସିଧା ପ୍ରଭାବ ପଡିଛି ସାଧାରଣ ଖାଉଟିଙ୍କ ଉପରେ । କେଉଁଠି ୫୦ ଟଙ୍କା ତ କେଉଁଠି ୬୦ ଟଙ୍କା ହେଲାଣି ପିଆଜ ଦର । ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ଖାଉଟି । ଚାହିଦା ମୁତାବକ ଯୋଗାଣ ହ୍ରାସ ପାଉନଥିବାରୁ ଦର ବଢ଼ିଥିବା କହିଛନ୍ତି ବ୍ୟବସାୟୀ ।

ପିଆଜ ଦର ନିୟନ୍ତ୍ରଣ ହେଉନଥିବାରୁ ଏଥିପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛି ରାଜ୍ୟ ବ୍ୟବସାୟୀ ସଂଘ । ନାସିକ, ବେଙ୍ଗାଲୁରୁ ଓ ଆନ୍ଧ୍ରପ୍ରଦେଶରେ ପିଆଜ ଚଢା ଦରରେ ବିକ୍ରି ହେଉଥିବାରୁ ତାହାର ପ୍ରଭାବ ଓଡିଶା ଉପରେ ପଡିଛି । ତେବେ ନାଫେଡର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଛି ରାଜ୍ୟ ବ୍ୟବସାୟୀ ସଂଘ । ନୋ ଲସ୍ ନୋ ପ୍ରଫିଟ ଆଭିମୁଖ୍ୟରେ ନାଫେଡ କାମ କରୁ ବୋଲି କହିଛି ସଂଘ ।

ନୂଆ ପିଆଜ ଅମଳରେ ବିଳମ୍ବ ଘଟୁଥିବାରୁ ଏପରି ସ୍ଥିତି ଦେଖାଦେଇଛି ବୋଲି ଆକଳନ କରିଛନ୍ତି ବଜାର ବିଶେଷଜ୍ଞ । ନଭେମ୍ବର ମଧ୍ୟଭାଗରେ ବଜାରକୁ ନୂଆ ପିଆଜ ଆସିଲେ ଦର କମିଯିବ ବୋଲି କୁହାଯାଉଛି ।