ଏତଲା ପଞ୍ଜିକରଣରେ ପୁଲିସ ନିଷ୍କ୍ରିୟତାକୁ ନେଇ ହାଇକୋର୍ଟଙ୍କ କଡା ଆଭିମୁଖ୍ୟ । ନିୟମ ପାଳନ କରୁନଥିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ । 

232

କନକ ବ୍ୟୁରୋ: ଏତଲା ପଞ୍ଜିକରଣରେ ପୁଲିସ ନିଷ୍କ୍ରିୟତାକୁ ନେଇ ହାଇକୋର୍ଟ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ବାରମ୍ବାର ତାଗିଦ୍ ସତ୍ୱେ ପୁଲିସ ଅଧିକାରୀମାନେ ନିୟମ ଅବହେଳା କରୁଥିବାରୁ ସେମାନଙ୍କୁ ସତର୍କ କରାଇଛନ୍ତି କୋର୍ଟ । ନିୟମ ପାଳନ କରୁନଥିବା ଅଫିସରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏହି ପ୍ରସଙ୍ଗରେ ଜବାବ ଦାଖଲ ପାଇଁ ପୁଲିସ ଡିଜିଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ଡକ୍ଟର ସଞ୍ଜୀନ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ଆବଦେନର ଶୁଣାଣି କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ଖଣ୍ଡପୀଠ କହିଛନ୍ତି, ନାଗରିକମାନେ ଥାନାକୁ ବହୁ ସଂଖ୍ୟାରେ ଅଭିଯୋଗ କରିବାକୁ ଯାଉଛନ୍ତି, ହେଲେ ସେହି ଅନୁପାତରେ ମାମଲା ପଞ୍ଜିକରଣ କରାଯାଉନାହିଁ । ଏ ସମ୍ପର୍କିତ ସମସ୍ତ ନିୟମାବଳୀ ରାଜ୍ୟର ସବୁ ଥାନାରେ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ପ୍ରଦର୍ଶନ କରାଯିବା ଜରୁରୀ । ପୁଲିସ ଡିଜି ଏହା ସୁନିଶ୍ଚିତ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଡିସେମ୍ବର ୨୧ ତାରିଖ ସୁଦ୍ଧା ଏନେଇ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ଏବଂ ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୨୨ ତାରିଖକୁ ଧାର୍ଯ୍ୟ କରିଛନ୍ତି ଖଣ୍ଡପୀଠ ।