ଏମିତି ଏକ ଏଟିଏମ୍ ଯେଉଁଥିରୁ ବାହାରୁଛି ସୁନାର କଏନ୍ .. ଭାରତରେ ନୁହଁ ବିଶ୍ୱରେ ପ୍ରଥମଥର ପାଇଁ ଖୋଲିଛି ରିୟଲ୍-ଟାଇମ୍ ଗୋଲ୍ଡ ଏଟିଏମ୍ । ଟଙ୍କା ନୁହଁ କାର୍ଡ ଦେଖାଇଲେ ବାହାରୁଛି ସୁନା

136

ଏଟିଏମ୍ କହିଲେ ସାଧାରଣ ଭାଷାରେ ଟଙ୍କା ଉଠାଇବା ମେସିନକୁ ହିଁ ବୁଝାଇଥାଏ । କିନ୍ତୁ ଆମେ ଯଦି ଆପଣଙ୍କୁ କହୁ କି ଏପରି ଏକ ଏଟିଏମ୍ ରହିଛି ଯେଉଁଥିରୁ ଟଙ୍କା ବଦଳରେ ସୁନା ବାହାରୁଛି ତେବେ ଆପଣ ତାଜୁବ୍ ହେବେ ନିଶ୍ଚୟ । ଆଜ୍ଞା ହଁ ଖବରଟି ସମ୍ପୁର୍ଣ୍ଣ ସତ୍ୟ । ଦେଶରେ ପ୍ରଥମଥର ପାଇଁ ହାଇଦ୍ରାବାଦରେ ଏମିତି ଏକ ଏଟିଏମ୍ ତିଆରି ହୋଇଛି ଯେଉଁଥିରୁ ଟଙ୍କା ବଦଳରେ ସୁନାର କଏନ୍ ବାହାରୁଛି ।

ସୁନା କିଣାବିକାର ବ୍ୟବସାୟ କରୁଥିବା କମ୍ପାନୀ ‘ଗୋଲ୍ଡସିକ୍କା’ ଦ୍ୱାରା ଏହି ଏଟିଏମ୍ ଲଗାଯାଇଛି । ଗୋଲ୍ଡ ଏଟିଏମ୍ ଜରିଆରେ ଗ୍ରାହକ ନିଜର ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ ଦ୍ୱାରା ସୁନାର କଏନ୍ କିଣିପାରିବେ । ଯେଉଁଥିରେ ୦.୫ ଗ୍ରାମରୁ ଆରମ୍ଭ କରି ୧୦୦ ଗ୍ରାମ ପର୍ଯ୍ୟନ୍ତ ସୁନାର ମାତ୍ରାର ୮ ଟି ବିକଳ୍ପ ଉପଲବ୍ଧ ରହିଛି । ଗୋଲ୍ଡସିକ୍କା ପ୍ରାଇଭେଟ୍ ଲିମିଟେଡ୍ ଡିସେମ୍ବର ୩ ତାରିଖରେ ହାଇଦ୍ରାବାଦ ସ୍ଥିତ ଷ୍ଟାର୍ଟଅପ୍ କମ୍ପାନୀ ଏମ୍/ଏସ୍ ଓପନକ୍ୟୁବ୍ ଟେକ୍ନୋଲଜି ପ୍ରାଇଭେଟ୍ ଲିମିଟେଡର ଟେକନିକ୍ ସମର୍ଥନରେ ନିଜର ପ୍ରଥମ ଗୋଲ୍ଡ ଏଟିଏମ୍ ଲଞ୍ଚ୍ କରିଥିଲା । କେବଳ ଭାରତରେ ନୁହେଁ ବିଶ୍ୱରେ ଏହା ପ୍ରଥମ ରିୟଲ୍-ଟାଇମ୍ ଗୋଲ୍ଡ ଏଟିଏମ୍ । ଏହି ମେସିନରେ ୫ କିଲୋ ସୁନା ରଖିବାର କ୍ଷମତା ରହିଛି । ସେପଟେ ଗୋଲ୍ଡସିକ୍କା କମ୍ପାନୀର ଉପାଧ୍ୟକ୍ଷ କୁହନ୍ତି , ୪ ବର୍ଷ ପୂର୍ବରୁ ସ୍ଥାପନ କରାଯାଇଥିବା ଏହି କମ୍ପାନୀ ବୁଲିୟନ୍ ଟ୍ରେଡିଙ୍ଗ୍ ଭିତରେ ଅନ୍ତର୍ଭୁକ୍ତ । ଆମ ସିଇଓ ଏଟିଏମ୍ ମେସିନ୍ ମାଧ୍ୟମରେ ସୁନାର କଏନ୍ ବାହାର କରିବାର ଏକ ନୂଆ ଉପାୟକୁ ବଜାରକୁ ଆଣିବାକୁ ଚିନ୍ତା କଲେ । ଯାହା ପରମୂହୁର୍ତ୍ତରେ ସମ୍ଭବ ମଧ୍ୟ ହେଲା ।

 

ଏହି ଗୋଲ୍ଡ ଏଟିଏମରେ ୫ କିଲୋଗ୍ରାମ୍ ସୁନା ରଖିବାର ସାମର୍ଥ୍ୟ ଥିବାବେଳେ ଏହାର ମୂଲ୍ୟ ପାଖାପାଖି ୨ ରୁ ୩ କୋଟି ଟଙ୍କା ପର୍ଯ୍ୟନ୍ତ ରହିଛି । ମେସିନରେ ୦.୫ ଗ୍ରାମ୍ , ୧ ଗ୍ରାମ୍ , ୨ ଗ୍ରାମ୍ , ୫ ଗ୍ରାମ୍ ,୧୦ ଗ୍ରାମ୍ ,୨୦ ଗ୍ରାମ୍ ,୫୦ ଗ୍ରାମ୍ ଏବଂ ୧୦୦ ଗ୍ରାମ୍ ପର୍ଯ୍ୟନ୍ତ ବିକଳ୍ପ ଉପଲବ୍ଧ ରହିଛି । ଏହି ସୁନାର କଏନ୍ ସବୁ ୨୪ କ୍ୟାରେଟ୍ ର ଥିବା ବେଳେ ଏହାର ଶୁଦ୍ଧତା ୯୯୯ ପ୍ରମାଣିତ । ଭବିଷ୍ୟତରେ ଦେଶର ବିଭିନ୍ନ ରାଜ୍ୟରେ ଏହି କମ୍ପାନୀ ୩,୦୦୦ ଗୋଲ୍ଡ ଏଟିଏମ୍ ସ୍ଥାପନ କରିବ ବୋଲି ସୂଚନା ମିଳିଛି । କେବଳ ଭାରତ ନୁହଁ ବିଶ୍ୱସ୍ତରରେ ମଧ୍ୟ କମ୍ପାନୀ ଏହି ଧାରାକୁ ବଜାୟ ରଖିବାର ଯୋଜନା କରିଛି ବୋଲି ସୂଚନା ମିଳୁଛି ।