ଠକେଇର ନୂଆ ତରିକା, ଜମି ଦଲାଲ ସାଜି କୋଟି କୋଟି ଟଙ୍କା ଚୂନା ଲଗାଇଲା ଠକ। ମୋଷ୍ଟ ୱାଣ୍ଟେଡ  କମିସନରେଟ୍ ପୁଲିସ ।

198

କନକ ବ୍ୟୁରୋ: ଗୋଡ ଉପରେ ଗୋଡ ପକାଇ ହାତରେ ବଣ୍ଡଲ ବଣ୍ଡଲ ଟଙ୍କା ଧରିଛନ୍ତି । ଗୋଟିଏ ପରେ ଗୋଟିଏ ବିଡା ଗଣିଚାଲିଛନ୍ତି । ଯେମିତି ହିସାବ ଭୁଲ ନ ହୁଏ ଟଙ୍କାକୁ ଭଲ କରି ଗଣୁଛନ୍ତି ବାବୁଜଣକ । ଆଉ ସାଇତିକରି ସୋଫା କୋଣରେ ଗୋଟିଏ ପରେ ଗୋଟିଏ ଟଙ୍କା ବଣ୍ଡଲକୁ ରଖୁଛନ୍ତି । ଏମିତି କରୁଥିବା ଏହି ବାବୁଜଣକ ହେଉଛନ୍ତି ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ରହୁଥିବା ସୁଶାନ୍ତ କୁମାର ପାତ୍ର । ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଟଙ୍କାସବୁ ଏହି ବାବୁଙ୍କର ନୁହେଁ । ବରଂ ଲୋକଙ୍କ ଚୂନା ଲଗାଇ ଆଣିଥିବା ଟଙ୍କା । ବର୍ଷ ବର୍ଷ ଧରି ଫେରାର ଥିବା ସୁଶାନ୍ତଙ୍କୁ ଇନଫୋସିଟି ଥାନାରେ ଅଟକ ରଖି ପଚରାଉଚରା କରୁଛି ପୁଲିସ ।

ଭୁବନେଶ୍ୱରରେ ଜଣେ ବିଶିଷ୍ଟ ବ୍ୟବସାୟୀ ସମୀର ପଟ୍ଟନାୟକଙ୍କୁ ଜମିଦେବା ନାଁରେ ୨କୋଟି ଟଙ୍କା ଠକେଇ କରିଥିଲେ । ଏହାଛଡା କମ ଦିନରେ ଅଧିକ ସୁଧର ଲୋଭ ଦେଖାଇ ଅନେକ ଲୋକଙ୍କଠାରୁ କୋଟି କୋଟି ଟଙ୍କା ହଡପ କରିଛନ୍ତି ସୁଶାନ୍ତ । ଏହିଭଳି ଏକାଧିକ ମାମଲା ଇନଫୋସିଟି ଥାନାରେ ରୁଜୁ ହେବା ପରେ କମିଶନରେଟ ପୁଲିସ ପାଇଁ ମୋଷ୍ଟ ୱାଣ୍ଟେଡ ହୋଇଯାଇଥିଲା ସୁଶାନ୍ତ ।

ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି, ସୁଶାନ୍ତଙ୍କ ନାଁରେ ଭୁବନେଶ୍ୱରର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି । ପୁଲିସ ତାଙ୍କୁ ଅଟକ ରଖିବା ପରେ ତାଙ୍କ ନାଁରେ ଆହୁରି ଠକେଇ ଅଭିଯୋଗ ଆସିବା ବୋଲି ଆଶା କରାଯାଉଛି ।