ଅଭୟାରଣ୍ୟ ଓ ଜାତୀୟ ଉଦ୍ୟାନ ନିକଟରେ କରିହେବନି ନିର୍ମାଣ। ଏକ କିଲୋମିଟର ପରିଧି ହେବ ଇକୋ ସେନସିଟିଭ ଜୋନ।

163

କନକ ବ୍ୟୁରୋ: ଅଭୟାରଣ୍ୟ ଓ ଜାତୀୟ ଉଦ୍ୟାନର ୧ କିଲୋମିଟର ପରିଧିକୁ ଇକୋ ସେନସିଟିଭ୍ ଜୋନ କରିବାକୁ ନିର୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ବଫର ଜୋନ ଥିଲେ ବି ତାର ପରିସୀମାକୁ ଅତିକମରେ ଏକ କିଲୋମିଟର କରିବାକୁ କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।  ଏହି ନିର୍ଦ୍ଦେଶ ଅନୁଯାୟୀ ଏହି ପରିଧି ଭିତରେ ଏଣିକି କୌଣସି ନିର୍ମାଣଧୀନ କାମ ହୋଇପାରିବନି । ଦେଶର ସମସ୍ତ ସଂରକ୍ଷିତ ଜଙ୍ଗଲ, ଅଭୟାରଣ୍ୟ ଓ ଜାତୀୟ ଉଦ୍ୟାନ ପାଇଁ ଏଭଳି ନିର୍ଦ୍ଦେଶ ହୋଇଛି ।

ରାଜଧାନୀ ଭୁବନେଶ୍ୱରର ଚନ୍ଦକା ଅଭୟାରଣ୍ୟ ଓ ନନ୍ଦନକାନନ ଆଖପାଖ ଅଞ୍ଚଳର କିଭଳି ରହିଛି ସ୍ଥିତି ତାହା ପରଖିଥିଲା ଆମ କ୍ୟାମେରା ଟିମ । ତେବେ ଚନ୍ଦକା ଅଭ୍ୟାରଣ୍ୟ ଓ ନନ୍ଦନକାନନର ୧୦୦ ମିଟର ପରିସରରେ ଅନେକ ଅଟ୍ଟାଳିକା ଛିଡା ହୋଇଥିବା ଚିତ୍ର କୈଏଦ ହୋଇଛି । ଏଥିରୁ କିଛି ସରକାରୀ ଅନୁମତି ପାଇଥିବାବେଳେ ଅନେକ ବେଆଇନ ଭାବେ ଗଢିଉଠିଛି ।  ତେବେ ନନ୍ଦନକାନନର ଚାରିପାଶ୍ୱର୍ରେ ସେଭଳି କୌଣସି ନିର୍ଦ୍ଦିଷ୍ଟ ବଫର ଜୋନ ନଥିବା କହିଛନ୍ତି ନନ୍ଦନକାନନ କର୍ତୃପକ୍ଷ । କେଉଁଠି ୩୦ ମିଟର ତ ପୁଣି କେଉଁଠି ୭୦ ମିଟର ଥିବା ଉପନିର୍ଦେଶକ କହିଛନ୍ତି ।

ସୁପ୍ରିମକୋର୍ଟଙ୍କ ଏହି ନିର୍ଦେଶ ଅନେକଙ୍କ ନିଦ ହଜାଇ ଦେଇଛି ।  ବିଶେଷ କରି ଏଭଳି ଅଞ୍ଚଳରେ ଅନେକ ଜାଗା କିଣି ଘର ବି କରିସାରିଛନ୍ତି । ଅନେକ ବିଲଡର ବଡ ବଡ ଅଟ୍ଟାଳିକା ବି ତୋଳିଛନ୍ତି । ତେବେ ପୁର୍ବରୁ ଘର ତୋଳିବା ପାଇଁ ଅନୁମତି ପାଇଥିଲେ ବିଲଡରଙ୍କ କୌଣସି ସମସ୍ୟା ହୋଇନପାରେ , କିନ୍ତୁ ବେଆଇନ ଭାବେ ଘର ତୋଳିଥିବା ବିଲଡର ସମସ୍ୟାରେ ପଡିପାରନ୍ତି ବୋଲି କ୍ରେଡାଇ କହିଛି ।

କେବଳ ରିଏଲ ଇଷ୍ଟେଟ ବ୍ୟବସାୟୀ ନୁହଁନ୍ତି, ଅନେକ ସରକାରୀ ଅଟ୍ଟାଳିକା ବି ଏହି ବଫର ଜୋନ ଭିତରେ ଗଢିଉଠିଛି । ଅନେକ ପ୍ରକଳ୍ପ ଅଧାରେ ଅଟକି ରହିଛି । ସୁପ୍ରିମକୋର୍ଟଙ୍କ ଏହି ନିର୍ଦେଶ ପରେ ସରକାର ଅଡୁଆରେ ପଡିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।