ଲୁଟେରାଙ୍କ ନୂଆ ଟେକନିକ୍! ଧରାପଡୁଛନ୍ତି ହେଲେ ମିଳୁନି ଜିନିଷ! ସୁନା ଋଣ ସଂସ୍ଥା ପାଲଟିଛି ଚୋରି ସୁନାର ସୁରକ୍ଷିତ ସ୍ଥାନ !

309

କନକ ବ୍ୟୁରୋ: ଚୋରି, ଡକାୟତି ରୋକିବା ପାଇଁ ପୁଲିସ ଯେତେ ରଣକୌଶଳ ଆପଣାଉଛି, ଚୋର ତାଠାରୁ ଆଉ ପାଦେ ଆଗକୁ ଯାଇ କାରବାର କରୁଛନ୍ତି । ପୁଲିସ ଛାନଭିନ୍ ବେଳେ ଲୁଟେରା ଧରାପଡୁଛନ୍ତି । କିନ୍ତୁ ମିଳୁନି ଲୁଟ୍ ସାମଗ୍ରୀ । କୁହାଯାଉଛି, ଲୁଟ୍ ସୁନାର ସୁରକ୍ଷିତ ସ୍ଥାନ ପାଲଟିଛି ସୁନା ଋଣ ଗୃହ ସଂସ୍ଥା । ନିକଟରେ ସେମିତି ଦୁଇଟି ମାମଲା ସାମ୍ନାକୁ ଆସିଛି, ଯାହା ପୁଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି ।

ପୁଲିସ ଡାଳେ ଡାଳେ ଗଲେ ପତ୍ରେ ପତ୍ରେ ଯାଉଛନ୍ତି ଚୋର । ଯେଉଁଥିପାଇଁ ପୁଲିସ ବେଳେ ବେଳେ ଚୋରଙ୍କ ପାଇଁ ହରଡଘଣାରେ ପଡୁଛି । ରାଜଧାନୀରେ ଚୋରି, ଛିନତାଇ, ରାହାଯାନୀ ପୁଲିସକୁ ଯେତିକି ଅଡୁଆରେ ପକାଉନି ତାଠାରୁ ବେଶି ମୁଣ୍ଡ ବିନ୍ଧାଉଛି ଚୋରି ଜିନିଷ ଫେରିପାଇବା । ଚୋରି ସୁନା ମିଳିବା ପୁଲିସ ପାଇଁ ହେଉଛି କାଠିକର ପାଠ । ପୂର୍ବରୁ ସୁନା ଦୋକାନ କିମ୍ବା ବଣିଆଙ୍କ ପାଖରେ ବିକ୍ରି କରି କିମ୍ବା ତରଳାଇ, ତା ବଦଳରେ ସୁନା କିମ୍ବା ଟଙ୍କା ନେଉଥିଲେ ଲୁଟେରା । ଏବେ ଏମାନେ ନୁଆ ଟେକନିକ ଆପଣାଇଛନ୍ତି । ସୁନା ରୁଣ ଦେଉଥିବା ସଂସ୍ଥାରେ ଚୋରି ସୁନାକୁ ବନ୍ଧକ ରଖି ସେହି ଟଙ୍କାରେ ଅୟସ ଆରାମ କରୁଛନ୍ତି । ଯାହା ଫଳରେ ବନ୍ଧା ସୁନାର ଟଙ୍କା କିଏ ଦେଇ ମୁକୁଳାଇବ ଆଉ ଚୋରି ସୁନାକୁ ଦେଖାଇ ପୁଲିସ କେମିତି କୋର୍ଟ ଚାଲାଣ କରିବ, ସେନେଇ ସମସ୍ୟାରେ ପଡୁଛି ପୁଲିସ ।

ବିଗତ ଦିନରେ ଦୁଇ ଦୁଇଟି ମାମଲାରେ ଲୁଟ ସୁନା ବନ୍ଧକ ରଖି ସୁନା ରୁଣ ସଂସ୍ଥାରୁ ମୋଟା ଅଙ୍କର ଟଙ୍କା ଚୋର ନେଇଯାଇଥିବା ଜଣାପଡିଛି । ସୁନା ବନ୍ଧକ ରଖିଥିବା ସଂସ୍ଥାଗୁଡିକର କର୍ମଚାରୀଙ୍କୁ ମଧ୍ୟ ଆବଶ୍ୟକସ୍ଥଳେ ତଦନ୍ତ ଘେରକୁ ଆଣିବ ବୋଲ କହିଛି ପୁଲିସ ।

ତେବେ ଏଠାରେ ପ୍ରଶ୍ନ ଉଠୁଛି –
ସୁନା ରୁଣ ସଂସ୍ଥା କାହିଁକି ରଖୁଛି, ଚୋରଙ୍କ ସୁନା?
ଚୋରଙ୍କ ସହ ହାତ ମିଶାଇଲେଣି କି ସଂସ୍ଥାର କର୍ମଚାରୀ?
ସୁନା ବନ୍ଧକ ରଖିବାର ନିୟମକୁ ସଠିକ ଭାବରେ ପାଳନ କରାଯାଉନାହିଁ କି?
ନିୟମ ପାଳନ କରାଯାଉଛି କି ନାହିଁ, ତା’ର ତଦାରଖ ଦାୟିତ୍ୱ କାହାର ?