ଦୁନିଆର ସବୁଠୁ ଧନୀ ରାଜନେତା ହେଲେ ରୁଷ ରାଷ୍ଟ୍ରପତି । ଭ୍ଲାଦିମୀର ପୁଟିନଙ୍କ ପାଖରେ ରହିଛି ସର୍ବାଧିକ ୧୬ଲକ୍ଷ ୬୦ହଜାର କୋଟି ମୂଲ୍ୟର ସମ୍ପତି

78

କନକ ବ୍ୟୁରୋ : ବିଶ୍ୱର ସବୁ ଲୋକପ୍ରିୟ ନେତାଙ୍କ ସମ୍ପତିକୁ ନେଇ ଚର୍ଚ୍ଚା ଭିତରେ ଜଣାପଡିଛି, ସବୁଠାରୁ ଧନୀ ରାଜନେତା ହେଉଛନ୍ତି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍    । ତାଙ୍କ ସମ୍ପତି ୨୦୦ ମିଲିଅନ୍ ଡଲାର ବା ଭାରତୀୟ ମୁଦ୍ରାରେ ୧୬ ଲକ୍ଷ ୬୦ ହଜାର କୋଟି । ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଜନେତା ଭାବେ ଜଣାଯାଉଥିବା ଭ୍ଲାଦିମିର୍ ପୁଟିନଙ୍କ ଜୀବନଶୈଳୀ କୌଣସି ରାଜାଙ୍କ ଠାରୁ କିଛି କମ୍ ନୁହେଁ । ରାଜକୀୟ ଅନ୍ଦାଜରେ ସେ ନିଜ ଦିନଚର୍ଯ୍ୟା ଆରମ୍ଭ କରିଥାନ୍ତି । ମସ୍କୋ ସ୍ଥିତ ପୁଟିନ୍ଙ୍କ ରାଷ୍ଟ୍ରପତି ଭବନ, କୌଣସି ରାଜପ୍ରସାଦ ଠାରୁ କିଛି କମ୍ ନୁହେଁ । ଯେଉଁଭଳି କଡା ସୁରକ୍ଷା, ସେହିଭଳି ସୌଖିନ୍ ଆଭିଜାତ୍ୟରେ ଭରପୁର । ଏହାକୁ ବାଦ୍ ଦେଲେ ରାଷ୍ଟ୍ରପତି ପୁଟିନଙ୍କ ରହିଛି ୧୯ ଟି ଘର । ତାଙ୍କ ସମ୍ପତି ତାଲିକାରେ ବିଳାସପୂର୍ଣ୍ଣ କାର, ହେଲକପ୍ଟର ଓ ବିମାନ ବି ରହିଛି । ତେବେ ସରକାରୀ ରେକର୍ଡ ଅନୁସାରେ, ପୁଟିନଙ୍କ ପାଖରେ ରହିଛି –
ପୁଟିନଙ୍କ ସମ୍ପତ୍ତି
– ୮୦୦ ବର୍ଗଫୁଟ୍ର ଆପାର୍ଟମେଂଟ୍
– ଗୋଟିଏ ଟ୍ରେଲର ଓ ୩ଟି କାର ଥିବା କୁହାଯାଉଛି
– ପୁଟିନଙ୍କ ବାର୍ଷିକ ଦରମା ୧ ଲକ୍ଷ ୪୦ ହଜାର ଡଲାର

ରାଷ୍ଟ୍ରପତି ପୁଟିନଙ୍କ ଏହି ବିଳାସପୂର୍ଣ୍ଣ ପ୍ରାସାଦକୁ ନେଇ ସବୁବେଳେ ପ୍ରଶ୍ନ ଉଠାଇଥାନ୍ତି ବିରୋଧୀ । ସେଠାରେ ଗ୍ରୀକ୍ ଭଗବାନଙ୍କ ପ୍ରତିମୂର୍ତି, ଆମ୍ପିଥିଏଟର, ଅତ୍ୟାଧୁନିକ ଆଇସ୍ ହକି ପଡିଆ, ଜିମ୍, ଲସ୍ ଭେଗାସ୍ ଷ୍ଟାଇଲ୍ରେ କସିନୋ ଏବଂ ନାଇଟ୍ କ୍ଲବ୍ ରହିଛି । ଏହି ପ୍ରାସାଦରେ ପୁଟିନଙ୍କ ଏକ ସୁନାର ପ୍ରତିମା ମଧ୍ୟ ରହିଛି । କୁହାଯାଏ ଏହି ଘରର ରକ୍ଷଣାବେକ୍ଷଣ ପାଇଁ ବାର୍ଷିକ ୨ ନିୟୁତ ଡଲାର ଖର୍ଚ୍ଚ ହୋଇଥାଏ । ଆଉ ୪୦ ଜଣ କର୍ମଚାରୀ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ନିର୍ବାହ କରିଥାନ୍ତି । ଏତିକିରେ ସୀମିତ ନାହିଁ ପୁଟିନଙ୍କ ସମ୍ପତି । କୁହାଯାଏ –
ପୁଟିନଙ୍କ ସମ୍ପତ୍ତି
– ରାଷ୍ଟ୍ରପତି ପୁଟିନଙ୍କର ଆହୁରି ୧୯ଟି ଘର ରହିଛି
– ୭୦୦ଟି ଦାମୀ କାର ରହିଛ
– ୫୮ଟି ବିମାନ ଓ ହେଲିକପ୍ଟର ଅଛି
– ‘ଦ ଫ୍ଲାଇଂ କ୍ରେମଲିନ୍’ ନାମରେ ଏକ ବିମାନ ଅଛି
– ‘ଦ ଫ୍ଲାଇଂ କ୍ରେମଲିନ୍’ର ମୂଲ୍ୟ ୭୧୬ ନିୟୁତ ଡଲାର
– ୭୦୦ ନିୟୁତ ଡଲାରର ଏକ ମେଗା ୟଟ୍ ରହିଛି

ବିଶ୍ୱର ଅନ୍ୟତମ ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରନେତା ସି ଜିନପଙ୍ଗଙ୍କ ସମ୍ପତିକୁ ନେଇ ସବୁବେଳେ ଚର୍ଚ୍ଚା ହୋଇଥାଏ । ଚୀନରେ ଜିନପିଙ୍ଗ୍ ଶାସନ ଆରମ୍ଭ ହେବା ପରଠାରୁ ସେ ନିଜ କମ୍ୟୁନିଷ୍ଟ ଚିନ୍ତାଧାରାରେ ଦେଶରେ ଶାସନ ଆରମ୍ଭ କରି ଦେଇଥିଲେ । କେବଳ ସେତିକି ନୁହେଁ ଜଳ ଓ ସ୍ଥଳରେ ନିଜ ବିସ୍ତାର ବାଦ ନୀତି ପାଇଁ ଅନ୍ୟ ଦେଶ ସହ ବିବାଦୀୟ ସମ୍ପର୍କରେ ରହିଛି ଚୀନ୍ । ଏହାରି ଭିତରେ ଚାଇନା ରାଷ୍ଟ୍ରପତିଙ୍କ ମୋଟ୍ ସମ୍ପତି କେତେ ତାହାକୁ ନେଇ ସବୁବେଳେ ଲୋକଙ୍କ ମନରେ ପ୍ରଶ୍ନ ଉଠୁଥାଏ । କାରଣ ଚାଇନା ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ବେଶି କିଛି ତଥ୍ୟ ଇଂଟରନେଟ୍ରେ ଉପଲବ୍ଧ ନାହିଁ । ତାଙ୍କ ପୂରା ପରିବାର ତାଙ୍କ ସମ୍ପତି ଏବଂ ସେ କେଉଁଥିରେ ନିବେଶ କରିଛନ୍ତି ସେନେଇ ବିଶେଷ ତଥ୍ୟ ମିଳେନାହିଁ । ବିଶ୍ୱର ଦ୍ୱିତୀୟ ସର୍ବବୃହତ ଅର୍ଥବ୍ୟବସ୍ଥାର ମୁଖିଆ ଜିନପିଙ୍ଗଙ୍କ ମୋଟ୍ ୧.୩ ବିଲିଅନ୍ ଡଲାରର ସମ୍ପତି ରହିଥିବା କୁହାଯାଏ   ।
ଜିନପିଙ୍ଗଙ୍କ ସମ୍ପତ୍ତି
– ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମୋଟ୍ ସମ୍ପତି ୧୦ ହଜାର କୋଟି!
– ଜିନ୍ପିଙ୍ଗ୍ଙ୍କ ବାର୍ଷିକ ଦରମା ପାଖାପାଖି ୧୮୩ କୋଟି
– ନିଜ ପରିବାର ସହ ରାଷ୍ଟ୍ରପତି ଭବନରେ ରୁହନ୍ତି ଜିନପିଙ୍ଗ୍
– ଏହାବାଦ୍ ତାଙ୍କ ଚୀନର ଭିନ୍ନ ଭିନ୍ନ ସ୍ଥାନରେ ସମ୍ପତି ରହିଥିବା କୁହାଯାଏ
– ଏହାସହ ଜିନପିଙ୍ଗଙ୍କ ପରିବାର ସଦସ୍ୟଙ୍କ ହୋଟେଲ୍ ବ୍ୟବସାୟ ଥିବା ଚର୍ଚ୍ଚା ହୁଏ

ବିଶ୍ୱର ଶକ୍ତିଶାଳୀ ନେତା ପୁଟିନ୍ ଓ ଜିନପିଙ୍ଗ୍ ସବୁବେଳେ ନିଜର ଏକ ଛତ୍ରବାଦ ଶାସନ ଦର୍ଶାଇ ଥାନ୍ତି । ଏହାରି ଭିତରେ କ୍ଷମତାର ଶୀର୍ଷରେ ବସିଥିବା ଏହି ନେତା ଯେ, ନିଜ ପରିବାର ପାଇଁ ବିପୁଳ ସମ୍ପତି ଠୁଳ କରିଛନ୍ତି ଏକଥାକୁ ଏଡାଇ ଦିଆଯାଇ ପାରିବ ନାହିଁ ।