କର୍ତ୍ତବ୍ୟପଥରେ ଲେଖାଗଲା ନୂଆ ଭାରତର ନୂଆ ଇତିହାସ: ପ୍ରଥମ ଥର ଆଦିବାସୀ ମହିଳା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କଲେ ପତାକା ଉତ୍ତୋଳନ

114

କନକ ବ୍ୟୁରୋ: କର୍ତବ୍ୟପଥରେ ଲେଖାହେଲା ନୂଆ ଭାରତର ନୂଆ ଇତିହାସ । ପ୍ରଥମ ଥର ଆଦିବାସୀ ମହିଳା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତ୍ରିରଙ୍ଗା ଉତୋଳନ କରିଛନ୍ତି । ୭୪ ତମ ସାଧାରଣତନ୍ତ୍ର ଦିବସ ପରେଡ୍ରେ ଅଭିବାଦନ ଗ୍ରହଣ କରିଛନ୍ତି ରାଷ୍ଟ୍ରପତି । ମହାମହିମଙ୍କୁ ସ୍ୱଦେଶୀ ତୋପରେ ଦିଆଯାଇଛି ୨୧ ତୋପ ସଲାମୀ । ଏହି କ୍ଷଣ ହିଁ ବୟାନ କରୁଛି, ୭୪ ବର୍ଷ ମଧ୍ୟରେ କେତେ ମଜବୁତ ହୋଇଛି ଭାରତର ଗଣତନ୍ତ୍ର । ଯାହାର ମୂଳଦୁଆ ପଡ଼ିଥିଲା ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ । ଗଣତନ୍ତ୍ରର ଏହି ମହୋତ୍ସବରେ ଉତ୍ସବମୁଖର ହୋଇ ଉଠିଛି ସାରଦେଶ । ..

ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି ହୋଇଥିଲେ ଇଜିପ୍ଟର ରାଷ୍ଟ୍ରପତି ଅବଦେଲ୍ ଫତେ ଇଆଇସିସି । ପରମ୍ପରା ଅନୁସାରେ ମୁଖ୍ୟ ଅତିଥିଙ୍କ ସହ ପରେଡ୍ ସ୍ଥଳରେ ପହଁଚିଥିଲେ ଭାରତୀୟ ସୁପ୍ରିମ କମାଣ୍ଡ ତଥା ସବୁଠୁ ବଡ଼ ଗଣତନ୍ତ୍ର ରାଷ୍ଟ୍ରର ମହାମହିମ । ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ, ତିନି ସେନାର ମୁଖ୍ୟ ନାସନାଲ୍ ୱାର ମେମୋରିଆଲ୍ରେ ଶ୍ରଦ୍ଧାଂଜଳି ଅର୍ପଣ କରି ପରେଡ୍ ସ୍ଥଳରେ ଉପସ୍ଥିତ ଥିଲେ । ଏହା ପରେ କର୍ତବ୍ୟପଥରେ ଆରମ୍ଭ ହୋଇଥିଲା ପରେଡ୍ । ଇଜିପ୍ଟ ସେନାର ଏକ କଂଟିଜେଂଟ୍ ମଧ୍ୟ ସାଧାରଣତନ୍ତ୍ର ପରେଡ୍ରେ ସାମିଲ ହୋଇଥିଲେ । ଭାରତୀୟ ସେନା. ଅର୍ଦ୍ଧସାମରିକ ବାହିନୀଙ୍କ ପରେଡ୍ ବେଶ୍ ଆକର୍ଷଣୀୟ ହୋଇଥିଲା । ଚଳିତ ବର୍ଷ ସିଆରପିର ମହିଳା କଂଟିଜେଂଟ୍ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । ନୌସେନାର ପରେଡ୍ର ନେତୃତ୍ୱ ନେଇଥିଲେ ମହିଳା ଅଫିସର । ଏଥିରେ ପ୍ରଥମ ବ୍ୟାଚର ୬ ଜଣ ଅଗ୍ନିବୀର ସାମିଲ ହୋଇଥିଲେ । ଆତ୍ମନିର୍ଭର ଭାରତର ସ୍ୱଦେଶୀ ଅସ୍ତ୍ରଶସ୍ତ୍ର, ଅର୍ଜୁନ ଟ୍ୟାଙ୍କ, ଆକାଶ ମିସାଇଲ ସିଷ୍ଟମର ପ୍ରଦର୍ଶିତ ହୋଇଥିଲା ।

ଭାରତର ବିବିଧ ସଂସ୍କୃତି, କଳା ଐତିହ୍ୟର ବିଶାଳତା ପ୍ରଦର୍ଶିତ ହୋଇଥିଲା ପ୍ରଜ୍ଞାପନ ମେଢ଼ ମାଧ୍ୟମରେ । ୧୭ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ଏବଂ ବିଭିନ୍ନ ମନ୍ତ୍ରାଳୟର ୨୩ଟି ପ୍ରଜ୍ଞାପନ ମେଢ଼ କର୍ତବ୍ୟପଥରେ ଉପସ୍ଥିତ ଦର୍ଶକଙ୍କ ମନ ମୋହିଥିଲା ।

ଜାତୀୟ ସ୍ତରର ବନ୍ଦେ ମାତରଂ ପ୍ରତିଯୋଗିତା ଜରିଆରେ ଚୟନ ହୋଇଥିବା ୪୭୯ ଜଣ ନୃତ୍ୟଶିଳ୍ପୀ ସାସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ମନମୁଗ୍ଧକର ଥିଲା ଡେୟାର ଡେଭିଲ୍ ସୋ’ । ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ପାଇଥିବା ୧୧ ଜଣ ପିଲା ମିଳିତ ପରେଡରେ ଅଂଶଗ୍ରହଣ କରିଥିଲେ ।
ପ୍ରତିକୂଳ ପାଗ ଥିବା ସତ୍ୱେ ଆକାଶରେ ବାୟୁସେନା ଦେଖାଇଥିଲା ପରାକ୍ରମ । ଏଥିରେ ସାମିଲ ହୋଇଥିଲା ରାଫେଲ୍ ଏୟାରକ୍ରାଫ୍ଟ । ସୁଖୋଇ, ମିରାଜ ଓ ଜାଗୁଆର ଭଳି ଅତ୍ୟାଧୁନିକ ଲଢ଼ୁଆ ବିମାନର କଳାକୌଶଳ ଉପସ୍ଥିତ ଦର୍ଶକଙ୍କୁ ଚକିତ କରି ଦେଇଥିଲା ।