ଗାଁକୁ ଗଲା ଓଡ଼ିଆ ଫିଲ୍ମ । ହଲ ନୁହେଁ କଲ୍ୟାଣ ମଣ୍ଡପରେ ରିଲିଜ ହେଲା ସିନେମା । ଟିକେଟର ଦାମ ୭୦ଟଙ୍କା, ହାଉସଫୁଲ୍ ଚାଲିଲା ୩ଟି ସୋ ।

1,400

କନକ ବ୍ୟୁରୋ: ଗୋଟିଏ ପଟେ ଓଡ଼ିଆ ଫିଲ୍ମ ପ୍ରତି ଦର୍ଶକ ମୁହଁ ଫେରାଉ ନେଉଥିବା ବେଳେ ସେପଟେ ଫିଲ୍ମ ରିଲିଜ୍ ପାଇଁ ହଲ୍ ମିଳୁନାହିଁ । ଏପରି ସ୍ଥିତିରେ ଓଡ଼ିଆ ସିନେମା ପୁଣି କେମିତି ଦର୍ଶକଙ୍କ ହୃଦୟ ଜିଣିପାରିବ, ସେଥିପାଇଁ ସମସ୍ତଙ୍କ ଚିନ୍ତା । ଆଉ ଏହାରି ଭିତରେ ଓଡ଼ିଆ ଫିଲ୍ମକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଭିନ୍ନ ପ୍ରୟାସ କରାଯାଇଛି । ଗାଁକୁ ଯାଇଛି ଫିଲ୍ମ । ପ୍ରଥମଥର ଓଡ଼ିଆ ଫିଲ୍ମ ହଲରେ ନୁହେଁ ବରଂ କଲ୍ୟାଣମଣ୍ଡପରେ ରିଲିଜ୍ ହୋଇଛି । ଏଥିସହ ଚଳଚିତ୍ର ଜଗତରେ ଇତିହାସ ରଚିଛି ଓଡ଼ିଆ ଫିଲ୍ମ ।

ଏକ ସରକାରୀ ମଣ୍ଡପରେ ଏକାଠି ହୋଇଥିିଲେ ଶହ ଶହ ଲୋକ । ଆଉ ମଞ୍ଚ ତଳେ ଉପସ୍ଥିତ ଥିଲେ ଓଲିଉଡ ହିରୋ, ହିରୋଇନ୍ । ଯାହାକୁ ଦେଖିଲେ ଯେ କେହି ବି ଭାବିବ ବୋଧହୁଏ କୌଣସି କଲେଜର ସାଂସ୍କୃତିକ କାର୍ଯ୍ୟକ୍ରମ କିମ୍ବା ପଥ ପ୍ରାନ୍ତ ନାଟକ ପାଇଁ ଏକାଠି ହୋଇଥିଲେ ଶତାଧିକ ଲୋକେ । କିନ୍ତୁ କଥାଟି ଟିକିଏ ଅଲଗା ଥିଲା । ସେହି ସ୍ଥାନରେ ଓଡିଆ ଫିଲ୍ମ ରିଲିଜ ହୋଇଥିଲା । ଆଉ ବିନା ଶୀତତାପ ନିୟନ୍ତ୍ରଣ କୋଠରୀ ବାହାରେ ଦର୍ଶକ ଫିଲ୍ମର ମଜା ନେଉଥିିଲେ ।

ନୟାଗଡ଼ ଜିଲ୍ଲା ଓଡ଼ଗାଁ ସ୍ଥିତ ଏକ ସରକାରୀ କଲ୍ୟାଣମଣ୍ଡପରେ ମୁକ୍ତିଲାଭ କରିଛି ‘ପ୍ରେମରେ ରିସ୍କ ହେଲା ମୋତେ ଇସ୍କ’ । ଯେତେବେଳେ ଓଲିଉଡ ଫିଲ୍ମକୁ ସିନେମା ହଲରେ ସ୍ଥାନ ମିଳୁନି ଆଉ ଫିଲ୍ମକୁ ନେଇ ପ୍ରଶ୍ନ ଉଠୁଛି ସେହି ସମୟରେ ଗାଁ ମୁହାଁ ହୋଇଛି ଫିଲ୍ମ । ଆଉ ପ୍ରତି ଗାଁରେ ବିଭିନ୍ନ ମଣ୍ଡପରେ ଏଲଇଡି ସ୍କ୍ରିନ ଜରିଆରେ ଫିଲ୍ମ ରିଲିଜ କରି ବେଉସା ବଞ୍ଚାଇବାକୁ ପ୍ରୟାସ ଆରମ୍ଭ କରିଛନ୍ତି ପ୍ରଯୋଜକ ।

ହିରୋ ହିରୋଇନ ଘୋଡା ଗାଡିରେ ଆସୁଛନ୍ତି । ଫିଲ୍ମ ଗାଁରେ ରିଲିଜ୍ ହେଉଛି । ତେଣୁ ଲୋକେ ମଧ୍ୟ ଏପରି ସୁଯୋଗକୁ ନେଇ ଉତ୍ସାହିତ । ଲୋକେ ହିରୋ, ହିରୋଇନଙ୍କୁ ଗ୍ରାଣ୍ଡ ୱେଲକମ୍ କରୁଛନ୍ତି । ଟିଭି ଏବଂ ଫିଲ୍ମ ପରଦାରେ ଦେଖୁଥିବା ହିରୋ ହିରୋଇନଙ୍କୁ ପାଖରେ ପାଇ ଲୋକେ ବି ଖୁସି । ଗୋଟିଏ ପଟେ ଓଡ଼ିଆ ଫିଲ୍ମ ପ୍ରତି ଦର୍ଶକ ମୁହଁ ଫେରାଉ ନେଉଥିବା ବେଳେ ସେପଟେ ଫିଲ୍ମ ରିଲିଜ୍ ପାଇଁ ହଲ୍ ମିଳୁନାହିଁ । ଏପରି ସ୍ଥିତିରେ ଓଡ଼ିଆ ସିନେମା ପୁଣି କେମିତି ଦର୍ଶକଙ୍କ ହୃଦୟ ଜିଣିପାରିବ, ସେଥିପାଇଁ ସମସ୍ତଙ୍କ ଚିନ୍ତା । ଆଉ ଏହାରି ଭିତରେ ଓଡ଼ିଆ ଫିଲ୍ମକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଭିନ୍ନ ପ୍ରୟାସ କରାଯାଇଛି ।

ତେବେ କଲ୍ୟାଣମଣ୍ଡପକୁ ସିନେମା ହଲ ରୂପ ଦିଆଯାଇଛି । ଦର୍ଶକଙ୍କ ପାଇଁ ୩୦୦ ସିଟର ବ୍ୟବସ୍ଥା ହୋଇଥିବା ବେଳେ ଏଲଇଡି ସ୍କ୍ରିନ୍ ଲାଗିଛି । ଦିନକୁ ୩ଟି ଶୋ ଚାଲିବାକୁ ବ୍ୟବସ୍ଥା କରାଯାଇଛି । ବଡ କଥା ହେଉଛି ୩ଟି ଯାକ ଶୋ ହାଉସଫୁଲ ଚାଲିଛି । ଫିଲ୍ମର ଟିକେଟ୍ ମାତ୍ର ୭୦ ଟଙ୍କା ରଖାଯାଇଛି ।