ଶବସତ୍କାର ପାଇଁ ଯାଉଥିଲେ । ଅଧ ବାଟରେ ଶବ ପାଲଟିଗଲେ । ୪ ଜଣଙ୍କର ମୃତ୍ୟୁ, ୬ ଗୁରୁତର ।

303

କନକ ବ୍ୟୁରୋ: ବଡ ଭାଇର ମୃତ୍ୟୁ ଖବର ପାଇ ଅନ୍ତିମ ସଂସ୍କାର କରିବାକୁ ଯାଉଥିଲେ ସାନ ଭାଇର ପରିବାର । ହେଲେ ଅଧବାଟରେ ଦୁର୍ଘଟଣାରେ ଚାଲିଗଲା ପରିବାର ଓ ସଂପର୍କୀୟଙ୍କ ଜୀବନ । ବଣାଇ ଉପଖଣ୍ଡ ଧାନନଗର ଜାତୀୟ ରାଜପଥ ୧୪୩ ନିକଟରେ ଭୋରରେ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି ।

ତେବେ ମୃତକଙ୍କ ପରିଚୟ ମିଳିବା ପରେ ସାମ୍ନାକୁ ଆସିଛି ଏହି ଦୁଃଖଦ ଖବର । ମୃତକମାନେ ହେଲେ ବାଲେଶ୍ୱର ଜିଲ୍ଲା ଭୋଗରାଇ ପଞ୍ଚାୟତ ରଇପୁର ଗାଁର ପ୍ରଦୀପ ମହାନ୍ତି ଭଉଣୀ, ଭିଣୋଇ ଓ ସଂପର୍କୀୟ । ସ୍ଥିତି ଏମିତି ହୋଇଛି ଯେ ମୃତଦେହ ଆଣିବାକୁ ଏବେ ପରିବାରରେ କେହି ନାହିଁ । ତେଣୁ ମୃତଦେହ ଗାଁକୁ ଆଣିବା ପାଇଁ ଅନୁରୋଧ କରିଛନ୍ତି ପଡୋଶୀ ।

ଦୁର୍ଘଟଣା ଖବର ଆସିବା ପରେ ଘରେ କାନ୍ଦ ବୋବାଳି ପଡିଛି । ସୂଚନା ଅନୁସାରେ ତପନ ମହାନ୍ତିଙ୍କ ବଡ ଭାଇ ସଂଜୀବ ମହାନ୍ତି ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ କାମ କରୁଥିଲେ । କ୍ୟାନ୍ସରରେ ଆକ୍ରାନ୍ତ ହୋଇ ଗୁରୁବାର ତାଙ୍କର ମୃତ୍ୟୁ ହୋଇଥିଲା । ଏ ଖବର ପାଇ ବଡ ଭାଇର ଅନ୍ତିମ ସଂସ୍କାର କରିବାକୁ ଘରୁ ଏକ ବୋଲେରୋରେ ବଡ ଭଉଣୀ, ଭିଣୋଇ ଓ ସଂପର୍କୀୟଙ୍କୁ ଧରି ବାହାରିଥିଲେ ପ୍ରଦୀପ ମହାନ୍ତି । ହେଲେ କିଏ ଜାଣିଥିଲା ଅଧବାଟରେ ତାଙ୍କୁ କାଳ ଅପେକ୍ଷା କରି ରହିଛି । ବଡ ଭାଇର ମୃତ୍ୟୁ ଖବର ପାଇବା ପରେ ଅନ୍ତିମ ସଂସ୍କାର ପାଇଁ ଯାଉଥିବା ପ୍ରଦୀପ ମହାନ୍ତି ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି । ଅନ୍ୟ ଗୁରୁତରଙ୍କ ସହ ସେ ବେଦବ୍ୟାସ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।