ଆଜି ବି ପ୍ରାସଙ୍ଗିକତା ହରାଇନାହିଁ ପୋଷ୍ଟ ଅଫିସ: ସମୟ ସହ ତାଳ ଦେଇ ବଦଳୁଛି ସେବା

92

କନକ ବ୍ୟୁରୋ: ଡାକ ବାଲା କଥା କହିଲେ ସ୍ୱତଃମନକୁ ଆସିଯାଏ ପୋଷ୍ଟମ୍ୟାନଙ୍କ ଚିତ୍ର । ଯେ ଘରକୁ ଘର ବୁଲି ଚିଠି ବାଂଟୁଥିବ । ଏବେ ବାର୍ତା ପଠାଇବାର ମାଧ୍ୟମ ବଦଳିଛି, କିନ୍ତୁ ଭାରତୀୟ ଡାକ ସେବା ସହ ଲୋକେ ଯୋଡି ହୋଇ ରହିଛନ୍ତି । ଆଜି ବି ପୋଷ୍ଟାଲ କାଉଁଟର ଆଗରେ ଲୋକଙ୍କ ଲମ୍ବା ଲାଇନ ଲାଗିଛି । ଲୋକେ ଧାଡି ବାନ୍ଧି ଅପେକ୍ଷା କରିଛନ୍ତି । ଏପଟେ ଚିଠି ଉପରେ ପୋଷ୍ଟ ଅଫିସର ମୋହର ପଡୁଛି । ଦୁଇ ଦଶନ୍ଧି ତଳେ ଭାରତରେ ପ୍ରମୁଖ ଓ ଏକମାତ୍ର ବାର୍ତାବାହକ ପାଲଟିଥିବା ଡାକ ସେବା ଏବେ ବି ପ୍ରାସଙ୍ଗିଗତା ହରାଇ ନାହିଁ । ସମୟ ସହ ତାଳ ଦେଇ ଡାକ ବିଭାଗରେ ବ୍ୟାପକ ପରିବର୍ତନ କରି ଲୋକଙ୍କୁ ଆସ୍ଥା ଜିଣିପାରିଛି ।

ସ୍ମାର୍ଟ ଫୋନ, ଇଂଟରନେଟ ଯୁଗରେ ଯୁବ ପୀଢି ଡାକ ସେବାକୁ ଭୁଲି ଯାଇଛନ୍ତି । ହେଲେ ଆଜି ବି ଯେଉଁଠି ଇଂଟରନେଟ କିମ୍ବା ଫୋନର ମେସେଜ ପହଂଚି ପାରେନି ସେଠାରେ ପହିଂଚଯାଉଛି ଡାକ ସେବା ।

ଗ୍ରାମାଂଚଳରେ ସବୁଠି ବ୍ୟାଙ୍କ ନାହିଁ କିନ୍ତୁ ପୋଷ୍ଟ ଅଫିସ ଥିବା ନିଶ୍ଚିତ । ଏହାଛଡା ଲୋକଙ୍କ ଆବଶ୍ୟକତାକୁ ଆଖିରେ ରଖି ଏବେ ପୋଷ୍ଟ ଅଫିସରେ ବ୍ୟାଙ୍କ ଭଳି ସୁବିଧା ଯୋଗାଇ ଦିଆଯାଉଛି । ପୋଷ୍ଟ ଅଫିସରେ ଟଙ୍କା ଜମା ରଖିବା, ଟଙ୍କା ଉଠାଇବା ପାଇଁ ଏଟିଏମ ସୁବିଧା ରହିଛି । ସେହିପରି ବିଭିନ୍ନ ସ୍କିମରେ ଟଙ୍କା ରଖି ଭଲ ରିଟର୍ଣ୍ଣ ପାଉଛନ୍ତି ଲୋକେ ।

ବିଶ୍ୱ ଡାକ ଦିବସ ପ୍ରତିବର୍ଷ ଅକ୍ଟୋବର ୯ ତାରିଖରେ ବିଭିନ୍ନ ଦେଶରେ ପାଳିତ ହୋଇଥାଏ । ହେଲେ ଭାରତରେ ଡାକ ଦିବସକୁ ସପ୍ତାହେ ବ୍ୟାପି ପାଳନ କରାଯାଇଥାଏ । ପ୍ରାୟ ୨୪୮ ବର୍ଷ ପୁରୁଣା ଭାରତୀୟ ଡାକ ବିଭାଗ ଚଳିତ ବର୍ଷ ଡାକ୍ତ ସପ୍ତାହ ଉତ୍ସବର ଥିମ ରଖିଛି ପୋଷ୍ଟ ଫର ପ୍ଲାନେଟ ।