ଗୌତମଙ୍କ ସମ୍ପର୍କ କରୁଛି ବିସିସିଆଇ । ଗମ୍ଭୀରଙ୍କୁ ଟିମ୍ ଇଣ୍ଡିଆ ହେଡ୍ କୋଚ୍ କରିବା ମୁଡରେ ବୋର୍ଡ । ରାହୁଲ ଦ୍ରାବିଡଙ୍କ ସ୍ଥାନରେ ହେଇପାରନ୍ତି ମୁଖ୍ୟ କୋଚ୍ ।

175

କନକ ବ୍ୟୁରୋ: ଗୌତମ ଗମ୍ଭୀରଙ୍କୁ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ କରିବା ମୁଡରେ ବିସିସିଆଇ । ମିଳିଥିବା ସୂଚନା ମୁତାବକ, ଟିମ୍ ଇଣ୍ଡିଆ ହେଡ୍ କୋଚ୍ ଦାୟିତ୍ୱ ନେବାକୁ ବିସିସିଆଇ ଗୌତମ ଗମ୍ଭୀରଙ୍କ ସହ ସମ୍ପର୍କ କରିଛି । ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟରୁ ଏନେଇ ସୂଚନା ମିଳିଛି ।

କୁହାଯାଉଛି, ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ପୂର୍ବତନ ବିଶ୍ୱକପ୍ ବିଜୟୀ ଖେଳାଳି ଗୌତମ ଗମ୍ଭୀରଙ୍କ କାନ୍ଧରେ ଟିମ୍ ଇଣ୍ଡିଆର ଭାର ଦେବାକୁ ଇଚ୍ଛୁକ ଅଛି । କାହିଁକି ନା, ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଆସନ୍ତା ଟି-୨୦ ବିଶ୍ୱକପ୍ ପରେ ଶେଷ ହେବାକୁ ଯାଉଛି । ଆଉ ଦ୍ରାବିଡ୍ ମଧ୍ୟ ଦଳର କୋଚ୍ ପଦରେ ରହିବାକୁ ଅମଙ୍ଗ ଅଛନ୍ତି । ତେଣୁ ବିଶ୍ୱକପ୍ ପରେ ଦଳକୁ ନୂଆ କୋଚ୍ ମିଳିବା ଏକ ପ୍ରକାର ପକ୍କା । ତେଣୁ ଏହି ଦାୟିତ୍ୱ ଗମ୍ଭୀରଙ୍କୁ ଦେବାକୁ ଇଚ୍ଛୁକ ଅଛି ବିସିସିଆଇ ।

୪୨ ବର୍ଷୀୟ ଗୌତମ ଗମ୍ଭୀର ବର୍ତ୍ତମାନ କେକେଆର ଟିମର ମେଣ୍ଟର ଅଛନ୍ତି । ଆଉ ତାଙ୍କ ତତ୍ତ୍ୱାବଧାନରେ ଦଳ ଏଥର ଆଇପିଏଲ୍ ପ୍ଲେ ଅଫ୍ ପକ୍କା କରିବା ସହିତ ଜବରଦସ୍ତ ଫର୍ମରେ ଅଛି । ଏମିତି କି ଦୀର୍ଘ ବର୍ଷ ଧରି ଆଇପିଏଲ୍ ପ୍ଲେ ଅଫ୍ ଦେଖିନଥିବା କେକେଆର୍ ପ୍ରଥମ ଦଳ ଭାବେ ଏଥର ପ୍ଲେ ଅଫରେ ଏଣ୍ଟ୍ରି ମାରିଛି । ଆଉ ଏହା ପଛରେ ଗମ୍ଭୀରଙ୍କ ରଣନୀତି ଥିବା କୁହାଯାଉଛି । ତେଣୁ ଏହାକୁ ଲକ୍ଷ୍ୟ କରି ବିସିସିଆଇ ଗମ୍ଭୀରଙ୍କୁ ଟିମ୍ ଇଣ୍ଡିଆ ଭାର ଦେବାକୁ ଲକ୍ଷ୍ୟ ରଖିଛି ବୋଲି ରିପୋର୍ଟ ପ୍ରକାଶ ପାଇଛି ।

ସୂଚନାଯୋଗ୍ୟ ଯେ, ଟିମ୍ ଇଣ୍ଡିଆ ହେଡ୍ କୋଚ୍ ପାଇଁ ଆବେଦନ କରିବାର ଶେଷ ତାରିଖ ରହିଛି ମେ ୨୭ ତାରିଖ । ଏହା ପୂର୍ବରୁ ଟିମ୍ ଇଣ୍ଡିଆ ହେଡ୍ କୋଚ୍ ପାଇଁ ଇଚ୍ଛୁକ ପ୍ରାର୍ଥୀମାନେ ଆବେଦନ କରିପାରିବେ । ରାହୁଲ ଦ୍ରାବିଡଙ୍କ ପରେ ଜୁଲାଇ ୨୦୨୪ରୁ ୨୦୨୭ ଡିସେମ୍ବର ମାସ ପର୍ଯ୍ୟନ୍ତ ଦାୟିତ୍ୱରେ ରହିବେ ଏହି ନୂଆ କୋଚ୍ ।