କଂଗ୍ରେସ ପ୍ରାର୍ଥୀ କହ୍ନେୟା କୁମାରଙ୍କୁ କାଳି ମାଡ । କହିଲେ, ପରାଜୟ ଭୟରେ ଗୁଣ୍ଡା ଲଗାଇ ଆକ୍ରମଣ କରିଛନ୍ତି ।

155

କନକ ବ୍ୟୁରୋ: କଂଗ୍ରେସ ନେତା ତଥା ଉତ୍ତର-ପୂର୍ବ ଦିଲ୍ଲୀର ସାଂସଦ ପ୍ରାର୍ଥୀ କହ୍ନେୟା କୁମାରଙ୍କୁ କାଳି ମାଡ ସହିତ ଆକ୍ରମଣ ଅଭିଯୋଗ । କହ୍ନେୟାଙ୍କୁ ମାଲ୍ୟାର୍ପଣ କରିବା ବାହାନାରେ ଆସିଥିବା ଯୁବକ ଜଣକ ତାଙ୍କୁ ଚାପୁଡ଼ା ମାରିଥିଲେ ପରେ କାଳି ଫିଙ୍ଗିଥିବା ଜଣାପଡିଛି । ଏହାପରେ କହ୍ନେୟାଙ୍କ ସମର୍ଥକମାନେ ତାଙ୍କୁ ଧକ୍କା ଦେଇଥିଲେ । ସେ କରତାର ନଗର ଅଞ୍ଚଳରେ ପ୍ରଚାର କରୁଥିବା ବେଳେ ଏହି ଆକ୍ରମଣ ହୋଇଥିଲା । ଏହି ସମୟରେ ଆମ୍ ଆଦମୀ ପାର୍ଟିର ମହିଳା କାଉନସିଲର ଛାୟା ଶର୍ମାଙ୍କୁ ମଧ୍ୟ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣା ସମୟରେ କହ୍ନେୟାଙ୍କ ଅନେକ ସମର୍ଥକ ଉପସ୍ଥିତ ଥିଲେ । ଯାହା ପରେ ଲୋକେ କାଳି ଫିଙ୍ଗୁଥିବା ବ୍ୟକ୍ତିଙ୍କୁ ମାଡ଼ ମାରିବା ଆରମ୍ଭ କରିଥିଲେ ।

ଆକ୍ରମଣ ପରେ କହ୍ନେୟା ନିଜେ କହିଥିଲେ ଯେ ‘କାଳି ଫିଙ୍ଗିବା କିଛି ବଡ଼ କଥା ନୁହେଁ’ । ଏହି ପୁରା ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଆମ୍ ଆଦମୀ ପାର୍ଟିର କାଉନସିଲର ଛାୟା ଶର୍ମା କହିଛନ୍ତି ଯେ କଂଗ୍ରେସ ନେତାଙ୍କ ବୈଠକ ହୋଇଥିଲା । ବୈଠକ ସରିବା ପରେ କହ୍ନେୟା କୁମାର ଓ ସମସ୍ତ ନେତା ବିଲ୍ଡିଂରୁ ବାହାରକୁ ଆସୁଥିବା ବେଳେ ୭ରୁ ୮ ଜଣ ସେଠାକୁ ଆସିଥିଲେ, ଯେଉଁଥିରୁ ଦୁଇ ଜଣଙ୍କ ପାଖରେ ଅସ୍ତ୍ରଶସ୍ତ୍ର ଥିଲା । ଏହି ସମସ୍ତ ଲୋକ କୋଠା ଭିତରକୁ ପଶି କହ୍ନେୟା କୁମାରଙ୍କୁ ମାଲ୍ୟାର୍ପଣ କରିବା ବାହାନାରେ ଚାପୁଡ଼ା ମାରିଥିଲେ । ଜଣେ ବାଳକ ୩୦ରୁ ୪୦ ଜଣଙ୍କ ଉପରକୁ କଳା କାଳି ଫିଙ୍ଗିଥିଲେ । ଏହି ଘଟଣାକୁ ନେଇ କାଉନସିଲର ଛାୟା ଶର୍ମା ଲିଖିତ ଅଭିଯୋଗ କରିଛନ୍ତି । ଏହି ଆସନରେ ବିଜେପିର ପ୍ରାର୍ଥୀ ରହିଛନ୍ତି ମନୋଜ ତିୱାରୀ ।

ଏହି ଆକ୍ରମଣ ପରେ କହ୍ନେୟା କୁମାରଙ୍କ କାର୍ଯ୍ୟାଳୟରୁ ଏକ ଆନୁଷ୍ଠାନିକ ବୟାନ ସାମ୍ନାକୁ ଆସିଛି । କହ୍ନେୟାଙ୍କୁ ଯେଉଁ ପ୍ରବଳ ସମର୍ଥନ ମିଳୁଛି ଏବଂ ପରାଜୟର ଭୟ ଏବେର ସାଂସଦ ମନୋଜ ତିୱାରୀଙ୍କୁ ନିରାଶ କରିଛି । ତାଙ୍କ ସାଥୀ ଗୁଣ୍ଡାମାନଙ୍କୁ ପଠାଇ କହ୍ନେୟାଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରାଯାଇଛି । ମେ’ ୨୫ତାରିଖରେ ହିଂସାର ଜବାବ ଲୋକେ ଭୋଟରେ ଦେବେ ବୋଲି ବିବୃତ୍ତିିରେ କୁହାଯାଇଛି ।