ହାତ ବାଜିଗଲା ବୋଲି । ଦଳିତ ଝିଅଙ୍କୁ ଦୋକାନୀର ମାଡ ।

166

କନକ ବ୍ୟୁରୋ : ଭୁଲରେ ହାତ ବାଜିବାକୁ ଦଳିତ ଝିଅକୁ ମାଡ ମାରିଲେ ଦୋକାନୀ । ଏଭଳି ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି ରାଜସ୍ଥାନରୁ । ଧୋଲପୁରର ବାଡି ଉପଖଣ୍ଡର ନକସୌଦା ଗାଁରେ ଜଣେ ଦଳିତ ଝିଅଙ୍କୁ ହାତ ବାଜିବାରୁ ଦୋକାନୀ ଏବଂ ତାଙ୍କ ପୁଅ ମାଡ ମାରିଛନ୍ତି । ତେବେ ପରିବାର ଏନେଇ ଥାନାରେ ଅଭିଯୋଗ କରିବା ପରେ ବି ପୋଲିସ କୌଣସି ପଦକ୍ଷେପ ନେଇନାହିଁ ।

ଦଳିତ ଝିଅ ଜଣଙ୍କ କିଛି ଜିନିଷ କିଣିବା ପାଇଁ ଦୋକାନକୁ ଯାଇଥିଲେ । ତେବେ ଏହି ସମୟରେ ଦୋକାନୀଙ୍କ ହାତରେ ସେ ଛୁଇଁ ହୋଇଥିଲେ । ଏହାକୁ ନେଇ ସେଠାରେ ଦୋକାନୀ ପାଟିତୁଣ୍ଡ କରିଥିଲେ । ପରେ ସେ ପୁଅକୁ ଡାକିବା ସହ ଝିଅକୁ ମାଡ ମାରିଥିଲେ । ତେବେ ଝିଅର ବଡ ଭଉଣୀ ତାଙ୍କୁ ବଞ୍ଚାଇବା ପାଇଁ ଆସିବା ବେଳେ ତାଙ୍କୁ ମଧ୍ୟ ମାଡ ମରାଯାଇଥିଲା । ଘଟଣା ପରେ ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଡାକ୍ତର ଘରକୁ ପଠାଇଥିଲେ ।

ତେବେ ମେ ମାସ ୮ ତାରିଖରେ ଏହି ଘଟଣା ଘଟିବା ପରେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ୬ ଦିନ ପରେ ପୋଲିସ ହାତ ବାନ୍ଧି ବସିରହିଛି । ପିଡିତାଙ୍କ ପରିବାର ନ୍ୟାୟ ପାଇଁ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେପଟେ ଅଭିଯୁକ୍ତ ଘଟଣାରେ ସମାଧାନ ପାଇଁ ପରିବାର ଉପରେ ଚାପପକାଉଥିବା ଅଭିଯୋଗ ହୋଇଛି । ଏକଥାରେ ରାଜି ନହେଲେ ଗାଁରୁ ବାସନ୍ଦ କରିବାର ମଧ୍ୟ ଧମକ ଦେଇଛନ୍ତି ।