ପୁଲିସ ଚାକିରି ଛାଡି ଗାଁ ରାଜନୀତିରେ ସକ୍ରିୟ ଆଦିବାସୀ ଯୁବକ: ପଂଚାୟତ ନିର୍ବାଚନରେ ହୋଇଛନ୍ତି ସମିତି ସଭ୍ୟ ପ୍ରାର୍ଥୀ

221

କନକ ବ୍ୟୁରୋ: ଚଳିତ ପଂଚାୟତ ନିର୍ବାଚନରେ ଅନେକ ଉଚ୍ଚ ଶିକ୍ଷିତ ଯୁବକ ଯୁବତୀ ସାମିଲ ହୋଇଛନ୍ତି । ଗାଁ ରାଜନୀତିରୁ ଭବିଷ୍ୟତର ସ୍ୱପ୍ନ ଦେଖୁଛନ୍ତି । ହେଲେ ରାୟଗଡା ଜିଲ୍ଲାର ରବି ଶଙ୍କର ଗମାଙ୍ଗ ପୁଲିସ ଚାକିରି ଛାଡି ପଂଚାୟତ ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି । ରାମାନାଗୁଡା ବ୍ଲକ ଉକାମ୍ବା ପଂଚାୟତରୁ ସମିତି ସଭ୍ୟ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ରବି ଶଙ୍କର । ମାଟି ମାଆର ସେବା ଓ ନିଜ ଅଂଚଳର ବିକାଶ ପାଇଁ ପୁଲିସ ଚାକିରିକୁ ପଛ କରିଥିବା ରବି ଶଙ୍କର ଗମାଙ୍ଗଙ୍କୁ ନେଇ ଏବେ ସମଗ୍ର ଜିଲ୍ଲାରେ ଚର୍ଚ୍ଚା ହେଉଛି ।

୨୦୦୬ରେ ରାଜନୀତି ବିଜ୍ଞାନରେ ସ୍ନାତକତ୍ତୋର ହାସଲ କରିବା ପରେ ୨୦୧୦ରେ ପୁଲିସ ବିଭାଗରେ ଯୋଗ ଦେଇଥିଲେ ରବି ଶଙ୍କର । ୭ ବର୍ଷ ଏସଆଇ ଭାବେ କାମ କରିବା ପରେ ୨୦୧୭ରେ ଓଏସଏପି ବାଟାଲିୟନର ଇନ୍ସପେକ୍ଟର ଭାବେ ପଦୋନ୍ନତି ପାଇଥିଲେ । କିନ୍ତୁ ରାଜନୀତି କରିବା ପାଇଁ ଇଛା ତାଙ୍କୁ ଚାକିରି ଜୀବନକୁ ଦୂରେଇ ଦେଇଛି ।

୨୦୧୮ରେ ଚାକିରି ଛାଡି ବିଜେପିରେ ସାମିଲ ହୋଇଥିବା ବେଳେ ୨୦୧୯ ସାଧାରଣ ନିର୍ବାଚନରେ ଗୁଣୁପୁରରୁ ବିଧାୟାକ ପ୍ରାର୍ଥୀ ଭାବେ ଲଢିବାକୁ ଆଶା ରଖିଥିଲେ । ହେଲେ ସେତେବେଳେ ଦଳ ତାଙ୍କୁ ଟିକେଟ ଦେଇନଥିବାରୁ ଏବେ ପଂଚାୟତ ନିର୍ବାଚନରେ ସମିତି ସଭ୍ୟ ପ୍ରାର୍ଥୀ ହୋଇଛନ୍ତି ରବି ଶଙ୍କର । ଚଳିତ ପଂଚାୟତ ନିର୍ବାଚନରେ ଉକମ୍ବା ପଂଚାୟତରୁ ଜଣେ ଉଚ ଶିକ୍ଷିତ ଯୁବକ ସମିତି ସଭ୍ୟ ପାଇଁ ନାମାଙ୍କନ ଦାଖଲ କରିଥିବାରୁ ଅଂଚଳ ବାସୀ ମଧ୍ୟ ଖୁସି ଜାହିର କରିଛନ୍ତି ।