ସ୍ୱର୍ଗଦ୍ୱାରରେ ହେବ ଅଭିନେତା ରାଇମୋହନ ପରିଡାଙ୍କ ଶେଷକୃତ୍ୟ

184

କନକ ବ୍ୟୁରୋ: ବରିଷ୍ଠ ସିନେ ଅଭିନେତା ରାଇମୋହନ ପରିଡାଙ୍କ ଦେହାନ୍ତ ହୋଇଛି । ଶୁକ୍ରବାର ନିଜ ଭୁବନେଶ୍ୱର ସ୍ଥିତ ବାସଭବନରେ ସେ ନିଜ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ତେବେ ଏହା ଆତ୍ମହତ୍ୟା ନା ତାଙ୍କୁ କେହି ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । ଅନ୍ୟପଟେ ପୋଲିସ ରାଇମୋହନଙ୍କ ମୃତ ଶରୀରକୁ ନେଇ ବ୍ୟବଚ୍ଛେଦ କରାଇଛି । ଶବ ବ୍ୟବଚ୍ଛେଦ ହେବା ପରେ ତାଙ୍କର ମରଶରୀରର ଶେଷକୃତ୍ୟ ସମ୍ପନ୍ନ ହେବ । ପୁରୀ ସ୍ଥିତ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର ହେବ ବୋଲି ପରିବାର ଲୋକ ସୂଚନା ଦେଇଛନ୍ତି ।

ଶୁକ୍ରବାର ତାଙ୍କ ଭୁବନେଶ୍ୱର ପ୍ରାଚୀ ବିହାର ବାସଭବନରେ ରାଇମୋହନ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ତେବେ ସେ କାହିଁକି ଆତ୍ମହତ୍ୟା କଲେ? ତାଙ୍କ ମୃତ୍ୟୁ ପଛର କାରଣ କଣ ତାହା ପଡିନି ।

ସୂଚନାଯୋଗ୍ୟ ଯେ, ୯୦ ଦଶକରେ ଯେଉଁ ଫିଲ୍ମ ହେଉଥିଲା ପ୍ରାୟ ଅନେକ ଫିଲ୍ମରେ ରାଇମୋହନ ଖଳନାୟକ ଭୂମିକା ଲିଭାଉଥିଲେ । ଆଉ ତାଙ୍କ କ୍ୟାରିୟର ଭିତରେ ସେ ୧୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିଲେ । ୯୦ଟି ଓଡିଆ ଫିଲ୍ମ ଓ ୧୫ଟି ବଙ୍ଗଳା ଫିଲ୍ମରେ ଅଭିନୟ କରି ସେ ଦର୍ଶକଙ୍କ ପ୍ରିୟ ହୋଇଥିଲେ । କେବଳ ଫିଲ୍ମରେ ସେ ଯାତ୍ରା ଦୁନିଆରେ ମଧ୍ୟ ନିଜ ଜୀବନ୍ତ ଅଭିନୟର ଯାଦୁ ଦେଖାଇଥିଲେ ।

ତାଙ୍କର ପ୍ରଥମ ଓଡିଆ ଫିଲ୍ମ ଥିଲା ପକା କମ୍ବଳ ପୋତ ଛତା । ସେଥିରେ ସେ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ । ଏହାପରେ ୧୯୯୨ ମସିହାରେ ସାଗର ଫିଲ୍ମରେ ଅଭିନୟ କରିଥିଲେ । ପରେ ଲକ୍ଷେ ଶିବ ପୂଜି ପାଇଛି ପୁଅ, ରଣ ଭୂମି, ମା ପରି କିଏ ହେବ, ସରପଞ୍ଚ ବାବୁ, କଣ୍ଢେଇ ଆଖିରେ ଲୁହ, ସେଇ ଝିଅଟି, ଦାଦାଗିରି, ଯେ ପାଞ୍ଚେ ପରମନ୍ଦ, ଚକା ଆଖି ସବୁ ଦେଖୁଛି, ମଣି ନାଗେଶ୍ୱରୀ, ପାଚେରୀ ଉଠିଲା ମଝି ଦୂଆରେ, ସ୍ତ୍ରୀ, ନାଗ ପଞ୍ଚମୀ, ସମୟ ବଡ ବଳବାନ, ସୁନା ସଂସାର, ହିସାବ କରିବ କାଳିଆ, ଗଙ୍ଗ ଶିଉଳି ଭଳି ଅନେକ ଫିଲ୍ମରେ ଅଭିନୟ କରିଥିଲେ ।

ତାଙ୍କର ଅଭିନୀତ ରଣଭୂମି ଚଳଚ୍ଚିତ୍ର ପାଇଁ ସେ ବେଶ ପରିଚିତ ହୋଇଥିଲେ । ଏହି ଫିଲ୍ମରେ ହେଇଟି ଅନାନୀ… ଡାଇଲଗ ଦର୍ଶକଙ୍କ ହୃଦୟ ଜିତିଥିଲା । ଏହି ଡାଇଲଗ ଦେଇଥିଲା ତାଙ୍କୁ ବ୍ୟାଡ ବୟର ଟ୍ୟାଗ । ସେ ଏମିତି ନିଖୁଣ ଅଭିନୟ କରନ୍ତି ଯେ ସେ ଖଳନାୟକ ଭୂମିକା କରି ମଧ୍ୟ ବେଶ ଲୋକପ୍ରିୟତା ହାସଲ କରିଥିଲେ ।