ପେନସନ୍ ନାହିଁ, ବିପିଏଲ କାର୍ଡ ମାଧ୍ୟମରେ ଚଳୁଛି ସଂସାର । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ବିଧାୟକଙ୍କ କାହାଣୀ

406

କନକ ବ୍ୟୁରୋ : ଆପଣମାନେ ଟିଭି କି ଖବର କାଗଜ ଖୋଲିଲେ ଦେଖୁଥିବେ କି ଜଣେ ଜଣେ କିରାଣୀଙ୍କ ଘରୁ ପୁଳା ପୁଳା ଟଙ୍କା ଓ କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ ହେଉଛି । ଲୋକପ୍ରତିନିଧିଙ୍କ କଥା ନକହିବା ଭଲ । ଏଠି ଜଣେ ସରପଞ୍ଚ ୫ ବର୍ଷ କାର୍ଯ୍ୟକାଳ ପୂରଣ କରିବା ପରେ ସେ ୫ ପୀଢି ପାଇଁ ସମ୍ପତ୍ତି ଠୁଳ କରିଦେଉଛନ୍ତି । ହେଲେ ଆମେ ଏମିତି ଜଣେ ବିଧାୟକଙ୍କ କଥା କହୁଛୁ ଯେ କି ୫ ବର୍ଷ ବିଧାୟକ ରହି ଅବସର ନେବା ପରେ ଏବେ ଦୁଇଓଳି ଦୁଇମୁଠା ଖାଇବାକୁ ପାଉ ନାହାଁନ୍ତି ।

ଆମେ କହୁଛୁ ଗୁଜରାଟର ପୂର୍ବ ବିଧାୟକ ଜେଠାଭାଇ ରାଠୋଡଙ୍କ କଥା । ତାଙ୍କ ସଂଘର୍ଷମୟ ଜୀବନ କାହାଣୀ ଆପଣଙ୍କୁ ପୁଣିଥରେ ଭାବିବାକୁ ବାଧ୍ୟ କରିବ ଯେ ବାସ୍ତବରେ ସେମାନେ ହିଁ ଥିଲେ ଲୋକ ପ୍ରତିନିଧି । ଗୁଜରାଟର ସବାରକାଣ୍ଠା ଜିଲ୍ଲାର ଏକ ଛୋଟ ଗାଁ ଦେବଡା ବାସିନ୍ଦା ହେଉଛନ୍ତି ଜେଠାଭାଇ । ୧୯୬୭ ମସିହାରେ ସେ ଖେଡବ୍ରହ୍ମା ବିଧାନସଭାରୁ ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିିତା କରି କଂଗ୍ରେସ ପ୍ରାର୍ଥୀଙ୍କୁ ୧୭ ହଜାର ଭୋଟରେ ପରାଜିତ କରିଥିଲେ । ସେ ସମୟରେ ସେ ସାଇକେଲରେ ବୁଲି ବୁଲି ନିର୍ବାଚନ ପ୍ରଚାର କରିଥିଲେ ।

ତାଙ୍କ ସମୟର ଲୋକମାନେ କହନ୍ତି କି ଜେଠାଭାଇ ଖେଡବ୍ରହ୍ମାରୁ ଗାନ୍ଧୀନଗର ପର୍ଯ୍ୟନ୍ତ ସରକାରୀ ବସରେ ଯାତାୟତ କରୁଥିଲେ । ତାଙ୍କ ୫ ବର୍ଷ କାର୍ଯ୍ୟକାଳ ମଧ୍ୟରେ ସେ ପୁରା ବିଧାନସଭାକୁ ସାଇକେଲରେ ଯାତ୍ରା କରିଥିଲେ । ସେ ତାଙ୍କ କାର୍ଯ୍ୟକାଳରେ ଉକ୍ତ ବିଧାନସଭାରେ ସର୍ବାଧିକ ଉନ୍ନତି କରିଥିଲେ ବି ସରକାରୀ ସହାୟତାରୁ ବଞ୍ଚିତ ହୋଇଛନ୍ତି ଜେଠାଭାଇ ।

କୌଣସି କାରଣରୁ ସରକାର ତାଙ୍କ ବିଧାୟକ ପେନସନ ବନ୍ଦ କରିଦେଇଥିଲେ । ଏନେଇ ଜେଠାଭାଇ କୋର୍ଟରେ ନ୍ୟାୟ ଭିକ୍ଷା କରିଥିଲେ ଓ କୋର୍ଟ ସରକାରଙ୍କୁ ଜେଠାଭାଇଙ୍କୁ ପେନସନ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ସେବେଠାରୁ ଏପର୍ଯ୍ୟନ୍ତ କୋର୍ଟଙ୍କୁ ନିର୍ଦ୍ଦେଶକୁ ଅବମାନନା କରିଚାଲିଛନ୍ତି ସରକାର । ସେପଟେ ଜେଠାଭାଇଙ୍କ ପରିବାରରେ ୫ ପୁଅ ଓ ସେମାନଙ୍କ ପରିବାର । ଚଳିବାରେ ଅସୁବିଧା ହେବାରୁ ଏବେ ସେମାନେ ଦିନ ମଜୁରୀଆ ଭାବେ କାମ କରି ଜୀବନ ଯାପନ କରୁଛନ୍ତି । ଏହାସହ ସରକାର ଯୋଗାଇ ଦେଇଥିବା ବିପିଏଲ କାର୍ଡ ମାଧ୍ୟମରେ ଯାହା ସହାୟତା ମିଳୁଛି ତାହାକୁ ପାଥେୟ କରି ଜୀବନ ଅତିବାହିତ କରୁଛନ୍ତି ଜେଠାଭାଇ । ଦିନେ ପୁରା ବିଧାନସଭା ମଣ୍ଡଳୀର ଲୋକଙ୍କୁ ଦୁଖ ଦୁର୍ଦ୍ଦଶାରେ ସାହା ହେଉଥିବା ଜେଠାଭାଇଙ୍କ ଆଖିରୁ ଲୁହା ପୋଛିବାକୁ ଆଜି କେହି ବି ଆସୁ ନାହାଁନ୍ତି । ଏନେଇ ଜେଠାଭାଇ ବାରମ୍ବାର ସରକାରଙ୍କୁ ନିବେଦନ କରୁଛନ୍ତି କି ତାଙ୍କୁ ସହାୟତା ଆବଶ୍ୟକ ।