ସମୟ ଗଡୁଛି, ରହସ୍ୟ ବଢ଼ୁଛି । ଗୁଳି ଖୋଜୁଛି ତଦନ୍ତକାରୀ ଟିମ୍ । ଘଟଣାସ୍ଥଳରେ କ୍ରାଇମବ୍ରାଞ୍ଚର ଛାନଭିନ୍ ।

368

କନକ ବ୍ୟୁରୋ: ମନ୍ତ୍ରୀ ନବ ଦାସ ଗାଡି ଡୋର୍ ଖୋଲି ପଦାକୁ ଆସିବା କ୍ଷଣି ଛାତିକୁ ଲକ୍ଷ୍ୟ କରି ଅଭିଯୁକ୍ତି ଗୁଳି କରିଥିଲା । ତେବେ ଅଭିଯୁକ୍ତ ଏତେ ପାଖରୁ ଗୁଳି ମାରିଥିଲା ଯେ, କୁହାଯାଉଥିଲା ଗୁଳିଟି ଛାତି ଚିରି ପାର ହୋଇଯାଇଥିଲା । ଆଗ ପଟେ ପଶି ପଛ ପଟେ ବାହାରି ଯାଇଥିଲା । ହେଲେ ଏବେ ମିଳୁନି ସେହି ଗୁଳି, ଆଉ ଗୁଳିକୁ ଖୋଜୁଛି ତଦନ୍ତକାରୀ ଟିମ୍ ।

  • ଖୋଜା ଚାଲିଛି ଗୁଳି
  • ଅଦୃଶ୍ୟ ଗୁଳି କହିବ କାହାଣୀ

ମନ୍ତ୍ରୀ ନବ ଦାସଙ୍କ ଦେହରେ ଯେଉଁ ଗୁଳି ବାଜି ତାଙ୍କ ଜୀବନ ନେଇଛି, ସେହି ଗୁଳିକୁ ଖୋଜୁଛି କ୍ରାଇମବ୍ରାଞ୍ଚ । କୁହାଯାଉଥିଲା ଗୁଳିିଟି ନବ ଦାସଙ୍କ ଛାତିର ଆଗପଟେ ପଶି ପିଠି ପଟେ ବାହାରି ଯାଇଛି । କିନ୍ତୁ ଗୁଳିଟି କୁଆଡେ ଗଲା ତାହା ମିଳୁ ନଥିବା ଜଣାପଡିଛି । ହେଲେ ସେହି ଅଦୃଶ୍ୟ ଗୁଳିରେ ଅନେକ କାହାଣୀ ଲୁଚି ରହିଥିବାରୁ ଗୁଳିଟି ବେଶ୍ ଗୁରୁତ୍ୱପୂର୍ଣ୍ଣ । ତେଣୁ ଗୁଳିକୁ ଖୋଜିବାକୁ ଘଟଣାସ୍ଥଳରେ ତନ ତନ କରି ଯାଞ୍ଚ କରୁଛି କ୍ରାଇମବ୍ରାଞ୍ଚ ।

ଗୋପାଳଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ଗୁଳିଟି ଅତି ଗୁରୁତ୍ୱପୂର୍ଣ୍ଣ । କାରଣ ଯେଉଁ ଗୁଳି ଗୋପାଳ ଦାସଙ୍କ ବନ୍ଧୁକରେ ଲୋଡ ହୋଇଥିଲା, ସେହି ଗୁଳି ହିଁ ନବ ଦାସଙ୍କ ଦେହରେ ବାଜିଥିଲା ବୋଲି ପ୍ରମାଣିତ କରିବାକୁ ପଡିବ । ସୂଚନା ଅନୁସାରେ ଗୋପାଳଙ୍କ ସର୍ଭିସ ରିଭଲଭରରୁ ଯେଉଁ ତିନୋଟି ଗୁଳି ଫାୟାରିଂ କରାଯାଇଥିଲା ସେଥିରୁ ଦୁଇଟି ମିଳିଛି । କିନ୍ତୁ ଯେଉଁ ଗୁଳିଟି ନବ ଦାସଙ୍କ ଦେହରେ ବାଜିଥିଲା ତାହା ମିଳିନାହିଁ । ହେଲେ, ଦୁଇଟି ଖୋକା ଜବତ ହୋଇଛି ।ତେବେ ଫରେନସିକ୍ ଏକ୍ସପର୍ଟଙ୍କ କହିବା ଅନୁସାରେ, ଗୁଳି ନମିଳିଲେ ବି, ମିଳିଥିବା ଖୋକା, ଗୋପାଳଙ୍କ ହେଣ୍ଡ ସ୍ୱାବର ରିପୋର୍ଟ ଅନୁସାରେ ତାଙ୍କୁ ଦୋଷୀ ବୋଲି ପ୍ରମାଣିତ କରାଯାଇପାରିବ ।

  • ବେଲଜିୟମ ନିର୍ମିତ ବନ୍ଧୁକରୁ ଗୁଳିମାଡ
  • ୨୦୧୩ରେ ଇସ୍ୟୁ ହୋଇଥିଲା ପିସ୍ତଲ

ମନ୍ତ୍ରୀ ନବ ଦାସଙ୍କୁ ବେଲଜିୟମ ନିର୍ମିତ ଶକ୍ତିଶାଳୀ ୯-ଏମଏମଏମ ପିସ୍ତଲରୁ ଗୁଳି ମାଡ କରିଥିଲେ ଗୋପାଳ । ଯେଉଁ ବନ୍ଧୁକ ଭାରତୀୟ ସେନା, ଅର୍ଦ୍ଧ-ସାମରିକ ବାହିନୀ ଓ ପୋଲିସ ବ୍ୟବହାର କରିଥାନ୍ତି । ୫୦ ମିଟର ଦୂରତା ଭିତରେ ଟାର୍ଗେଟକୁ ଭେଦ କରିଥାଏ । ଭାରତ ସମେତ ବିଶ୍ୱର ପ୍ରାୟ ୫୦ଟି ଦେଶରେ ଏହି ବନ୍ଧୁକକୁ ବ୍ୟବହାର କରାଯାଉଛି । ଅଭିଯୁକ୍ତ ଗୋପାଳଙ୍କୁ ୨୦୧୩ରେ ଇସ୍ୟୁ ହୋଇଥିଲା ଏହି ବନ୍ଧୁକ । ୯-ଏମଏମ୍ ପିସ୍ତଲ ସହ ଦିଆଯାଇଥିଲା ୨୪ ରାଉଣ୍ଡ ଗୁଳି । ୨୦୨୦ ମସିହାରେ ପୁରୁଣା ଗୁଳିକୁ ବଦଳାଇ ନୂଆ ଗୁଳି ଦିଆଯାଇଥିଲା । ୨୦୨୨ ଡିସେମ୍ବର ମାସରେ ରେଞ୍ଜ କୋର୍ସ ଫାଇରିଂରେ ଯୋଗଦେଇଥିଲେ ଗୋପାଳ ।