ଗୁଳିକାଣ୍ଡ ସ୍ଥାନରେ କ୍ରାଇମବ୍ରାଞ୍ଚ ଓ ଫରେନସିକ୍ ଟିମର ଖୋଳତାଡ଼ । ଖୋଲୁନି ମନ୍ତ୍ରୀ ନବ ଦାସଙ୍କ ମର୍ଡର ମିଷ୍ଟ୍ରୀ । 

275

କନକ ବ୍ୟୁରୋ: ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ ଘଟଣାକୁ ଦୁଇ ଦିନ ବିତିଗଲାଣି । ଅଭିଯୁକ୍ତକୁ ଘଟଣା ସ୍ଥଳରୁ କାବୁ କରାଯାଇଥିଲେ ବି କାହିଁକି ଜଣେ ପୁଲିସ ଏଏସଆଇ ମନ୍ତ୍ରୀଙ୍କୁ ଗୁଳିମାଡ଼ କଲେ, ଏହାର କାରଣ ଜାଣିପାରିନାହିଁ କ୍ରାଇମବ୍ରାଞ୍ଚ । ବ୍ୟକ୍ତିଗତ କାରଣ କିମ୍ବା ରାଜନୈତିକ, ବ୍ୟବସାୟିକ ଶତ୍ରୁତା, ଏ ନେଇ ଛାନଭିନ କରୁଛନ୍ତି ତଦନ୍ତକାରୀ ଟିମ୍ ।

  • ଗୁଳିକାଣ୍ଡ ସ୍ଥାନରେ କ୍ରାଇମବ୍ରାଞ୍ଚ ଓ ଫରେନସିକ୍ ଟିମର ଖୋଳତାଡ଼
  • କ୍ରାଇମ୍ ସ୍ପଟରେ ଲଗାଯାଇଛି ଡିଜିଟାଲ୍ ସ୍କାନର

ଘଟଣାସ୍ଥଳରେ ନିଜେ ରହି ତଦନ୍ତର ଅନୁଧ୍ୟାନ କରୁଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା । ତଦନ୍ତରେ ସହଯୋଗ ପାଇଁ ଦିଲ୍ଲୀରୁ ଆସିଛନ୍ତି ସ୍ୱତନ୍ତ୍ର ଟିମ୍ । ପ୍ରତ୍ୟକ୍ଷ ଦର୍ଶୀଙ୍କୁ ପଚାରାଉଚରା କରାଯାଇଛି । କ୍ରାଇମ୍ ସ୍ପଟ୍ରେ ଫାରୋ କ୍ୟାମେରା ଲଗାଇଛି କ୍ରାଇମବ୍ରାଞ୍ଚ ।

ଅଭିଯୁକ୍ତ ଏଏସଆଇ ଗୋପାଳ ଦାସ, ଏକା ଅଭିଯୁକ୍ତ ନା ତା’ ପଛରେ କେଉଁ ଅଦୃଶ୍ୟ ଶକ୍ତି ରହିଛି, ବଡ଼ ଷଡ଼ଯନ୍ତ୍ରର ସେ ଅଂଶବିଶେଷ, ପୂରା ରହସ୍ୟ ସଂପର୍କରେ ଜାଣିବା ପାଇଁ ସାରା ରାଜ୍ୟ ଅପେକ୍ଷା କରି ରହିଛି । ଏପଟେ କ୍ରାଇମବ୍ରାଞ୍ଚ ସୂତ୍ରରୁ ଜଣାପଡିଛି, ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରିଥିବା ସ୍ୱୀକାର କରିଛି ଗୋପାଳ ଦାସ । କିନ୍ତୁ କାହିଁକି ଗୁଳିମାଡ଼ କଲେ, ଏ ନେଇ ନିରବ ରହୁଛି ଅଭିଯୁକ୍ତ ।

  • ମନ୍ତ୍ରୀଙ୍କ ପିଏସଓଙ୍କୁ କ୍ରାଇମବ୍ରାଞ୍ଚର ୩୫ ପ୍ରଶ୍ନ
  • ଗୋପାଳ ସଂପର୍କରେ ଅଧିକ ଜାଣିବାକୁ ପ୍ରୟାସ      

ନବ ଦାସଙ୍କ ପିଏସଓଙ୍କୁ ଏଡିଜି ଅରୁଣ ବୋଥ୍ରା ଏବଂ ତଦନ୍ତରେ ସାମିଲ ଥିବା ଅନ୍ୟ ଅଧିକାରୀ ପଚରାଉଚରା କରିଥିବା ସୂଚନା ମିଳିଛି । ଗୋପାଳଙ୍କୁ ପୂର୍ବରୁ ଜାଣିଥିଲେ କି ନାହିଁ, ଏହିଭଳି ୩୫ରୁ ଅଧିକ ପ୍ରଶ୍ନ ପିଏସଓଙ୍କୁ କରାଯାଇଥିବା ଜାଣିବାକୁ ମିଳିଛି । ପିଏସଓ ଓ ଡ୍ରାଇଭରଙ୍କୁ ପଚରାଉଚରା କରି ଗୋପାଳ ସଂପର୍କରେ ଅଧିକ ସୂଚନା ପାଇଁ ଚେଷ୍ଟା କରୁଛି କ୍ରାଇମବ୍ରାଞ୍ଚ ।

  • ଗୋପାଳଙ୍କ ଘରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ୍ 
  • ଭାଇଙ୍କୁ ଉଠାଇ ନେଇଥିବା ସୂଚନା

ଅଭିଯୁକ୍ତ ଗୋପାଳ ଦାସଙ୍କ ଗଞ୍ଜାମ ଜଳେଶ୍ୱରଖଣ୍ଡି ସ୍ଥିତ ଘରେ ପହଞ୍ଚି ଛାନଭିନ କରୁଛି କ୍ରାଇମବ୍ରାଞ୍ଚର  ଏକ ଟିମ୍ । ସେଠାରୁ ତାଙ୍କ ଭାଇଙ୍କୁ ଉଠାଇ ନେଇ ଅଜ୍ଞାନ ସ୍ଥାନରେ ପଚରାଉଚରା କରାଯାଉଥିବା ସୂଚନା ମିଳିଛି । ଝାରସୁଗୁଡ଼ାରେ ଘର ଭଡ଼ା ନେଇ ସେ ହୋଟେଲ୍ କରିଥିଲେ, ଗୁଳିକାଣ୍ଡ ଦିନ ଦୋକାନ ବନ୍ଦ କରି ପଳାଇ ଆସିଥିବା ଜଣାପଡିଛି ।

ନବ ଦାସଙ୍କ ହତ୍ୟାର ରହସ୍ୟ ଖୋଲିବା ପାଇଁ ସବୁ ଦିଗକୁ ଦୃଷ୍ଟି ଦେଇ ତଦନ୍ତକୁ ଆଗକୁ ବଢ଼ାଉଛି କ୍ରାଇମବ୍ରାଞ୍ଚ । ଘଟଣା ସ୍ଥଳରୁ ଆରମ୍ଭ କରି ଗଞ୍ଜାମ ଜିଲ୍ଲାରେ ଥିବା ଅଭିଯୁକ୍ତର ଘରେ ଖୋଳତାଡ଼, କ୍ୟାପିଟାଲ୍ ହସପିଟାଲ ଦେଇଥିବା ପୋଷ୍ଟମର୍ଟମ ରିପୋର୍ଟକୁ ପରୀକ୍ଷା ନିରୀକ୍ଷା କରାଯାଉଛି । ହେଲେ ଗୁଳିକାଣ୍ଡର ରହସ୍ୟ ଭେଦିବାକୁ ଏପର୍ଯ୍ୟନ୍ତ ସମର୍ଥ ହୋଇନାହିଁ ତଦନ୍ତକାରୀ ଟିମ୍ ।