ଅନ୍ଧାରକୁ ଠେଲି ହୋଇଯାଉଛି ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ରଙ୍କ ଭବିଷ୍ୟତ। ଭୁବନେଶ୍ୱରରେ ଶୋଭାଯାତ୍ରା କରି ସରକାରଙ୍କୁ କଲେ ଅପିଲ୍।

127

କନକ ବ୍ୟୁରୋ: କଲେଜ ପଢିଲା ବେଳଠୁ ଡାକ୍ତର ହେବାର ସ୍ୱପ୍ନ ଦେଖିଥିଲେ ସତ୍ୟବ୍ରତ । ଭାରତର ଘରୋଇ ଡାକ୍ତରଖାନାରେ ପଢିବା ଖର୍ଚ୍ଚ କୋଟିଏ ଟଙ୍କା ଉପରେ ହେବାରୁ ୟୁକ୍ରେନ ଯାଇ ପଢିବାକୁ ନିଷ୍ପତ୍ତି ନେଲେ । ପ୍ରଥମ ପର୍ଯ୍ୟାୟରେ ଆଡମିଶନ ବେଳକୁ ୧୦ ଲକ୍ଷ ଆବଶ୍ୟକ ପଡିଥିଲା । ମଧ୍ୟବିତ୍ତ ପରିବାରରେ ଏତେ ଟଙ୍କା ଯୋଗାଡ କରିବା ଏତେ ସହଜ ନଥିଲା । ଘରର ରୋଜଗାର କହିଲେ ଚାଷ ବାସ ଓ ବାପାଙ୍କର ଛୋଟିଆ ବ୍ୟବସାୟ । ବ୍ୟାଙ୍କ ଋଣ ସାଙ୍ଗକୁ ହାତ ଉଧାରି କରି ପୁଅ ପାଇଁ ଟଙ୍କା ଯୋଗାଡ କରିଥିଲେ । ସତ୍ୟବ୍ରତଙ୍କ ଭଳି ଅଂକସିତାଙ୍କ ପରିବାର ଲୋକ ବି ଋଣ କରି ଝିଅକୁ ୟୁକ୍ରେନ ପଠାଇଥିଲେ । ଯୁଦ୍ଧ ପରେ ଓଡିଶା ଫେରିଆସିବା ପରେ ଭବିଷ୍ୟତକୁ ନେଇ ସେ ବି ଚିନ୍ତାରେ ପଡିଯାଇଛନ୍ତି ।

ରୁଷ ୟୁକ୍ରେନ ଯୁଦ୍ଧ ସମୟରୁ ଓଡିଶା ଫେରିଆସିଥିବା ଡାକ୍ତରୀ ଛାତ୍ରଛାତ୍ରୀ ଆଗକୁ କଣ କରିବେ ଏହାର ଉତ୍ତର ପାଉନଥିବାବେଲେ ସରକାରଙ୍କ ସହଯୋଗକୁ କରିଛନ୍ତି ଅପେକ୍ଷା । ଏବେ ଏହି ଛାତ୍ରଛାତ୍ରୀମାନେ ଅନଲାଇନରେ କ୍ଲାସ କରିଥିବା ବେଳେ ପ୍ରାକ୍ଟିକାଲ କରିପାରୁନାହାନ୍ତି । ତେଣୁ ଏନେଇ ତାଙ୍କୁ ସହାୟତା କରିବାକୁ ଦାବି କରିଛନ୍ତି । ଏନେଇ ଡାକ୍ତରୀ ଛାତ୍ରଛାତ୍ରୀମାନେ ଭୁବନେଶ୍ୱର ଲୋୟର ପିଏମଜିରେ ଧାରଣା ଦେବା ସହ ଶୋଭାଯାତ୍ରା କରିଛନ୍ତି । ଦୁଇ ଶହରୁ ଅଧିକ ଛାତ୍ରଛାତ୍ରୀ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଏହାସହ ଏନଏମସି ବା ନ୍ୟାସନାଲ ମେଡିକାଲ କମିଶନ ନିୟମ କୋହଳ କରି ସେମାନଙ୍କୁ ଦେଶ ଭିତରେ ଗୋଟିଏ ସମୟ ପାଇଁ ସିଟ୍ ବଢାଇ ଆଡମିଶନ ପାଇଁ ସରକାର ବ୍ୟବସ୍ଥା କରନ୍ତୁ ବୋଲି ମେଡିକାଲ ଛାତ୍ରଛାତ୍ରୀ ଦାବି କରିଛନ୍ତି ।

ପରିସ୍ଥିତି ଏଭଳି ହୋଇଛି କି ଏହି ଛାତ୍ରଛାତ୍ରୀ ନା ୟୁକ୍ରେନ ଫେରିପାରୁଛନ୍ତି ନା ଆଗକୁ ପଢିପାରୁଛନ୍ତି । କେବଳ ଚାହିଁବସିଛନ୍ତି କେନ୍ଦ୍ର ସରକାରଙ୍କ ସାହାଯ୍ୟକୁ । ଯଦି କେନ୍ଦ୍ର ସରକାର ନଶୁଣେ ତେବେ କଣ ହେବ ଭବିଷ୍ୟତ ତାର ଉତ୍ତର ମଧ୍ୟ କାହାରି ପାଖରେ ନାହିାଁ