ଏସି କ୍ୟାବିନରୁ ବାହାରିଲେ ଦେବଗଡ଼ ବିଧାୟକ: ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତର ହେଲେ ସୁବାସ ପାଣିଗ୍ରାହୀ

122

କନକ ବ୍ୟୁରୋ: ଦେବଗଡ ହସ୍ପିଟାଲର ଏସି କ୍ୟାବିନରୁ ବାହାରିଛନ୍ତି ବିଧାୟକ ସୁବାସ ପାଣିଗ୍ରାହୀ । ତାଙ୍କୁ ବୁର୍ଲା ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପୋଡିହୋଇ ଗୁରୁତର ହୋଇପଡିଥିବା ଜଣେ ଶିଶୁକୁ ଏସି କ୍ୟାବିନରୁ ବାହାର କରି ବିଧାୟକଙ୍କୁ ଦିଆଯାଇଥିବା ଅଭିଯୋଗ ହୋଇଥିଲା । ଏ ସଂପର୍କିତ ଖବର କନକ ନ୍ୟୁଜରେ ପ୍ରସାରଣ ପରେ ବିଧାୟକଙ୍କୁ ବୁର୍ଲା ପଠାଇ ଦିଆଯାଇଛି । ଅନ୍ୟାୟୋଚିତ ଭାବେ ବିଧାୟକଙ୍କୁ ଦିଆଯାଇଥିବା ସୁବିଧା ନେଇ ଖବର ପ୍ରସାରଣ ପରେ ଘଟଣାର ଅନୁଧ୍ୟାନ କରିବେ ବୋଲି କହିଥିଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଭାରପ୍ରାପ୍ତ ଅଧିକାରୀ ।

ଦେଗବଡ଼ ବିଧାୟକ ସୁବାସ ପାଣିଗ୍ରାହୀ ବିଡିଓଙ୍କୁ ମାଡ ମାରିବା ଘଟଣାରେ ଜେଲ ଯାଇଥିଲେ । କିନ୍ତୁ ହଠାତ୍ ଦେହ ଅସୁସ୍ଥ ହେବାରୁ ତାଙ୍କୁ ଦେବଗଡ଼ ହସ୍ପିଟାଲକୁ ନିଆଯାଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସର୍ଜରୀ ୱାର୍ଡରେ ଠିକ୍ ଭାବେ କାମ କରୁଥିବା ଗୋଟିଏ ଏସି କ୍ୟାବିନ୍ ରହିଛି । ଛୋଟ ଶିଶୁ… ଆଉ ବିଧାୟକଙ୍କୁ ଏହି ଏସି କ୍ୟାବିନରେ ରଖିବା ପାଇଁ ପୂର୍ବରୁ ଏଠାରେ ଥିବା ଜଣେ ୮ ବର୍ଷର ଶିଶୁକୁ ଜେନେରାଲ ୱାର୍ଡକୁୁ ପଠାଇ ଦିଆଗଲା । ପିଲାଟି ନିଆଁରେ ପୋଡି ଯାଇଥିବାବେଳେ ଏସି କ୍ୟାବିନ୍ରେ ରଖିବା ଜରୁରୀ ଥିଲା । କାରଣ ପୋଡି ଯାଇଥିବା ରୋଗୀଙ୍କ ପାଇଁ ଏସି ଆରାମ ଦେଇଥାଏ ଏବଂ ଶୀଘ୍ର ଆରୋଗ୍ୟ ହେବାରେ ମଧ୍ୟ ସହାୟକ ହୁଏ । କିନ୍ତୁ ବିଧାୟକ ସୁବାସ ପାଣିଗ୍ରାହୀ ଆସିବା ପରେ ଏହି ୮ବର୍ଷର ପିଲାଟିକୁ ସାଧାରଣ ୱାର୍ଡକୁ ନିଆଯାଇଥିଲା ।
ଏମଏଲଏ ଆସୁଛନ୍ତି । ତାଙ୍କ ଦେହ ଖରାପ ରହିବେ । ସେମାନେ ପଳେଇଲେ ତମେ ଯିବ ବୋଲି କହିଲେ । ଆଉ ତଳେ ଅଛୁ । ଏ ଭିତରେ ଦିଦିମାନେ କହିଲେ ।

ଏବେ ପଅରଦିନ ଏମଏଲଏ ଆସିବେ ବୋଲି ଦିଦିମାନେ ତଳକୁ ଓହ୍ଲାଇଦେଲେ । କହିଲେ ତମେ ଏମଏଲଏ ଯାଇସାରିଲେ ପୁଣି ସେହି ୪ ନମ୍ବରକୁ ପଳେଇବ । କହିଲେ ବୋଲି ଆଜ୍ଞା ଆମେ ତଳେ ରହିଯାଇଛୁ । ସେ ଛୁଆଟି ଏ ଗରମରେ ଟିକେ ରହି ପାରୁନି ।

ଆମ ବ୍ୟବସ୍ଥାର ବିଡମ୍ବନା । ବିଧାୟକ ଆସୁଛନ୍ତି ବୋଲି ପୋଡି ଯାଇଥିବା ଓ ଗରମରୁ ନିହାତି ଏସି କ୍ୟାବିନଟିଏ ଆବଶ୍ୟକ କରୁଥିବା ପିଲାଟିକୁ ସାଧାରଣ ୱାର୍ଡକୁ ପଠାଇ ଦିଆଯାଉଛି । ଆମ ବ୍ୟବସ୍ଥାରେ ଜଣେ ସାଧାରଣ ମଳିମୁଣ୍ଡିଆ ଲୋକର ଏପରି ଅବସ୍ଥା ହୋଇଥାଏ । ଯେତେବେଳେ ଜଣେ ବଡ଼ ନେତା କିମ୍ବା ଅଫିସର ଆସନ୍ତି, ସେତେବେଳେ ଆଗ ତାଙ୍କୁ ବାଟ ଛାଡିବାକୁ ପଡେ । ଦେବଗଡ ହସ୍ପିଟାଲର ଏ ଘଟଣା ଗଣମାଧ୍ୟମ ସାମ୍ନାକୁ ଆସିବା ପରେ ବିଧାୟକଙ୍କୁ ସ୍ଥାନାନ୍ତର କରାଯାଇଛି । ନେହେଲେ ପିଲାଟିକୁ ହୁଏତ ବିଧାୟକ ଠିକ ହୋଇ ବାହାରିବା ଯାଏଁ ଅପେକ୍ଷା କରିବାକୁ ପଡିଥାନ୍ତା ।