ଅଚାନକ ବଢିଲା ଟମାଟୋ ଦର, କିଲୋ ପିଛା ୭୦ରୁ ୮୦ ଟଙ୍କାରେ ବିକ୍ରି

222

କନକ ବ୍ୟୁରୋ: ପରିବା ବଜାରରେ ନିଆଁ ଲାଗିଛି । ଟମାଟୋର ଦର ଏମିତି ବଢିଯାଇଛି ଯେ ଛୁଇଁ ହେଉନି । ଟୁଇନସିଟି ଭୁବନେଶ୍ୱର ଓ କଟକରେ ଟମାଟୋ ଦର ଏବେ ୭୦ରୁ ୮୦ ଟଙ୍କାରେ ବିକ୍ରି ହେଉଛି । ଟମାଟୋ ନିତିଦିନିଆ ଆବଶ୍ୟକ ପରିବା ହୋଇଥିବାରୁ ଦର ବୃଦ୍ଧି ଖାଉଟିଙ୍କୁ ବାଧୁଛି । ଗୋଟିଏ ସପ୍ତାହ ଆଗରୁ ରାଜଧାନୀରେ ଟମାଟୋର ଦର ୩୦ରୁ ୪୦ ଟଙ୍କା ମଧ୍ୟରେ ଥିଲା । ହଠାତ୍ ଦର ଦୁଇ ଗୁଣ ବଢ଼ିଯିବାରୁ ଗ୍ରାହକଙ୍କ ପରିବା ବ୍ୟାଗରୁ ଟମାଟୋ ଗାଏବ ହୋଇଯାଇଛି ।

ଓଡିଶାରେ ଚଳିତ ବର୍ଷ ଟମାଟୋ ଭଲ ଉତ୍ପାଦନ ହୋଇନଥିବା ବେଳେ ଆବଶ୍ୟକତା ପୂରଣ ପାଇଁ ଛତିଶଗଡ, ବାଙ୍ଗାଲୋର ଓ ମହାରାଷ୍ଟ୍ରର ନାସିକରୁ ଟମାଟୋ ଆମଦାନୀ ହୋଇ ଆସିଥାଏ । ହେଲେ ସେଠାରେ ନିଅଂଟିଆ ସ୍ଥିତି ଥିବାରୁ ଯୋଗାଣ ଠିକରେ ହେଉନାହିଁ । ତେଣୁ ଦର ବଢିଯାଇଥିବା କହିଛନ୍ତି, ରାଜଧାନୀର କଂଚା ପନିପରିବା ମହାସଂଘ । ତେବେ ନୂଆ ଫସଲ ଆସିଲେ ଦର କମିବ ବୋଲି କହିଛି ସଂଘ ।

ଗତ ମାର୍ଚ୍ଚରେ ଓଡିଶାର ଚାଷୀ ଟମାଟୋ ଅମଳ ସମୟରେ ବଜାରରେ କିଲୋ ପିଛା ଦୁଇ ଟଙ୍କା ଦରରେ ବିକ୍ରି ହେଉଥିଲା । ଅଭାବୀ ବିକ୍ରିର ଶିକାର ହୋଇ ଚାଷୀ ଟମାଟୋ ଟ୍ରେ ପିଛା ୨୫ରୁ ୩୦ ଟଙ୍କାରେ ବିକ୍ରି କରୁଥିଲେ । ହେଲେ ଦୁଇ ମାସ ହୋଇନି, ସ୍ଥିତି ଓଲଟି ଯାଇଛି । ଏବେ ଟମାଟୋ ମହଙ୍ଗା ମାଡ ପ୍ରତି ପରିବାରର ମାସିକ ବଜେଟ ଉପରେ ପ୍ରଭାବ ପକାଇଛି । ଅନ୍ୟ ପରିବା ଦର ମଧ୍ୟ ବଢ଼ି ବଢ଼ି ଚାଲିଛି ।