ଚୂଡାନ୍ତ ହେଲା କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ତାରିଖ: କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ବଡ଼ ନିଷ୍ପତ୍ତି

217

କନକ ବ୍ୟୁରୋ: ଦିପାବଳୀ ପୂର୍ବରୁ ଜଣାପଡିବ କଂଗ୍ରେସର ନୂଆ ମଙ୍ଗୁଆଳ କିଏ ହେବେ । ରବିବାର କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ଏହି ନିଷ୍ପତି ନିଆଯାଇଛି । ଅକ୍ଟୋବର ୧୭ରେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ ଏବଂ ୧୯ ତାରିଖରେ ଫଳାଫଳ ଘେଷଣା ହେବ ବୋଲି ତାରିଖ ସ୍ଥିର ହୋଇଛି । ୨୨ ସେପ୍ଟେମ୍ବରରେ ଏ ନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ । ୨୪ ଏବଂ ୩୦ରେ ନାମାଙ୍କନ ଭରିବାର ଶେଷ ତାରିଖ ରହିଛି । ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ବିଦେଶ ଗସ୍ତରେ ଥିବାରୁ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ଭିଡିଓ କନଫରେନସିଂ ଜରିଆରେ ଯୋଡି ହୋଇଥିଲେ । ଆଉ ସାଙ୍ଗରେ ଥିଲେ ରାହୁଲ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧି ।

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଦଳ ପାଇଁ ବଡ ଚ୍ୟାଲେଞ୍ଜ ଚଳିତ ବର୍ଷ ଶେଷରେ ହେବାକୁ ଥିବା ଗୁଜରାଟ ବିଧାନସଭା ନିର୍ବାଚନ ଏବଂ ପରେ କର୍ଣ୍ଣାଟକ ଓ ହିନ୍ଦୀ ହାର୍ଟଲ୍ୟାଣ୍ଡ ନିର୍ବାଚନ । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ ସହିତ କର୍ଣ୍ଣାଟକରେ ଗେରୁଆ ଗଡରେ ଧସେଇ ପଶିଥିଲା କଂଗ୍ରେସ । ପରେ କିନ୍ତୁ ରାଜନୈତିକ ସମୀକରଣ ଭିତରେ ମଧ୍ୟପ୍ରଦେଶ ଓ କର୍ଣ୍ଣାଟକରେ ବଦଳିଯାଇଛି ସରକାର । ଏହି ସମୟରେ ଦଳର ଅଧ୍ୟକ୍ଷ ଥିଲେ ରାହୁଲ ଗାନ୍ଧି । କିନ୍ତୁ ୨୦୧୯ ନିର୍ବାଚନ ହାରିବା ପରେ ସେ ଇସ୍ତଫା ଦେଇଛନ୍ତି । ଏବେ କିନ୍ତୁ ସେ ଅଧ୍ୟକ୍ଷ ପଦ ପାଇଁ ରାଜି ନହେଉଥିବାରୁ ଜଣେ ଅଣ ଗାନ୍ଧି ନେତାଙ୍କୁ ଦଳର ଅଧ୍ୟକ୍ଷ କରିବାକୁ କଂଗ୍ରେସ ଯୋଜନା କରୁଥିବା ସୂଚନା ରହିଛି । ଆଉ ଏହି ତାଲିକାରେ ଆଗରେ ରହିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ । ଅନ୍ୟପଟେ ପୁଣିଥରେ ରାହୁଲ ଗାନ୍ଧୀଙ୍କୁ ଅଧ୍ୟକ୍ଷ ପଦରେ ବସାଇବାକୁ ଗୋଟିଏ ବଡ ଗୋଷ୍ଠୀ ପ୍ରୟାସ କରୁଥିବା କୁହାଯାଉଛି ।

ଅଧ୍ୟକ୍ଷ ନିର୍ବାଚନ ପୂର୍ବରୁ ସେପ୍ଟେମ୍ବର ୭ରୁ ସାରା ଦେଶରେ ଭାରତ ଯୋଡୋ ଯାତ୍ରା ଆରମ୍ଭ କରିବାକୁ ଯାଉଛି । କିନ୍ତୁ ଏହା ପୂର୍ବରୁ ଦଳର ପୁରୁଖା ନେତା ଗୁଲାମ ନବୀ ଆଜାଦ ଇସ୍ତଫା ଦେଇଛନ୍ତି । ଆଉ ଜି-୨୩ ଗୋଷ୍ଠୀରେ ଥିବା ଅସନ୍ତୁଷ୍ଟ ନେତା ଗୁଲାମଙ୍କ ଘରେ ଏକାଠି ହୋଇ ବୈଠକ କରିବା ଦଳର ଅଡୁଆରେ ବଢାଇଛି ।

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ କାର୍ଯ୍ୟକ୍ରମ
ବିଜ୍ଞପ୍ତି: ସେପ୍ଟେମ୍ବର ୨୨
ନାମାଙ୍କନ: ୨୪-୩୦ ସେପ୍ଟେମ୍ବର
ନାମାଙ୍କନ ଯାଞ୍ଚ: ୧ ଅକ୍ଟୋବର
ନାମାଙ୍କନ ପ୍ରତ୍ୟାହାର: ଅକ୍ଟୋବର ୮
ମତଦାନ: ଅକ୍ଟୋବର ୧୭
ଭୋଟ ଗଣତି: ଅକ୍ଟୋବର ୧୯