ମୋ ସରକାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ । ଲୋକଙ୍କ ପାଖରେ ପହଞ୍ଚିବାକୁ ପରାମର୍ଶ ଦେଲେ ନବୀନ ।

125

କନକ ବ୍ୟୁରୋ: ମୋ ସରକାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିବାକୁ ପରାମର୍ଶ ଦେଇଛନ୍ତି । ନିୟମିତ ତଦାରଖ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେବାକୁ ମଧ୍ୟ କହିଛନ୍ତି । ନବୀନ କହିଥିଲେ ରାଜ୍ୟର ପ୍ରଶାସନିକ ବ୍ୟବସ୍ଥାକୁ ମୋ ସରକାର ଏକ ନୂଆ ମଡେଲ ଦେଇପାରିଛି ।ବୈଠକରେ ସମସ୍ତ ବିଭାଗ ଏହି କାର୍ୟ୍ୟକ୍ରମରେ ଅଧିକରୁ ଅଧିକ ଲୋକଙ୍କୁ ସାମିଲ କରିବାକୁ ପରାମର୍ଶ ଦେବା ସହିତ ମୁଖ୍ୟମନ୍ତ୍ରୀ ସମସ୍ତ ବିଭାଗ କାର୍ୟ୍ୟକ୍ରମ ଉପରେ ନଜର ରଖି ନିୟମିତ ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
୨୦୧୯ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମୋ ସରକାର କାର୍ୟ୍ୟକ୍ରମ ଆରମ୍ଭ କରିଥିଲେ। ମୁଖ୍ୟମନ୍ତ୍ରୀ କହିଲେ ଯେ ଗତ ଦୁଇ ଦଶକ ମଧ୍ୟରେ ଓଡିଶାରେ ବ୍ୟାପକ ବିକାଶ ହୋଇଛି ଓ ଓଡିଶା ଅନେକ କ୍ଷେତ୍ରରେ ଆଦର୍ଶ ସୃଷ୍ଟି କରିଛି । ଦୁଇ ବର୍ଷ ତଳେ ଆରମ୍ଭ ହୋଇଥିବା ମୋ ସରକାର କାର୍ୟ୍ୟକ୍ରମ ଏବେ ରାଜ୍ୟର ପ୍ରଶାସନିକ ବ୍ୟବସ୍ଥାକୁ ଏକ ନୂଆ ମଡେଲ ଦେବାରେ ସଫଳ ହୋଇଛି ମୋ ସରକାର । ମୁଖ୍ୟମନ୍ତ୍ରୀ ପୁଣି କହିଲେ ଯେ ସରକାର ଓ ସରକାରୀ ଅନୁଷ୍ଠାନ ଗୁଡିକ ପ୍ରତି ଲୋକଙ୍କ ଦୃଷ୍ଟିଭଙ୍ଗୀରେ ମୋ ସରକାର ବ୍ୟାପକ ପରିବର୍ତ୍ତନ ଆଣିଛି । ଜନସାଧାରଣ ଓ ସରକାରୀ ଅନୁଷ୍ଠାନ ମଧ୍ୟରେ ଆସ୍ଥା ସୃଷ୍ଟି କରିବାରେ ମଧ୍ୟ ଏହା ସଫଳ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ । ଲୋକଙ୍କ ଫିଡ୍ବ୍ୟାକ ରେକର୍ଡ କରାଯାଇଛି ଏବଂ ସେମାନଙ୍କ ମତାମତ ଭିତ୍ତିରେ ଯେଉଁ ଅବଧାରଣା ସୃଷ୍ଟି ହୋଇଛି, ତା ଉପରେ ପଦକ୍ଷେପ ମଧ୍ୟ ନିଆଯାଉଛି ।

ମୁଖ୍ୟମନ୍ତ୍ରୀ କହିଲେ ଯେ ପ୍ରଶାସନରେ ଏହି ରୂପାନ୍ତର ପାଇଁ, ଯେଉଁଥିରେ ସରକାର ସବୁଠାରୁ ଶେଷ ଧାଡିରେ ଥିବା ଲୋକ ପାଖରେ ପହଞ୍ଚି ପାରୁଥିବେ ଏବଂ ଆବଶ୍ୟକତା ଥିବା ସବୁ ଲୋକଙ୍କୁ ସେବା ଯୋଗାଇ ପାରୁଥିବେ; ସେଥିପାଇଁ ସରକାରୀ କର୍ମଚାରୀ ମାନଙ୍କ ମଧ୍ୟରେ ସଂପୂର୍ଣ୍ଣ ବ୍ୟବହାରିକ ପରିବର୍ତ୍ତନର ଆବଶ୍ୟକତା ଥିଲା । ମୁଖ୍ୟମନ୍ତ୍ରୀ ଖୁସିବ୍ୟକ୍ତ କରି କହିଲେ ଯେ ଏ ଦିଗରେ ନିୟମିତ ଉଦ୍ୟମ ଆଜି ସଫଳ ହୋଇଛି । ତୃଣମୂଳ ସ୍ତରରୁ ଯେଉଁ ଫିଡବ୍ୟାକ ମିଳୁଛି, ତାହା ଉତ୍ସାହଜନକ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ “ମୁଁ ଯେଉଁ ମତାମତ ପାଉଛି, ସେଥିରୁ ଜଣାଯାଉଛି ଯେ କର୍ମଚାରୀଙ୍କ ବ୍ୟବହାରିକ ପରିବର୍ତ୍ତନ ଆଣିବାରେ ଅନେକ ବିଭାଗ ସଫଳ ହେଉଛନ୍ତି। ଖୁସିର କଥା, ସରକାରୀ ଅଧିକାରୀ ଓ କର୍ମଚାରୀମାନେ ନାଗରିକ ମାନଙ୍କୁ ସେବା ପ୍ରଦାନ କରିବା ସମୟରେ ବର୍ତ୍ତମାନ ଅଧିକ ଦାୟିତ୍ବସଂପନ୍ନ ଓ ସହୃଦୟତାର ସହ ବ୍ୟବହାର କରୁଛନ୍ତି।”

ମୁଖ୍ୟମନ୍ତ୍ରୀ ଖୁସିପ୍ରକାଶ କରି କହିଲେ ଯେ ଏହି କାର୍ୟ୍ୟକ୍ରମ ଦ୍ବାରା ପ୍ରଶାସନିକ ପ୍ରକ୍ରିୟା ଏବେ ଅଧିକ ସହଭାଗୀତାଭିତ୍ତିକ ହୋଇପାରିଛି ଏବଂ ଏହି ପ୍ରକ୍ରିୟା ମଧ୍ୟରେ ନାଗରିକ ମାନେ ସରକାରୀ କାର୍ୟ୍ୟକ୍ରମ ଗୁଡିକର ଅଂଶୀଦାର ମଧ୍ୟ ହୋଇପାରିଛନ୍ତି। ଏ ଦିଗରେ ନିରନ୍ତର ପ୍ରୟାସ ଦ୍ବାରା ଏକ ସମତା ଓ ନ୍ୟାୟଭିତ୍ତିକ ଅନ୍ତର୍ଭୁକ୍ତି ସମାଜ (ଗଠନ ହୋଇପାରିବ ବୋଲି ସେ କହିଥିଲେ । ଏହି କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଅର୍ଥ, ପୂର୍ତ୍ତ ଏବଂ ବାଣିଜ୍ୟ ଓ ପରିବହନ, ଏହି ୩ଟି ବିଭାଗକୁ ମୋ ସରକାରରେ ସାମିଲ ହେବା ପ୍ରକ୍ରିୟାର ଶୁଭାରମ୍ଭ କରିଥିଲେ। ବୈଠକରେ ୬ଟି ବିଭାଗର କାର୍ୟ୍ୟକ୍ରମ ସମୀକ୍ଷା ହୋଇଥିଲା । ଏଗୁଡିକ ହେଲା ଗୃହ ବିଭାଗ, ସ୍ବାସ୍ଥ୍ୟ ଓ ପରିବାରକଲ୍ୟାଣ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶିଳ୍ପ, ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ଜଳସଂପଦ ବିଭାଗ । ଆଲୋଚନାରେ ଭାଗ ନେଇ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଲେ ଯେ ଏହା ଲୋକଙ୍କ ଠାରୁ ଫିଡବ୍ୟାକ ଗ୍ରହଣ କରିବାର ସବୁଠାରୁ ବଡ କାର୍ୟ୍ୟକ୍ରମ। ଏଥିରେ ପ୍ରାୟତଃ ସବୁ ବିଭାଗ ସାମିଲ ହୋଇଥିବା ବେଳେ, ଏହି କାର୍ୟ୍ୟକ୍ରମକୁ ନିୟମିତ ଭାବେ ତଦାରଖ କରିବାର ଆବଶ୍ୟକତା ରହିଛି ବୋଲି ସେ ମତ ଦେଇଥିଲେ।

ବୈଠକର ଆଲୋଚନାରେ ଭାଗ ନେଇ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ କହିଲେ ଯେ ଅଧିକାଂଶ ବିଭାଗର ଫିଡବ୍ୟାକ ବ୍ୟବସ୍ଥା ବହୁତ ଉନ୍ନତ ମାନର ଅଛି । ସାଧାରଣ ଲୋକଙ୍କ ଠାରୁ ମତାମତ ସଂଗ୍ରହ କରିବାରେ ବିଭାଗମାନେ ତତ୍ପରତା ଦେଖାଇବା ସହ ଭୁଲ କରୁଥିବା କର୍ମଚାରୀଙ୍କ ଉପରେ ତୁରନ୍ତ କାର୍ୟ୍ୟାନୁଷ୍ଠାନ ଉପରେ ଗୁରୁତ୍ବ ଦେବାର ଆବଶ୍ୟକତା ଅଛି ବୋଲି ସେ କହିଥିଲେ। ସାଧାରଣ ଲୋକଙ୍କ ସହିତ ବିଭିନ୍ନ ବିଭାଗରେ ବିଶେଷକରି ଇଂଜିନିୟରିଂ ବିଭାଗ ଗୁଡିକରେ ସେବା ପ୍ରଦାନକାରୀ ସଂସ୍ଥାମାନଙ୍କ ଠାରୁ ମଧ୍ୟ ମୋ ସରକାରର କାର୍ୟ୍ୟକ୍ରମରେ ଫିଡବ୍ୟାକ ସଂଗ୍ରହ କରିବାର ବ୍ୟବସ୍ଥା କରାଯିବା ଜରୁରୀ ବୋଲି ସେ କହିଥିଲେ।

ଏହି ବୈଠକରେ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ସଚିବ ଶ୍ରୀ ମନୋଜ ମିଶ୍ର ଏକ ଉପସ୍ଥାପନ ରଖି କହିଲେ ଯେ ରାଜ୍ୟର ୨୮ଟି ବିଭାଗର ୨୩୩ଟି ସେବା ମୋ ସରକାରରେ ସାମିଲ ହୋଇଛି । ଆଜିର ଏହି ୩ଟି ବିଭାଗକୁ ମିଶାଇ ୩୧ଟି ବିଭାଗର ୨୫୦ଟି ସେବା ସାମିଲ ହେଲା। ଏହି କାର୍ୟ୍ୟକ୍ରମରେ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ପୋଲିସ ମହାନିର୍ଦ୍ଦେଶକ, ପ୍ରମୁଖ ସଚିବ, ଜ଼ିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସମସ୍ତ ବିଭାଗ କାର୍ୟ୍ୟକ୍ରମ ଉପରେ ନଜର ରଖି ନିୟମିତ ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଥିଲେ।