ଡିଜେ ଆଜେକ୍ସ ମୃତ୍ୟୁ ରହସ୍ୟରେ ଆସିଲା ବଡ ଟ୍ୱିଷ୍ଟ। ମୃତ୍ୟୁ ପୂର୍ବରୁ କରିଥିଲେ ଇମେଲ ଓ ଅଡିଓ ଭଏସ। 

254

କନକ ବ୍ୟୁରୋ: ଓଡିଆ ଡିଜେ ଆଜେକ୍ସଙ୍କ ମୃତ୍ୟୁ ରହସ୍ୟର ତଦନ୍ତ ପୁଲିସ କରୁଥିବାବେଳେ ଏବେ ଏଥିରେ ଆସିଛି ନୂଆ ଟ୍ୱିଷ୍ଟ । ସାମ୍ନାକୁ ଆସିଛି ଆଜେକ୍ସଙ୍କ ଇମେଲ । ଆତ୍ମହତ୍ୟା ପୂର୍ବରୁ ଏଥିରେ ସେ ନିଜ ପ୍ରେମିକାକୁ ଲେଖିଛନ୍ତି, କହିଥିଲ ନା ଭୂତ ହୋଇଯାଅ ଓ ଗାଏବ ହୋଇଯାଏ, ଦେଖ ଭୂତ ହୋଇଗଲି । ଏତେ ଦୂରକୁ ଯାଉଛି ଯେ ଆଉ କେବେ ଆସିବିନି । ମୃତ୍ୟୁ ପୂର୍ବରୁ ନିଜ ପ୍ରେମିକାଙ୍କୁ ଫଟୋ ସହିତ ସିଡ୍ୟୁଲ ଇମେଲ ଓ ନିଜ ଭଏସ ରେକର୍ଡିଂ ପଠାଇଥିଲେ  ଆଜେକ୍ସେ । ଯେଉଁଥିରେ ସେ ପ୍ରେମ ପାଇଁ ଜୀବନ ହାରିବାକୁ ଯାଉଥିବା କଥା କହିଛନ୍ତି । ମୃତ୍ୟୁର ଦୁଇଦିନ ପରେ ଯେଭଳି ଏହି ଇ-ମେଲ ପ୍ରେମିକାଙ୍କ ନିକଟରେ ପହଞ୍ଚିବ, ତାର ସେ ବ୍ୟବସ୍ଥା କରିଥିଲେ ଆଜେକ୍ସ ।

ସେହିଭଳି ଆଜେକ୍ସଙ୍କ କାନ୍ଦୁଥିବାର ଫଟୋ ସାମ୍ନାକୁ ଆସିଛି । ନିଜ ପ୍ରେମିକା ଦେଇଥିବା ଉପହାର ସାର୍ଟ ପିନ୍ଧି ଆତ୍ମହତ୍ୟା କରିବାକୁ ଯିବା ପୂର୍ବରୁ ସେଲଫ ଉଠାଇଛନ୍ତି । ପ୍ରେମିକାକୁ ପଠାଇଥିବା  ଇମେଲରେ  ଆଜେକ୍ସ ଲେଖିଛନ୍ତି, ଆଉ କେମିତି ପ୍ରମାଣ କରିଥାନ୍ତି ମୋ ଲଭକୁ । ମରିକି ପ୍ରମାଣ କରିଦେଲି । ଦୁନିଆରୁ ଯାଇକି ମୋ ଲଭକୁ ପ୍ରୁଭ କରିଦେଲି । ଲଭ ୟୁ ଫର ଏଭର ମାଇ ଡିଅର । ସରି ଆଇ କାଣ୍ଟ ଲିଭ ମାଇ ଲାଇଫ ୱିଦ ଆଉଟ ୟୁ, ଗୁଡ ବାଏ । କିଛି ଏଭଳି କଥା କହି ଆତ୍ମହତ୍ୟା କରିଥିଲେ ଅକ୍ଷୟ ଓରଫ ଡିଜେ ଆଜେକ୍ସ । ସେପଟେ  ପୁଅର ଆତ୍ମହତ୍ୟାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ପରିବାର ଲୋକେ । ପୁଲିସ ତଦନ୍ତର ଅଗ୍ରଗତି ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଓଡିଆ ଡିଜେ ଆଜେକ୍ସଙ୍କ ଆତ୍ମହତ୍ୟା ପଛର ତଦନ୍ତ କରୁଛି କମିଶନରେଟ ପୋଲିସ । ଖାରବେଳନଗର ଥାନା ପୋଲିସ ଦୁଇଟି ଟିମ୍ ଗଠନ କରି ଆତ୍ମହତ୍ୟାର ସବୁ ଦିଗକୁ ଯାଞ୍ଚ କରୁଛି ।  ମଙ୍ଗଳବାରଦିନ ଆଜେକ୍ସଙ୍କ ବାନ୍ଧବୀଙ୍କୁ ମଧ୍ୟ ପୋଲିସ ଜେରା କରିଛି । ଖୁବଶୀଘ୍ର ଆତ୍ମହତ୍ୟାର କାରଣ ସ୍ପଷ୍ଟ ହେବା ନେଇ କହିଛନ୍ତି ଏସିପି ମାନସ ଗଡନାୟକ ।

ପ୍ରେମ,  ପ୍ରେମିକା ଓ ସେ କୁ ନେଇ ସମ୍ପର୍କରେ ଫାଟ ହେବା ପରେ ଆଜେକ୍ସ ଭାଙ୍ଗିପଡିଛନ୍ତି । ଇମେଲ ଓ ଅଡିଓ ଭଏସ ସାମ୍ନାକୁ ଆସିବା ପରେ ଗୋଟିଏ କଥା ସ୍ପଷ୍ଟ ଯେ, ପ୍ରେମକୁ ନେଇ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଛନ୍ତି ଆଜେକ୍ସ ।