କୂଅ ଭିତରେ ପଡିଲା ହାତୀ ଛୁଆ । ପଢନ୍ତୁ, ୧୨ ଘଣ୍ଟା ପରେ କେମିତି ହେଲା ଉଦ୍ଧାର…

120

କନକ ବ୍ୟୁରୋ: କେବଳ ମଣିଷ ନୁହଁନ୍ତି ପଶୁମାନଙ୍କ ଭିତରେ ବି ନିଜ ଛୁଆଁଙ୍କ ପ୍ରତି କେମିତି ଭଲ ପାଇବା ରହିଛି ତାହା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାରେ । ହାତୀ ପଲରେ ଥିବା ଏକ ଛୁଆ ହାତୀ କୂଅ ଭିତରେ ଖସି ପଡିବା ପରେ ତାକୁ ଜଗି ରହିଥିଲେ ହାତୀ ପଲ । ଉଦ୍ଧାର କରିନପାରିବାରୁ ଗାଁ ଭିତରେ ତାଣ୍ଡବ ରଚିଥିଲେ । ତେବେ ହାତୀ ଛୁଆ ୧୨ ଘଣ୍ଟା ପରେ ଉଦ୍ଧାର ହେବାରୁ ଜଙ୍ଗଲକୁ ଚାଲିଯାଇଥିଲେ ହାତୀ ପଲ ।

କୂଅ ଭିତରେ ଉପରକୁ ଉଠିବାକୁ ସଂଘର୍ଷ କରଥିଲା ହାତୀ ଛୁଆ । ହେଲେ ବାରମ୍ବାର ଉଦ୍ୟମ କରିବା ସତ୍ୱେ ବି ବିଫଳ ହେଉଥିଲା । ଅନ୍ୟପଟେ ଛୁଆଟିକୁ କୌଣସି ସହାୟତା କରିନପାରିବାରୁ ଉପାୟ ନପାଇ ଏଣେ ତେଣେ ଦଉଡିବାରେ ଲାଗିଥିଲେ ହାତୀ ପଲ । ମୟୂରଭଞ୍ଜ ବେତନଟି ବ୍ଲକ ରାସଗୋବିନ୍ଦପୁର ରେଞ ଅଧିନ ଚାକୁଣ୍ଡାପଦା ଗାଁରୁ ଆସିଥିଲା ଏମିତି କିଛି ଖବର ।

ମୟୁରଭଞ୍ଜ ବେତନଟ ବ୍ଲକ ରାସଗୋବିନ୍ଦପୁର ରେଞ୍ଜ ଅଧିନ ଚାକୁଣ୍ଡାପଦା ଗାଁର ଜଣଙ୍କ ଖୋଲା କୂଅରେ ପଡିଯାଇଥିଲା ଗୋଟିଏ ହାତୀ ଶାବକ । ହେଲେ ରାତି ହୋଇଥିବାରୁ ହାତୀ ଛୁଆ ଉଦ୍ଧାର ହୋଇପାରିନଥିଲା । ଛୁଆ ହାତୀଟି ପଡିଯିବା ପରେ ହାତୀପଲ ତାକୁ ଛାଡି ଯାଇନଥିଲେ । ଆଉ ରାତିତମାମ ଗାଁ ଦାଣ୍ଡରେ ତାଣ୍ଡବ ରଚିଥିଲେ । ଗାଁରେ ୧୦ରୁ ଅଧିକ ଘରକୁ ଭାଙ୍ଗି ପକାଇଥିଲେ । ଭୟରେ କମ୍ପିଥିଲେ ଗ୍ରାମବାସୀ । କେବଳ ନିଜ ଜୀବନ ବଞ୍ଚାଇବା ସହ ସେମାନଙ୍କ ନିକଟରେ କିଛି ଉପାୟ ନଥିଲା ।

ଏପରିକି ହାତୀ ଛୁଆକୁ ଉଦ୍ଧାର କରିବାକୁ ଯାଇଥିବା ବନବିଭାଗ କର୍ମଚାରୀଙ୍କୁ ଗୋଡାଇବା ସହିତ ଗାଡି ଉପରେ ଆକ୍ରମଣ କରିଥିଲେ ହାତୀପଲ । ଦୀର୍ଘ ସମୟ ଛକାପଞ୍ଝା ପରେ ବନବିଭାଗ ଓ ଅଗ୍ନିଶମ ବାହିନୀ କୂଅରେ ମଟର ଲଗାଇ ପାଣି ଭର୍ତ୍ତିି କରିଥିଲେ । କୂଅରେ ପାଣି ଭର୍ତ୍ତି ପରେ ଜଳସ୍ତର ବଢ଼ିବାରୁ ହାତୀ ଛୁଆଟି ଉପରକୁ ଉଠିଥିଲା । ତାପରେ ଅନ୍ୟ ହାତୀମାନେ ମିଶି ଶୁଣ୍ଢ ସାହାଯ୍ୟରେ ଶାବକକୁ ଉଦ୍ଧାର କରି ଜଙ୍ଗଲ ଭିତରକୁ ନେଇଯାଇଛନ୍ତି । ତେବେ ଏହି ଅଞ୍ଚଳରେ ବାରମ୍ବାର ଏମିତି ଦୁର୍ଘଟଣା ଘଟୁଥିଲେ ବି ନିରାକଣ ପାଇଁ ବନବିଭାଗ କୌଣସି ଠୋସ ପଦକ୍ଷେପ ନେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।