ତାଲିବାନୀ ଶାସନର ଆଉ ଏକ କଳଙ୍କିତ ଅଧ୍ୟାୟ, ଆଫଗାନିସ୍ତାନର ବ୍ୟୁଟିପାର୍ଲର ଉପରେ ଲଗାଇଲା ପ୍ରତିବନ୍ଧକ

432

କନକ ବ୍ୟୁରୋ : ଆଫଗାନିସ୍ତାନର ବ୍ୟୁଟିପାର୍ଲର ଉପରେ ତାଲିବାନ ପ୍ରତିବନ୍ଧକ ଲଗାଇଦେଇଛି । ଏବେ ଆଫଗାନିସ୍ତାନର କୌଣସି ମହିଳା ନା ଏହି ବ୍ୟବସାୟ କରିପାରିବେ ନା କୌଣସି ମହିଳା ସଜ ହେବାକୁ ବ୍ୟୁଟିପାର୍ଲର ଯାଇପାରିବ । ଏହାକୁ ଆଫଗାନିସ୍ତାନବାସୀ ବିରୋଧ କରୁଥିବା ବେଳେ ତାଲିବାନ ସରକାର ଏହା ଉପରେ ଜବାବ ରଖିଛନ୍ତି । ଏନେଇ ତାଲିବାନ ତରଫରୁ ଅଜବ ଯୁକ୍ତି କରାଯାଇଛି । ତାଲିବାନ ତରଫରୁ କୁହାଯାଇଛି କି, ଇସଲାମରେ ମହିଳାମାନେ ସଜ ହେବା ଉପରେ ପ୍ରତିବନ୍ଧକ ପ୍ରଥମରୁ ଲଗାଯାଇଛି । ଏହାସହ ବିବାହ ବେଳେ ଉଭୟ ବରପକ୍ଷ ଓ କନ୍ୟାପକ୍ଷଙ୍କ ଖର୍ଚ୍ଚ କମ୍ କରିବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

ତାଲିବାନ ସରକାର ବ୍ୟୁଟିପାର୍ଲର ଉପରେ ପ୍ରତିବନ୍ଧକ ଲଗାଇବା ସହ ଆଫଗାନିସ୍ତାନରେ ଥିବା ସମସ୍ତ ବ୍ୟୁଟିପାର୍ଲରକୁ ଆଗାମୀ ୧ମାସ ମଧ୍ୟରେ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି । ତାଲିବାନୀଙ୍କ ଏଭଳି ନିର୍ଦ୍ଦେଶ ପରେ ଅନ୍ତରାଷ୍ଟ୍ରୀୟ ଅଧିକାରୀ ଏହାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି । ତାଙ୍କ ଚିନ୍ତାର କାରଣ ହେଉଛି ଆଫଗାନିସ୍ତାନରେ ଯେଉଁ ମହିଳା ଉଦ୍ୟୋଗୀମାନେ ବ୍ୟୁଟିପାର୍ଲରକୁ ନେଇ ବ୍ୟବସାୟ କରୁଥିଲେ ସେମାନେ ଏବେ କରିବେ କଣ ?
ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ମହିଳାଙ୍କ ଉପରେ ସବୁଠାରୁ ଅଧିକ ପ୍ରତିବନ୍ଧକ ଲଗାଯାଉଛି । ଏହା ପୂର୍ବରୁ ତାଲିବାନ ତରଫରୁ ଆଫଗାନିସ୍ତାନର ମହିଳା ଓ ଝିଅମାନଙ୍କ ଶିକ୍ଷା ଓ ରୋଜଗାର ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଥିଲା ।

ଶୁକ୍ରବାର ଦିନ ଜାରି କରାଯାଇଥିବା ଏକ ଭିଡିଓ କ୍ଲିପରେ ତାଲିବାନ ଶାସିତ ଧାର୍ମିକ ମାମଲାର ‘ବର୍ଚୁ ଆଣ୍ଡ ବାଇସ’ ମନ୍ତ୍ରଣାଳୟର ପ୍ରବକ୍ତା ସାଦିକ ଅକିଫ ମହଜର କହୁଛନ୍ତି କି, ମହିଳାମାନେ ମେକଅପ୍ ବ୍ୟବହାର କରିବା, କୌଣସି ଅନ୍ୟ ମହିଳାଙ୍କ ଚୁଟିକୁ ନିଜ ମଥାରେ ଲଗାଇବା ଇସଲାମ ବିରୋଧୀ ।