ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟ ଓ ଦିନିକିଆ ସିରିଜ୍ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ନବାଗତଙ୍କୁ ମିଳିଲା ସୁଯୋଗ । ଦେଖନ୍ତୁ, ଦଳରେ ଅଛନ୍ତି କିଏ କିଏ?

11,488

କନକ ବ୍ୟୁରୋ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟ ଓ ଦିନିକିଆ ସିରିଜ୍ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ବିସିସିଆଇ ସିଲେକ୍ସନ କମିଟି ଏହି ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଏବଂ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଦଳ ଘୋଷଣା କରିଛି । ତେବେ ୱେଷ୍ଟଇଣ୍ଡିଜ ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ହେବାକୁ ଥିବାବେଳେ, ଏଥିପାଇଁ ଆଗାମୀ ଦିନରେ ଦଳ ଘୋଷଣା ହେବ ବୋଲି କୁହାଯାଇଛି ।

ଟେଷ୍ଟ ଦଳ

ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଘୋଷଣା କରାଯାଇଥିବା ଦଳରେ ରୋହିତ ଶର୍ମା ଅଧିନାୟକ ରହିଛନ୍ତି । ତାଙ୍କ ସହିତ ଶୁଭମନ୍ ଗିଲ, ଋତୁରାଜ ଗାଏକ୍ୱାଡଙ୍କୁ ଦଳରେ ସ୍ଥାନ ଦିଆଯାଇଛି । ଏହାସହ ବିରାଟ କୋହଲି, ଯଶସ୍ୱୀ ଜୟସୱାଲ, ଆଜିଙ୍କ୍ୟ ରାହାଣେଙ୍କୁ ଦଳରେ ରଖାଯାଇଛି । ଅନ୍ୟପଟେ ୱିକେଟ୍ କିପର୍ ବ୍ୟାଟ୍ସମ୍ୟାନ୍ ଭାବେ କେ ଏସ୍ ଭରତ ଓ ଇଶାନ କିଷାନ ଦଳରେ ରହିଛନ୍ତି । ସେହିପରି ବୋଲିଂ ବିଭାଗରେ ଆର ଅଶ୍ୱିନୀ, ଜାଡେଜା, ଅକ୍ଷର ପଟେଲ ସ୍ପିନ୍ ବିଭାଗ ସମ୍ଭାଳିବେ । ତାଙ୍କ ସହିତ ସାର୍ଦ୍ଦୁଲ ଠାକୁର, ମହମ୍ମଦ ସିରାଜ, ମୁକେଶ କୁମାର, ଜୟଦେବ ଉନାଦକତ୍ ଏବଂ ନବଦୀପ ସୈନୀ ପେସ୍ ବିଭାଗ ସମ୍ଭାଳିବେ ।

ଦିନିକିଆ ଦଳ

ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ରୋହିତ ଶର୍ମା କ୍ୟାପଟେନ୍ ରହିଛନ୍ତି । ତାଙ୍କ ସହିତ ଶୁଭମନ୍ ଗିଲ୍, ଋତୁରାଜ ଗାଏକ୍ୱାଡ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ ଦଳରେ ରହିଛନ୍ତି । ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଭାବେ ସଞ୍ଜୁ ସାମସନ୍, ଇଶାନ କିଶାନ ଦଳରେ ରହିଛନ୍ତି । ସେହିପରି ଉପ ଅଧିନାୟକ ଭାବେ ହାର୍ଦ୍ଦିକ ପାଣ୍ଡ୍ୟା ଦଳରେ ସ୍ଥାନ ପାଇଛନ୍ତି । ଏହାବାଦ୍ ବୋଲିଂରେ ସାର୍ଦ୍ଦୁଲ ଠାକୁର, ଆର ଜାଡେଜା, ଅକ୍ଷର ପଟେଲ, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ ରହିଛନ୍ତି । ତାଙ୍କ ସହିତ ଜୟଦେବ ଉନାଦକତ, ମହମ୍ମଦ ସିରାଜ, ଉମରାନ୍ ମଲ୍ଲିକ ଓ ମୁକେଶ କୁମାର ଭାରତୀୟ ଦଳରେ ରହିଛନ୍ତି ।

ସୂଚନାଯୋଗ୍ୟ ଯେ, ଆସନ୍ତା ଜୁଲାଇ ୧୨ରୁ ଟେଷ୍ଟ ସିରିଜ୍ ଆରମ୍ଭ ହେବାକୁ ଯାଉଥିବାବେଳେ, ଜୁଲାଇ ୨୭ରୁ ଦିନିକିଆ ସିରିଜ୍ ଆରମ୍ଭ ହେବ ।