ତାମିଲନାଡୁରେ ବର୍ଷା ବିତ୍ପାତ । ଜନଜୀବନ ବେହାଲ ।

104

କନକ ବ୍ୟୁରୋ: ଗୁରୁବାର ତାମିଲନାଡୁରେ ଅଦିନିଆ ବର୍ଷା ଲୋକଙ୍କ ସମସ୍ୟା ବଢାଇଛି । ଶୀତ ସାଙ୍ଗକୁ ପ୍ରବଳ ବର୍ଷାରେ ଜନଜୀବନ ବେହାଲ ହୋଇଛି । ରାସ୍ତାରେ ଘଣ୍ଟା ଘଣ୍ଟା ଧରି ଗାଡିମଟର ଜାମ ହୋଇରହିଥିବାରୁ ନାହିଁନଥିବା ସମସ୍ୟା ଭୋଗିଛନ୍ତି ଲୋକେ । ଅନ୍ୟପଟେ କିଛି ସ୍ଥାନରେ ପ୍ରବଳ ବର୍ଷାରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

ପ୍ରବଳ ବୃଷ୍ଟିପାତ କାରଣରୁ ରାଜ୍ୟର ଚେନ୍ନାଇ, କାଞ୍ଚିପୁରମ୍, ତିରୁଭଲ୍ଲୁର୍‌ ଏବଂ ଚେଙ୍ଗାଲେପଟ୍ଟୁ ଭଳି ୪ଟି ଜିଲ୍ଲାରେ ରେର୍ଡ ଆଲର୍ଟ ଜାରି କରାଯାଇଛି। ଏହି ସବୁ ଜିଲ୍ଲାଗୁଡ଼ିକରେ ୨୪ ଘଣ୍ଟାରେ ୨୦ ସେ.ମି. ବର୍ଷା ହେଉଛି।ତେଣୁ, ଏହି ସବୁ ଜିଲ୍ଲାଗୁଡ଼ିକରେ ଆଜି ସ୍କୁଲ୍‌, କଲେଜ୍‌ ଏବଂ ଅଣ-ଅତ୍ୟାବଶ୍ୟକ ସରକାରୀ କାର୍ୟ୍ୟାଳୟ ସବୁ ବନ୍ଦ ରହିବ।

ରାଜ୍ୟର ଉପକୂଳ ଅଞ୍ଚଳରେ ‘ସାଇକ୍ଲୋନିକ୍‌ ସର୍କୁଲେସନ୍‌’ ସୃଷ୍ଟିଜନିତ ଅପ୍ରତ୍ୟାଶିତ ବର୍ଷା କାରଣରୁ ରାଜଧାନୀ ନଗରୀ ଚେନ୍ନାଇରେ ପ୍ରାୟ ୨୦ ସେ.ମି. ବୃଷ୍ଟିପାତ ରେକର୍ଡ କରାଯାଇଛି। ସେଥିଯୋଗୁଁ ନଗରୀର ବହୁ ଅଞ୍ଚଳ ଜଳମଗ୍ନ ହୋଇ ଟ୍ରାଫିକ୍‌ ଜାମ୍‌ ହେବାରୁ ଯାତ୍ରୀମାନେ ହନ୍ତସନ୍ତ ହୋଇଥିଲେ। ଆଜି ମଧ୍ୟ ତାମିଲନାଡୁରେ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।