ଶପଥ ନେଲେ ରାଜ୍ୟର ତିନି ନୂଆ ମନ୍ତ୍ରୀ : ପଦ ଓ ଗୋପନୀୟତାର ଶପଥପାଠ କରାଇଲେ ରାଜ୍ୟପାଳ

385

କନକ ବ୍ୟୁରୋ : ଆଜି ଶପଥ ନେଲେ ରାଜ୍ୟର ତିନି ନୂଆ ମନ୍ତ୍ରୀ । ବିକ୍ରମ କେଶରୀ ଆରୁଖ, ଶାରଦା ନାୟକ, ସୁଦାମ ମାର୍ଣ୍ଡି କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ହେଲେ କାହାକୁ କେଉଁ ବିଭାଗ ମିଳିବ, ତାହା ଜଣାପଡ଼ିନାହିଁ । ଆଜି ସକାଳ ୯ଟା ୫୦ରେ ଶପଥ ନେଇଛନ୍ତି ନୂଆମନ୍ତ୍ରୀ । ଶପଥ ପାଠ କରାଇଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିଲେ । ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି ।

କିନ୍ତୁ ନୂଆ ବାଚସ୍ପତି କିଏ ହେବ ତାକୁ ନେଇ ଏବେବି ସସପେନ୍ସ ଜାରି ରହିଛି । ନିକଟରେ ବିକ୍ରମ ଆରୁଖ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ । ସମୀର ରଂଜନ ଦାଶ ଓ ଶ୍ରୀକାନ୍ତ ସାହୁ ମଧ୍ୟ ମନ୍ତ୍ରୀପଦ ଛାଡିଥିଲେ । ଏହା ପରଠୁ ନୂଆ ମନ୍ତ୍ରୀ କିଏ ହେବେ, ସେନେଇ ଉଭୟ ନେତା ଓ କର୍ମୀଙ୍କ ମଧ୍ୟରେ ଉକ୍ରଣ୍ଠା ଜାରି ରହିଥିଲା । କାହା ମୁଣ୍ଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନାକଳସ ଢାଳିବେ, ଏ ନେଇ ବିଭିନ୍ନ କଳ୍ପନା ଜଳ୍ପନା ଚାଲିଥିଲା । ଶପଥ ଗ୍ରହଣ ସୂଚୀ ପ୍ରକାଶ ପାଇବା ପରେ ମନ୍ତ୍ରୀ ଓ ବିଧାୟକଙ୍କୁ ହେଡ୍କ୍ୱାର୍ଟର ଛାଡ଼ି ନଯିବାକୁ କୁହାଯାଇଥିଲା । ଏହା ପରେ ନେତାଙ୍କ ହୃଦସ୍ପନ୍ଦନ ବଢ଼ି ଯାଇଥିଲା ।

ଯେଉଁମାନେ ମନ୍ତ୍ରୀପଦ ପାଇଁ ଆଶାୟୀ ଥିଲେ, କେତେବେଳେ ମୁଖ୍ୟମନ୍ତ୍ରୀଙ୍କ ଫୋନ କଲ ଆସିବ ସେମାନେ ଅପେକ୍ଷା କରି ରହିଥିଲେ । ସଂଧ୍ୟାରେ ରାଜ୍ୟପାଳ ଗଣେଶୀ ଲାଲ ପହଁଚିବା ପରେ ପାୱାର କରିଡରରେ ହଲଚଲ ସୃଷ୍ଟି ହୋଇଥିଲା । ବିକ୍ରମ ଆରୁଖ, ସୁଦାମ ମାର୍ଣ୍ଡି, ସାରଦା ନାୟକଙ୍କ ପାଖକୁ ଫୋନ କଲ୍ ଆସିଥିବା ସୂଚନା ମିଳିଥିଲା । ଏହି ତିନି ଜଣ କ୍ୟାବିନେଟ୍ ମନ୍ତ୍ରୀ ହେବେ ବୋଲି ଜଣାପଡ଼ିଛି । ତେବେ ଅନ୍ୟ କିଛି ମନ୍ତ୍ରୀଙ୍କ ବିଭାଗ ବଦଳିବା ନେଇ ମଧ୍ୟ ସୂଚନା ମଳିଛି ।