ଭୁବନେଶ୍ୱର ସୈନିକ ସ୍କୁଲରେ ଛାତ୍ରଙ୍କୁ ରାଗିଂ ଅଭିଯୋଗ ପ୍ରସଙ୍ଗ : ଜବାବ ମାଗିଲେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବ

145

ରାଗିଂ ଅଭିଯୋଗ ଆସିବା ପରେ ଗଣଶିକ୍ଷା ସଚିବ ବିଷ୍ଣୁପଦ ସେଠୀ ଭୁବନେଶ୍ୱର ସ୍ଥିତ ସୈନିକ ସ୍କୁଲକୁ ଜବାବ ମାଗିଥିଲେ । ଏହାର ଜବାବ ରଖିଛନ୍ତି ସ୍କୁଲ ପ୍ରିନ୍ସିପାଲ ଏକ ଚିଠି ଜାରି କରି ସ୍କୁଲ କର୍ତ୍ତୃପକ୍ଷ କହିଛନ୍ତି, ରାଗିଂ ରୋକିବା ନେଇ ସ୍କୁଲ ତରଫରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି । ସ୍ୱତନ୍ତ୍ର ଟିମ୍ ବି ରହିଛି । ସ୍କୁଲରେ ନାମଲେଖା ସମୟରେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ଆଂଟି ରାଗିଂ ସଂପର୍କରେ ଅବଗତ କରାଯାଏ । ଯେଉଁ ରାଗିଂ ଅଭିଯୋଗ ଆସିଛି ତାହା ପ୍ରମାଣିତ ହେଲେ ସଂପୃକ୍ତ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସଚିବ ବିଷ୍ଣୁପଦ ସେଠୀ ପ୍ରିନ୍ସିପାଲଙ୍କୁ ଲେଖିଥିବା ଚିଠିିରେ ଉଲ୍ଲେଖ କରିଥିଲେ ଯେ ସୈନିକ ସ୍କୁଲରେ ରାଗିଂ ହେଉଛି । ଜୁନିୟର ପିଲାଙ୍କୁ ସିନିୟରମାନେ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା ନେଇ ଜଣାପଡିଛି । ଯାହା ଆଂଟି ରାଗିଂ ଆକ୍ଟ-୨୦୦୯କୁ ଉଲଂଘନ କରୁଛି । ଏହାକୁ ଧର୍ତବ୍ୟ ଅପରାଧ ବୋଲି ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଛନ୍ତି । ତେଣୁ ର୍ୟାଗିଂ ରୋକିବାକୁ କି କି ପଦକ୍ଷେପ ନିଆଯାଇଛି ଗଣଶିକ୍ଷା ବିଭାଗକୁ ଜଣାଇବାକୁ କହିଥିଲେ ସଚିବ । ଯଦି ରାଗିଂ ରୋକିବାକୁ ପଦକ୍ଷେପ ନେବା ସତ୍ୱେ ରାଗିଂ ଚାଲିଛି, ତେବେ କ’ଣ ପରବର୍ତ୍ତୀ ଆକ୍ସନ-ପ୍ଲାନ୍ ରହିଛି, ସୈନିକ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ କହିଥିଲେ ।