ଗୁଜରାଟର ନିଆରା ଚା ବାଲା, ‘ଦ କେରଳ ଷ୍ଟୋରୀ’ ସିନେମା ଟିକେଟ ଦେଖାଇଲେ ମାଗଣାରେ ଦେଉଛନ୍ତି ଚା’ ଓ କଫି

532

କନକ ବ୍ୟୁରୋ : ଏବେ କିଛିଦିନ ହେବ ‘ଦ କେରଳ ଷ୍ଟୋରୀ’ ସିନେମାକୁ ନେଇ ବେଶ୍ ଚର୍ଚ୍ଚା ଲାଗି ରହିଛି । ଏହି ସିନେମାକୁ ନେଇ ରାଜନୀତି ମଧ୍ୟ ଜୋର ଧରୁଛି । କିଛି ବିଜେପି ଶାସିତ ରାଜ୍ୟ ସରକାର ଏହି ସିନେମା ଉପରୁ ପ୍ରମୋଦ କର ଛାଡ କରିଥିବା ବେଳେ କିଛି ଅଣ ବିଜେପି ଶାସିତ ରାଜ୍ୟ ସରକାର ଏହି ସିନେମାକୁ ସେମାନଙ୍କ ରାଜ୍ୟରେ ବ୍ୟାନ କରିଛନ୍ତି । ଏହି କ୍ରମରେ ମଧ୍ୟ ପ୍ରଦେଶ ଓ ଉତ୍ତର ପ୍ରଦେଶ ସରକାର ଏହି ସିନେମା ଉପରୁ ପ୍ରମୋଦ କର ଛାଡ କରିଥିବା ବେଳେ ତାମିଲନାଡୁ ଓ ପଶ୍ଚିମବଙ୍ଗ ସରକାର ଏହି ସିନେମାକୁ ସେମାନଙ୍କ ରାଜ୍ୟରେ ବ୍ୟାନ କରିଛନ୍ତି । ହେଲେ ଗୁଜରାଟର ଜଣେ ଚା’ ବିକାଳି ଏବେ ଏହି ସିନେମାକୁ ନେଇ କିଛି ନିଆରା ଅଫର ରଖିଛନ୍ତି ।

ଚା’ ଦୋକାନୀ କହିଛନ୍ତି କି ଯେଉଁମାନେ ‘ଦ କେରଳ ଷ୍ଟୋରୀ’ ସିନେମା ଦେଖି ଫେରିବା ପରେ ତାଙ୍କୁ ଏହି ସିନେମାର ଟିକେଟ ଦେଖାଇବେ ସେ ତାଙ୍କୁ ମାଗଣାରେ ଚା’ ଓ କଫି ପିଇବାକୁ ଦେବେ । ଏହାସହ ଏନେଇ ସେ ଦୋକାନ ଆଗରେ ଏକ ପୋଷ୍ଟର ମଧ୍ୟ ଲଗାଇଛନ୍ତି । ଏହି ଅଫର ବାବଦରେ ଶୁଣିବା ପରେ ଅନେକ ଲୋକ ସିନେମା ଦେଖି ସାରିବା ପରେ ହାତରେ ଟିକେଟ ଧରି ଏହି ଚା’ ଦୋକାନରେ ଭିଡ ଲଗାଉଥିବା ଦେଖିବାକୁ ମିଳିଛି । ଏହି ଅଫର ମେ’ମାସ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଦୋକାନୀ ଜଣଙ୍କ କହିଛନ୍ତି ।