ଚିକିତ୍ସା କରୁଥିବା ଡାକ୍ତରଙ୍କୁ ରୋଗୀଙ୍କ ଆକ୍ରମଣ, ମହିଳା ଡାକ୍ତରଙ୍କ ଶୋଚନୀୟ ମୃତ୍ୟୁ

583

କନକ ବ୍ୟୁରୋ: ରୋଗୀଙ୍କ ଶରୀରରେ ହୋଇଥିବା କ୍ଷତକୁ ଡ୍ରେସିଂ କରୁଥିଲେ ମହିଳା ଡାକ୍ତର । ଏହି ସମୟରେ ଖୋଦ୍ ରୋଗୀ ଜଣକ ଭୟଙ୍କର ହୋଇଯାଇଥିଲା । ପାଖରେ ଥିବା କଇଁଚି ଓ ଛୁରୀରେ ଡାକ୍ତରଙ୍କୁ ଆକ୍ରମଣ କରିଥିଲା । ଫଳରେ ମହିଳା ଡାକ୍ତରଙ୍କର ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି କେରଳ କୋଟାରକ୍କାରାର ଏକ ଘରୋଇ ହସ୍ପିଟାଲରେ

ପୁଲିସ ସୂଚନା ମୁତାବକ, ଅଭିଯୁକ୍ତ ଜଣକ ନିଜ ପରିବାର ଲୋକଙ୍କ ସହ ପାଟିିତୁଣ୍ଡ କରିବାରୁ ମାରପିଟ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ଘଟଣାରେ ଅଭିଯୁକ୍ତ ଆହତ ହୋଇଥିଲା । ଖବର ପାଇ ପୁଲିସ ତାକୁ ଉଦ୍ଧାର କରି ହସ୍ପିଟାଲ ଆଣିଥିଲା । ଏବଂ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ । ଦେହରେ ହୋଇଥିବା କ୍ଷତ ଗୁଡିକୁ ଡ୍ରେସିଙ୍ଗ କରୁଥିବା ସମୟରେ ହଠାତ୍ ଭୟଙ୍କର ହୋଇଉଠିଥିଲା ରୋଗୀ । ଡ୍ରେସିଙ୍ଗ ପାଇଁ ବ୍ୟବହାର କରାଯାଉଥିବା ଛୁରୀ ଓ କଇଁଚିରେ ଡାକ୍ତରଙ୍କୁ ଆକ୍ରମଣ କରିଥିଲା । ଚିକ୍ରାର ଶୁଣି ବାହାରେ ଜଗିଥିବା ପୁଲିସ କର୍ମୀ ଅନେକ ଚେଷ୍ଟା ପରେ ଅଭିଯୁକ୍ତକୁ କାବୁ କରିଥିଲେ । ଅନ୍ୟପଟେ ମହିଳା ଡାକ୍ତରଙ୍କୁ ଅନ୍ୟ ବଡ ହସ୍ପିଟାଲ ନିଆଯାଇଥିଲେ ବି ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।