ଆଜି ସୁପ୍ରିମକୋର୍ଟରେ ହେବ ପୁରୀ ଶ୍ରୀମନ୍ଦିର ପକଳ୍ପ ମାମଲାର ଶୁଣାଣି : ଶୁଣାଣି ପାଇଁ ରାଜି ହୋଇଛନ୍ତି ଭ୍ୟାକେସନ ବେଞ୍ଚ

ଶ୍ରୀମନ୍ଦିର ପ୍ରତି ବିପଦ ଥିବା ଦର୍ଶାଇ କାର୍ଯ୍ୟ ବନ୍ଦ କରିବାକୁ ପିଟିସନ୍ ଦାଖଲ କରିଥିଲେ ସୁମନ୍ତ କୁମାର ଘଡେଇ ଏବଂ ଅର୍ଦ୍ଧେନ୍ଦୁ କୁମାର ଦାସ

95

କନକ ବ୍ୟୁରୋ : ଆଜି ସୁପ୍ରିମକୋର୍ଟରେ ହେବ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାରେ ଶୁଣାଣି । ହାଇକୋର୍ଟ ଗତ ମେ ୯ ତାରିଖ ଦେଇଥିବା ନିର୍ଦ୍ଦେଶ ଉପରେ ହୋଇଥିବା ପିଟିସନର ଶୁଣାଣି କରିବେ ସୁପ୍ରିମକୋର୍ଟ । ସୁମନ୍ତ କୁମାର ଘଡେଇ ଏବଂ ଅର୍ଦ୍ଧେନ୍ଦୁ କୁମାର ଦାସଙ୍କ ଦ୍ୱାରା ଦାଖଲ ହୋଇଥିବା ଏହି ପିଟିସନର ଆଜି ଶୁଣାଣି ପାଇଁ ରାଜି ହୋଇଛନ୍ତି ଜଷ୍ଟିସ୍ ବିଆର ଗଭାଇ ଓ ଜଷ୍ଟିସ୍ ହିମା କୋହଲୀଙ୍କ ଭ୍ୟାକେସନ ବେଞ୍ଚ ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଯୋଗୁ ମନ୍ଦିର ପ୍ରତି ବିପଦ ରହିଛି । ଶ୍ରୀମନ୍ଦିରରେ କେତେକ ସ୍ଥାନରେ ଫାଟ ଦେଖାଦେଇଥିବା ବେଳେ ନିର୍ମାଣ ବନ୍ଦ କରିବା ପାଇଁ ଆବେଦନକାରୀ ଦ୍ୱୟ ହାଇକୋର୍ଟରେ ଅପିଲ କରିଥିଲେ । କିନ୍ତୁ ଏହି ମାମଲାର ଶୁଣାଣି ଶୀଘ୍ର ହୋଇପାରିନଥିଲା । ଯେଉଁଥିପାଇଁ ସେମାନେ ସୁପ୍ରିମକୋର୍ଟର ଦ୍ୱାରସ୍ତ ହୋଇଛନ୍ତି । ଏହି ମାମଲାରେ ଶ୍ରୀମନ୍ଦିର ପ୍ରଶାସନ, ଏଏସଆଇ, ଓଡ଼ିଶା ସରକାରଙ୍କ ସମେତ ୮ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି ।

ଚଳିତମାସ ୯ରେ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଖନନ ଓ ନିର୍ମାଣ ବିବାଦ ସଂପର୍କିତ ଦିଲୀପ କୁମାର ବରାଳଙ୍କ ଆବେଦନର ଶୁଣାଣି କରି ଓଡ଼ିଶା ହାଇକୋର୍ଟ କୌଣସି ରହିତାଦେଶ ଜାରି କରିନଥିଲେ । ରହିତାଦେଶ ଜାରି କରାଯାଇ ନଥିବାରୁ ନିର୍ମାଣ କାର୍ଯ୍ୟ ଜାରି ରହିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଥିଲା । ଏଭଳି ସ୍ଥିତିରେ କାଳେ ଆବେଦନକାରୀ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବେ ଏହି ଆଶଙ୍କା କରି ରାଜ୍ୟ ସରକାର ହାଇକୋର୍ଟଙ୍କ ୯ ତାରିଖ ଆଦେଶ ପରିପେକ୍ଷୀରେ ମେ’ ୧୩ରେ ଆଗୁଆ କ୍ୟାଭିଏଟ ଫାଇଲ କରିଥିଲେ ।