ଇତିହାସ ପାଲଟିିଲା ଧାରା ୩୭୦ । ମୋଦୀ ସରକାରଙ୍କ ନିଷ୍ପତି ଉପରେ ମୋହର ମାରିଲେ ସୁପ୍ରିମକୋର୍ଟ । ଜମ୍ମୁ-କାଶ୍ମୀରକୁ ରାଜ୍ୟ ମାନ୍ୟତା ଦେବା ପାଇଁ ପରାମର୍ଶ

1,177

କନକ ବ୍ୟୁରୋ: ଇତିହାସ ପାଲଟିଲା ଧାରା ୩୭୦ । ଜମ୍ମୁ-କାଶ୍ମୀରରୁ ଉଚ୍ଛେଦ ହୋଇଥିବା ଧାରା ବାବଦରେ ସୁପ୍ରିମ୍ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଜମ୍ମୁ-କାଶ୍ମୀରରୁ ୩୭୦ ଉଚ୍ଛେଦ ନେଇ କେନ୍ଦ୍ର ସରକାର ନେଇଥିବା ନିଷ୍ପତିକୁ କାଏମ ରଖିଛନ୍ତି କୋର୍ଟ । ସର୍ବୋଚ୍ଚ ନ୍ୟାୟାଳୟଙ୍କ ୫ ଜଣିଆ ଖଣ୍ଡପୀଠ ଶୁଣାଇଥିବା ରାୟକୁ ଐତିହାସିକ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ତେବେ ବର୍ଷ ବର୍ଷ ଧରି ଧାରା ୩୭୦’ର ଜଞ୍ଜାଳରେ ଛନ୍ଦି ହୋଇଥିବା ଭୂସ୍ୱର୍ଗ ଜମ୍ମୁ-କାଶ୍ମୀର ଏବେ ମୁକ୍ତ । ଜନତା ଆଶ୍ୱସ୍ତ, ଭାରତବାସୀ ଖୁସ୍ । ଏଣିକି କାଶ୍ମୀରର ହକ୍ ଛଡ଼ାଇବାକୁ ଉଦ୍ୟମ କରୁଥିବା ଲୋକଙ୍କ ବାଟ ସବୁ ଦିନ ପାଇଁ ବନ୍ଦ । କେନ୍ଦ୍ର ସରକାରଙ୍କ ନିଷ୍ପତି ଉପରେ ମୋହର ମାରିଛନ୍ତି ସୁପ୍ରିମକୋର୍ଟ । ଜମ୍ମୁ-କାଶ୍ମୀରରୁ ହଟାଯାଇଥିବା ଧାରା ୩୭୦କୁ କାଏମ ରଖିଛନ୍ତି ସୁପ୍ରିମକୋର୍ଟ ।

ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ଧାରା-୩୭୦ ଉଚ୍ଛେଦ ବୈଧ । ଜମ୍ମୁ-କାଶ୍ମୀରରେ ଧାରା-୩୭୦ ଅସ୍ଥାୟୀ ବ୍ୟବସ୍ଥା ଥିଲା । ଜମ୍ମୁ-କାଶ୍ମୀର ଭାରତର ଅଭିନ୍ନ ଅଙ୍ଗ । ସମ୍ବିଧାନର ସବୁ ଅନୁଚ୍ଛେଦ ଲାଗୁ ହେବ । ଲଦାଖକୁ ଜମ୍ମୁ-କାଶ୍ମୀର ଠାରୁ ଅଲଗା କରିବା ଘୋଷଣା ଉଚିତ । ଜମ୍ମୁ-କାଶ୍ମୀର ନିର୍ବାଚନ ପାଇଁ ପଦକ୍ଷେପ ନିଆଯାଉ । ଜମ୍ମୁ-କାଶ୍ମୀରକୁ ଶୀଘ୍ର ରାଜ୍ୟର ମାନ୍ୟତା ମିଳୁ ।

ଧାରା ୩୭୦ ଉଚ୍ଛେଦକୁ କାଏମ ରଖିବା ନିଷ୍ପତିକୁ ଐତିହାସିକ କହିଛନ୍ତି ପ୍ରଧାନମନ୍ତ୍ରୀ । ନରେନ୍ଦ୍ର ମୋଦୀ କହିଛନ୍ତି, ସୁପ୍ରିମକୋର୍ଟଙ୍କ ରାୟର ଅର୍ଥ, ୫ ଅଗଷ୍ଟ, ୨୦୧୯ରେ ନିଆଯାଇଥିବା ନିଷ୍ପତି ସମ୍ପୂର୍ଣ୍ଣ ଠିକ୍ । ଏହି ନିଷ୍ପତ୍ତିି ଜମ୍ମୁ-କାଶ୍ମୀରରେ ଥିବା ଆମ ଭାଇ-ଭଉଣୀଙ୍କ ବିକାଶ ପାଇଁ ନିଆଯାଇଥିଲା । ଏହାକୁ କାଏମ ରଖି ଅଖଣ୍ଡ ଭାରତ ନେଇ ନୂଆ ବାର୍ତ୍ତା ଦେଇଛନ୍ତି ସୁପ୍ରିମକୋର୍ଟ । ଜମ୍ମୁ-କାଶ୍ମୀର ଓ ଲଦାଖର ବାସିନ୍ଦାଙ୍କ ପାଇଁ କେନ୍ଦ୍ର ସରକାର ଦେଖିଥିବା ସମସ୍ତ ସ୍ୱପ୍ନ ନିଶ୍ଚୟ ପୂରଣ ହେବ ବୋଲି ନିଜ ଟୁଇଟରେ ଉଲ୍ଲେଖ କରିଛନ୍ତି ପ୍ରଧାନମନ୍ତ୍ରୀ ।

ଭାରତର ସୁପ୍ରିମକୋର୍ଟଙ୍କ ରାୟ ପରେ ପାକିସ୍ତାନରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଧାରା ୩୭୦କୁ ଆଇନ ସମ୍ମତ ଦର୍ଶାଇବା ନିଷ୍ପତିକୁ ଗ୍ରହଣ କରିପାରିନି । ଏହା ଆଇନ ସମ୍ମତ ନୁହେଁ ବୋଲି କହିଛି । ୨୦୧୯ ଅଗଷ୍ଟ ୫ ତାରିଖରେ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଏବଂ ୩୫-ଏ ଉଚ୍ଛେଦେ କରିଥିଲେ କେନ୍ଦ୍ର ସରକାର । ସେହିପରି ଜମ୍ମୁ-କାଶ୍ମୀରକୁ କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ଦିଆଯାଇଥିଲା । ଲଦାଖକୁ ଅଲଗା କରି କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ଦିଆଯାଇଥିଲା ।