ଧୀରଜ ସାହୁଙ୍କ କଳାଧନକୁ ନେଇ ତେଜୁଛି ରାଜନୀତି । ଦେଶବ୍ୟାପୀ ବିଜେପିର ପ୍ରତିବାଦ । ମଦ ସାମ୍ରାଜ୍ୟର ଗୁମର ଖୋଲିବାକୁ ସିବିଆଇ ତଦନ୍ତ ଦାବି

77

କନକ ବ୍ୟୁରୋ: ମଦ ବ୍ୟବସାୟୀ ଧୀରଜ ସାହୁଙ୍କ କଳାଧନକୁ ନେଇ ତେଜୁଛି ରାଜନୀତି । ଘଟଣାକୁ ନେଇ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି । ଦଳର କେନ୍ଦ୍ରୀୟ ନେତୃତ୍ୱ କଂଗ୍ରେସ ଉପରେ ବର୍ଷୁଥିବା ବେଳେ ରାଜ୍ୟ ନେତୃତ୍ୱ ବିଜେଡି ଲିଙ୍କକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେପଟେ ବିଜେପି ଅଭିଯୋଗର ପାଲଟା ଜବାବରେ ବିଜେଡି କହିଛି, କଂଗ୍ରେସକୁ ସୁରକ୍ଷା ଦେଉଛି ରାଜ୍ୟ ବିଜେପି ।

  • ଦେଶବ୍ୟାପୀ ବିଜେପିର ପ୍ରତିବାଦ
  • ମଦ ସାମ୍ରାଜ୍ୟର ଗୁମର ଖୋଲିବାକୁ ସିବିଆଇ ତଦନ୍ତ ଦାବି

ମଦ ବ୍ୟବସାୟୀଙ୍କ ଉପରେ ଆଇଟି ରେଡ୍, ୪୦୦ କୋଟିରୁ ଅଧିକ ଟଙ୍କା ଜବତ ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ଦେଶବ୍ୟାପୀ ପ୍ରତିବାଦ କରିଛି ବିଜେପି । ମଦ ବ୍ୟବସାୟୀ ତଥା କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ଲିଙ୍କରେ କଂଗ୍ରେସକୁ କାଠଗଡ଼ାକୁ ଟାଣିଛି ଦଳ । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ନେତୃତ୍ୱରେ ବିଜେପି ସାଂସଦମାନେ ଗାନ୍ଧୀମୂର୍ତି ତଳେ ଧାରଣା ଦେଇ ଆନ୍ଦୋଳନ କରିଛନ୍ତି । ଗରିବ ଲୋକଙ୍କ ଠାରୁ ଲୁଟ କରି କୋଟି କୋଟି ଟଙ୍କା କଂଗ୍ରେସ ନେତାମାନେ ରଖିଛନ୍ତି ବୋଲି ଅଭିଯୋଗ କରିଛନ୍ତି ଜେ.ପି ନଡ୍ଡା । ରାହୁଲ ଗାନ୍ଧୀଙ୍କ ଉଦ୍ଦେଶ୍ୟରେ ପ୍ରଶ୍ନ କରି ନଡ୍ଡା କହିଛନ୍ତି, ତଦନ୍ତକାରୀ ସଂସ୍ଥାର କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଉଥିବା ନେତା ଏବେ ଧୀରଜ ସାହଙ୍କ ମାମଲାରେ କାହିଁକି ଚୁପ୍ ବସିଛନ୍ତି ।

  • କଳାଧନକୁ ନେଇ ଓଡ଼ିଶାରେ ବିଜେପିର ବିକ୍ଷୋଭ
  • କଂଗ୍ରେସ ସହ ବିଜେଡିକୁ ଯୋଡିଲା ଦଳ
  • ବିଜେଡିର ଅଭିଯୋଗ, କଂଗ୍ରେସକୁ ସୁରକ୍ଷା ଦେଉଛି ରାଜ୍ୟ ବିଜେପି

ଧୀରଜ ସାହୁଙ୍କ କୁଶପୁତଳିକା ଦାହ କରି ଭୁବନେଶ୍ୱରରେ ବିକ୍ଷୋଭ କରିଛି ବିଜେପି । ଏହା ସହ ବିଜେଡି ଲିଙ୍କକୁ ନେଇ ବି ପ୍ରଶ୍ନ ଉଠାଇଛି ଦଳ । କଂଗ୍ରେସ ଓ ବିଜେଡିର ମଧୁଚନ୍ଦ୍ରିକାରେ ମଦ କାରବାର ଚାଲୁଥିବା ଅଭିଯୋଗ କରିଛି ବିଜେପି । ସମ୍ବଲପୁରରେ ଉପଜିଲ୍ଲାପାଳଙ୍କ ଅଫିସ୍ ଘେରାଉ କରିଛି ଦଳ । ଭୁବନେଶ୍ୱରରୁ ସମ୍ବଲପୁର, ପୁରୀରୁ ବାରିପଦା, ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ବିକ୍ଷୋଭ ଓ ପ୍ରତିବାଦ । କଂଗ୍ରେସ ସାଂସଦ ଧୀରଜ ସାହୁଙ୍କୁ ଗିରଫ କରାଯିବା ସହ ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଦଳ । ଏହା ସହ ରାଜ୍ୟରେ ଥିବା ଅବକାରୀ ନୀତିର ସଂଶୋଧନ ଦାବି କରିଛି ବିଜେପି ।

ବିଜେଡି ଆଡକୁ ରାଜ୍ୟ ବିଜେପି ଆଙ୍ଗୁଳି ଉଠାଇବା ପରେ ବର୍ଷିଛି ବିଜେଡି । ରାଜ୍ୟ ବିଜେପି, କଂଗ୍ରେସକୁ ସୁରକ୍ଷା ଦେଉଥିବା ଅଭିଯୋଗ କରିଛି ଦଳ । ଆୟକର ବିଭାଗର ଚଢାଉ ପରେ, ଦୁର୍ନୀତି କଂଗ୍ରେସ କରିଛି ବୋଲି କହୁଛନ୍ତି କେନ୍ଦ୍ର ନେତୃତ୍ୱ । କାହିଁକି ରାଜ୍ୟରେ କଂଗ୍ରେସକୁ ସୁରକ୍ଷା ଦିଆଯାଉଛି, ସେନେଇ ବିଜେପି ସ୍ପଷ୍ଟ କରୁ ବୋଲି ଦାବି କରିଛନ୍ତି ବିଜେଡି ମୁଖପାତ୍ର । ଏହାର ଜବାବ ରଖିଛି ବିଜେପି । କାହିଁକି ବିନା ଟେଣ୍ଡରରେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ବାରମ୍ବାର ଲାଇସେନ୍ସ ଦିଆଯାଉଥିଲା ବୋଲି ପ୍ରଶ୍ନ କରିଛି ଦଳ ।

ସୂଚନାଯୋଗ୍ୟ ଯେ, ମଦ ସାମ୍ରାଜ୍ୟର ଟଙ୍କା ପାହାଡ଼କୁ ନେଇ ଦେଶରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଲାଗିଛି ରାଜନୈତିକ ରଙ୍ଗ । ପରସ୍ପର ଉପରେ ଦୋଷ ଲଦୁଛନ୍ତି ରାଜନୈତିକ ଦଳର ନେତା ।