ଅପରାଜିତା ବନାମ ବିଜେଡି: ଚର୍ଚ୍ଚାରେ ଭୁବନେଶ୍ୱର ସାଂସଦଙ୍କ ପୋଷ୍ଟ

364

କନକ ବ୍ୟୁରୋ: ଚର୍ଚ୍ଚା ବଢାଇଲା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସୋସିଆଲ ମିଡିଆ ପୋଷ୍ଟ । ସୋସିଆଲ ମିଡିଆ ଏକ୍ସରେ ସେ ଅଭିଯୋଗ, ରାଜଧାନୀ କାଂଥରେ ଆଉଥରେ ଅପରାଜିତା ଲେଖାକୁ ବିଏମସି ଲିଭାଇ ଦେଉଛି । ହେଲେ କାହିଁକି ବିଜେଡିର ପ୍ରଚାର ଲେଖାକୁ ଲିଭାଯାଉନାହିଁ ବୋଲି ପ୍ରଶ୍ନ କରିଛନ୍ତି । ଏହାର ଜବାବ ରଖି ବିଜେଡି କହିଛି, ଏପରି ହୀନ ରାଜନୀତି କରେ ନାହିଁ ଦଳ ।

ରାଜଧାନୀ କାନ୍ଥରେ କାହା ନାଁ ରହିବ, କାହା ନାଁ ହଟିବ, ତାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ଏହାରି ଭିତରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପୋଷ୍ଟ ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ଅପରାଜିତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସର ପୋଷ୍ଟ ଉପରେ ନଜର ପକାନ୍ତୁ । ଏଥିରେ, ସେ ବିଜେଡିକୁ ଟାର୍ଗେଟ୍ କରିଛନ୍ତି । କାନ୍ଥ ବାଡ଼ରେ ଲେଖାଯାଇଥିବା ‘ଆଉ ଥରେ ଅପରାଜିତା’କୁ କାହିଁକି ଲିଭାଯାଉଛି ବୋଲି ପ୍ରଶ୍ନ କରିଛନ୍ତି । ପ୍ରଶ୍ନ କରି ପଚାରିଛନ୍ତି ..

ଅପରାଜିତାଙ୍କ ପ୍ରଶ୍ନ
– ବିଏମ୍ସି ସରକାରୀ ଅନୁଷ୍ଠାନ ନା ବିଜେଡି ସରକାର?
– ସଫେଇ କର୍ମୀ ଓ ଅନ୍ୟ କର୍ମଚାରୀଙ୍କୁ ବ୍ୟବହାର କରି ‘ଆଉଥରେ ଅପରାଜିତା’ କାହିଁକି ଲିଭାଯାଉଛି?
– ସହରର ବିଭିନ୍ନ ସ୍ଥାନରେ ଲେଖାଯାଇଥିବା ‘ଆମ ଶଙ୍ଖ ଚିହ୍ନ, ବିକାଶର ଚିହ୍ନ’ କାହିଁକି ଲିଭାଯାଉନି?
– ଯଦି ଲିଭାଯାଉଛି, ତାହେଲେ କେବଳ ଗୋଟିଏ ଦଳର କାହିଁକି?

ଅପରାଜିତାଙ୍କ ପୋଷ୍ଟ ପରେ ବିଜେଡି- ବିଜେପି ମଧ୍ୟରେ ବୟାନବାଜି ଆରମ୍ଭ ହୋଇଛି । ଅପରାଜିତାଙ୍କ ସମର୍ଥନରେ ବାହାରି ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି କହିଛନ୍ତି, ମ୍ୟୁନିସିପାଲଟି କର୍ମଚାରୀମାନେ ରାଜନୀତିଠାରୁ ଦୂରେଇ ରହିବା କଥା । କିନ୍ତୁ ବିଏମ୍ସି କର୍ମଚାରୀ ବିଜେଡିର ଦଳୀୟ କର୍ମଚାରୀ ଭଳି କାମ କରୁଛନ୍ତି । ଯାହା ଅତ୍ୟନ୍ତ ନିନ୍ଦନୀୟ । ସେପଟେ ଏହାର ଜବାବ ରଖିଛି ବିଜେଡି । ଦଳ କହିଛି, ବିଜେଡି କେବେବି ଏପରି ତଳସ୍ତରକୁ ଯାଏନାହିଁ କି ଏପରି ରାଜନୀତି କରେ ନାହିଁ ।

ଦଶହରା ସମୟରୁ ଦୁଇ ଦଳର ନେତାଙ୍କ ମଧ୍ୟରେ ପୋଷ୍ଟର ୱାର ଆରମ୍ଭ ହୋଇଛି । ଦଳୀୟ ନେତା ବିଭିନ୍ନ ଛକରେ ହୋର୍ଡିଂ ମାରିବା ସହ କାନ୍ଥରେ ଏଥର କିଏ? ଲେଖି ନିଜର ଉପସ୍ଥିତି ଜାହିର କରୁଛନ୍ତି । ରାଜଧାନୀର ଏହି ପୋଷ୍ଟର ରାଜନୈତିକ ପାଣିପାଗକୁ ଉଷ୍ଣ କରିଛି ।