ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି । ୩୦ ସପ୍ତାହ ଗର୍ଭବତୀ ଥିବା ୧୪ ବର୍ଷୀୟା ଦୁଷ୍କର୍ମ ପୀଡିତା ନାବାଳିକାଙ୍କୁ ଗର୍ଭପାତ ଅନୁମତି

157

କନକ ବ୍ୟୁରୋ : ସୋମବାର ଦିନ ସୁପ୍ରିମକୋର୍ଟ ଏକ ବଡ ନିଷ୍ପତ୍ତି ନେଇଛନ୍ତି । କୋର୍ଟଙ୍କ ତରଫରୁ ୧୪ ବର୍ଷୀୟ ଜଣେ ଦୁଷ୍କର୍ମ ପୀଡିତାଙ୍କୁ ଆଶ୍ୱସ୍ତି ଦେବାକୁ ଯାଇ ୩୦ ସପ୍ତାହର ଗର୍ଭକୁ ନଷ୍ଟ କରିବାକୁ ଅନୁମତି ଦେଇଛନ୍ତି । କୋର୍ଟଙ୍କ ତରଫରୁ ଚିକିତ୍ସା ସମାପ୍ତ କରିବାକୁ ଅନୁମତି ଦେବା ସହ ବମ୍ବେ ହାଇକୋର୍ଟଙ୍କ ରାୟକୁ ରଦ୍ଦ କରିଛନ୍ତି ।

ମାମଲାର ଶୁଣାଣି କରୁଥିବା ମୁଖ୍ୟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡଙ୍କ ଅଧ୍ୟକ୍ଷତା ପୀଠ ମୁମ୍ବାଇର ଲୋକମାନ୍ୟ ତିଳକ ହସ୍ପିଟାଲର ଡିନଙ୍କୁ ପୀଡିତାଙ୍କ ଗର୍ଭପାତ ପାଇଁ ଚିକିତ୍ସା ଟିମ୍ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଥାଉ କି, ଜଣେ ୧୪ ବର୍ଷୀୟ ଦୁଷ୍କର୍ମ ପୀଡିତାଙ୍କ ମା’ ବମ୍ବେ ହାଇକୋର୍ଟର ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଚକରିଥିଲେ । କାରଣ ବମ୍ବେ ହାଇକୋର୍ଟ ନାବାଳିକାଙ୍କ ଗର୍ଭପାତ କରାଇବା ଉପରେ ରୋକ୍ ଲଗାଇଥିଲା ।

କୋର୍ଟ ଏପ୍ରିଲ ୧୯ ତାରିଖରେ ନାବାଳିକଙ୍କ ଚିକିତ୍ସା ସମ୍ବନ୍ଧୀୟ ଯାଂଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥିରେ ମୁମ୍ବାଇର ସାୟନ ସ୍ଥିତ ହସ୍ପିଟାଲକୁ ଏ ବାବଦରେ ରିପୋର୍ଟ ଦେବାକୁ କୁହାଯାଇଥିଲା   । କୋର୍ଟ ହସ୍ପିଟାଲକୁ ପଚାରି ଥିଲେ କି, ଯଦି ପୀଡିତା ମେଡିକାଲରେ ଗର୍ଭପାତ କରନ୍ତି ବା ନ କରିବାକୁ ଡାକ୍ତର ପରାମର୍ଶ ଦିଅନ୍ତି ତେବେ ଏହା ପୀଡିତାଙ୍କ ଶାରିରୀକ ଓ ମାନସିକ ସ୍ଥିତି ଉପରେ କ’ଣ ପ୍ରଭାବ ପକାଇବ ?

ଗର୍ଭପାତ ଚିକିତ୍ସକୀୟ ଅଧିନିୟମ କ୍ରମରେ ବିବାହିତ ମହିଳାଙ୍କ ସହ ବିଶେଷ ଶ୍ରେଣୀର ମହିଳାମାନେ ସର୍ବାଧିକ ୨୪ ସପ୍ତାହର ଗର୍ଭକୁ ନଷ୍ଟ କରିପାରିବେ । ଏହି ବିଶେଷ ଶ୍ରେଣୀ ମଧ୍ୟରେ ବଳକ୍ରାର ପୀଡିତା ଓ ଦିବ୍ୟାଙ୍ଗ ମହିଳା ସାମିଲ ଅଛନ୍ତି ।